ରାମ ମନ୍ଦିର ଦାନ ଅର୍ଥ ଚୋରି ମାମଲାରେ ମୁହଁ ଖୋଲିଲେ ମୋହନ ଭାଗବନ-କହିଦେଲେ ବଡ଼ କଥା…

Jul 05, 2026 - 18:16
ରାମ ମନ୍ଦିର ଦାନ ଅର୍ଥ ଚୋରି ମାମଲାରେ ମୁହଁ ଖୋଲିଲେ ମୋହନ ଭାଗବନ-କହିଦେଲେ ବଡ଼ କଥା…

ନୂଆଦିଲ୍ଲୀ,୫।୭: ଅଯୋଧ୍ୟା ରାମ ମନ୍ଦିରର ଦାନ ଅର୍ଥ ହେରଫେର (ଚୋରି) ମାମଲାରେ ଏବେ ରାଷ୍ଟ୍ରୀୟ ସୱୟଂସେବକ ସଂଘ (RSS) ପକ୍ଷରୁ ବଡ଼ ବୟାନ ସାମ୍ନାକୁ ଆସିଛି। ସଂଘର ସରସଂଘଚାଳକ ମୋହନ ଭାଗବତ ରବିବାର କହିଛନ୍ତି ଯେ, ଏହି ମାମଲାରେ ସଂଘର ସାଧାରଣ ସମ୍ପାଦକ ଦତ୍ତାତ୍ରେୟ ହୋସବାଲେ ଯେଉଁ ବୟାନ ଦେଇଛନ୍ତି, ସେ ତାହା ସହ ସମ୍ପୂର୍ଣ୍ଣ ସହମତ ଅଟନ୍ତି। ନାଗପୁରରେ ଖବରଦାତାମାନଙ୍କ ସହ ଆଲୋଚନା ବେଳେ ଭାଗବତ କହିଛନ୍ତି, “ହୋସବାଲେଙ୍କ ବୟାନ ପଢ଼ି ନିଅନ୍ତୁ, ମୋର ମଧ୍ୟ ସମାନ ମତ ରହିଛି।”

ଉଲ୍ଲେଖଯୋଗ୍ୟ ଯେ, ଗତ ଶୁକ୍ରବାର ଦତ୍ତାତ୍ରେୟ ହୋସବାଲେ କହିଥିଲେ ଯେ, ଅଯୋଧ୍ୟା ରାମ ମନ୍ଦିରରେ ଦାନ ଅର୍ଥ ଚୋରି ଘଟଣା ଯୋଗୁ ରାମ ଭକ୍ତ ଏବଂ ସମଗ୍ର ହିନ୍ଦୁ ସମାଜର ଆସ୍ଥାକୁ ଗଭୀର ଆଘାତ ଲାଗିଛି। ଏହି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ କଠୋରରୁ କଠୋର ଦଣ୍ଡ ମିଳିବା ଉଚିତ। ଏଥିସହ ହିନ୍ଦୁ ବିରୋଧୀ ଶକ୍ତିମାନେ ଏହି ଘଟଣାର ସୁଯୋଗ ନେଇ ହିନ୍ଦୁ ଧର୍ମକୁ ବଦନାମ କରିବାକୁ ଚେଷ୍ଟା କରୁଛନ୍ତି, ତେଣୁ ଏହି କଠିନ ସମୟରେ ସମସ୍ତେ ଧୌର୍ଯ୍ୟ ଓ ଶାନ୍ତି ବଜାୟ ରଖନ୍ତୁ ଯେପରି ଏଭଳି ଷଡ଼ଯନ୍ତ୍ର ବିଫଳ ହେବ।

ଏହି ଦାନ ଚୋରି ମାମଲାର ତଦନ୍ତ ପାଇଁ ଗଠିତ ଏସଆଇଟି (SIT)ର ପ୍ରାଥମିକ ରିପୋର୍ଟ ଉପରେ ଆଲୋଚନା କରିବା ପାଇଁ ସୋମବାର ଦିନ ଅଯୋଧ୍ୟାର ମଣି ରାମଦାସ ଛାଉଣୀଠାରେ ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ସଦସ୍ୟମାନେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିବେ। ବର୍ତ୍ତମାନ ଏହି ଅଭିଯୋଗର ଦୁଇଟି ସମାନ୍ତରାଳ ତଦନ୍ତ ଚାଲିଛି; ଗୋଟିଏ ପଟେ ସ୍ପେଶାଲ ଇନଭେଷ୍ଟିଗେସନ ଟିମ (SIT) ଏହାର ତଦନ୍ତ କରୁଛି (ଯାହାର କାର୍ଯ୍ୟକାଳ ଜୁଲାଇ ଶେଷ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି) ଏବଂ ଅନ୍ୟପଟେ ପୋଲିସ ମଧ୍ୟ ଏହାର ତଦନ୍ତ କରୁଛି।

Dharitri – Odisha’s No.1 Odia Daily