ରାଜ୍ୟବ୍ୟାପୀ 'ଓମସା'ର କାର୍ଯ୍ୟବନ୍ଦ ଆନ୍ଦୋଳନ, ମୟୂରଭଞ୍ଜ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତରୀ ସେବା ସମ୍ପୂର୍ଣ୍ଣ ଠପ୍

Jul 01, 2026 - 11:36
ରାଜ୍ୟବ୍ୟାପୀ 'ଓମସା'ର କାର୍ଯ୍ୟବନ୍ଦ ଆନ୍ଦୋଳନ, ମୟୂରଭଞ୍ଜ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତରୀ ସେବା ସମ୍ପୂର୍ଣ୍ଣ ଠପ୍

​ବାରିପଦା: ଆଜିଠୁ ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ । ଅନିର୍ଦ୍ଦିଷ୍ଟକାଳ ପାଇଁ ରାଜ୍ୟରେ ରୋଗୀ ସେବା ବନ୍ଦ ।  ୧୦ ଦଫା ଦାବି ନେଇ ଓଡ଼ିଶା ମେଡିକାଲ ସର୍ଭିସେସ ଆସୋସିଏସନ (ଓମସା) ଆକ୍ସନ କମିଟିର ଆହ୍ୱାନ କ୍ରମେ ଆଜି ଅର୍ଥାତ ଜୁଲାଇ ୧ ତାରିଖଠାରୁ ସମସ୍ତ ସରକାରୀ ଚିକିତ୍ସାଳୟରେ ଡାକ୍ତରମାନେ ସମ୍ପୂର୍ଣ୍ଣ କାର୍ଯ୍ୟ ବନ୍ଦ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ସବୁଠାରୁ ଚିନ୍ତାଜନକ ବିଷୟ ହେଉଛି, ଚଳିତ ଆନ୍ଦୋଳନରେ ସାଧାରଣ ଚିକିତ୍ସା ସହିତ ଜରୁରୀକାଳୀନ ସେବାକୁ ମଧ୍ୟ ସମ୍ପୂର୍ଣ୍ଣ ଭାବେ ବନ୍ଦ ରଖାଯାଇଛି, ଯାହା ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କ ମଧ୍ୟରେ ଭୟ ସୃଷ୍ଟି କରିଛି। 'ଓମସା'ର କାର୍ଯ୍ୟବନ୍ଦ ଆନ୍ଦୋଳନ ଯୋଗୁଁ ରାଜ୍ୟ ସମେତ ମୟୂରଭଞ୍ଜ ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟରେ ସ୍ୱାସ୍ଥ୍ୟ ସେବା ଗୁରୁତର ଭାବେ ବିପର୍ଯ୍ୟସ୍ତ ହୋଇଛି। 

ସଂଘ ପକ୍ଷରୁ ଜାରି କରାଯାଇଥିବା ସୂଚନା ଅନୁଯାୟୀ, ଡାକ୍ତରମାନଙ୍କର ଦୀର୍ଘଦିନର ନ୍ୟାୟସଙ୍ଗତ ଏବଂ ବୈଧ ଦାବିଗୁଡ଼ିକ ପ୍ରତି ସରକାର ଓ ପ୍ରଶାସନ ଲଗାତାର ଭାବେ ଅବହେଳା ପ୍ରଦର୍ଶନ କରିଆସୁଛନ୍ତି। ବାରମ୍ବାର ଅନୁରୋଧ ସତ୍ତ୍ୱେ କୌଣସି ସକାରାତ୍ମକ ପଦକ୍ଷେପ ନିଆନଯିବାରୁ ବାଧ୍ୟ ହୋଇ ସଂଘ ଏହି ଚରମ ନିଷ୍ପତ୍ତି ଗ୍ରହଣ କରିଛି। ଏକ ଉତ୍ତମ କାର୍ଯ୍ୟ ପରିବେଶ, କର୍ମଚାରୀଙ୍କ ସମ୍ମାନ ଏବଂ ରୋଗୀଙ୍କ ସୁରକ୍ଷିତ ସ୍ୱାସ୍ଥ୍ୟ ସେବା ପାଇଁ ଏହି ସଂଗ୍ରାମ ଜାରି ରହିବ ବୋଲି ସଂଘ ପକ୍ଷରୁ ସ୍ପଷ୍ଟ କରାଯାଇଛି।

ଆନ୍ଦୋଳନ ଯୋଗୁଁ ରାଜ୍ୟର ସମସ୍ତ ସରକାରୀ ଚିକିତ୍ସା ପ୍ରତିଷ୍ଠାନରେ କୌଣସି ସେବା ଉପଲବ୍ଧ ହେବ ନାହିଁ। ବିଶେଷ କରି ଓପିଡି ବା ବାହ୍ୟ ରୋଗୀ ବିଭାଗ),​ଆଇପିଡି ବା ଆନ୍ତଃରୋଗୀ ବିଭାଗ, ​ନିର୍ଦ୍ଧାରିତ ଚିକିତ୍ସା ଓ ଅପରେସନ ପ୍ରକ୍ରିୟା,​ନିଦାନମୂଳକ ସେବା (ଯଥା: ରକ୍ତ ପରୀକ୍ଷା, ଏକ୍ସ-ରେ ଇତ୍ୟାଦି),​ଜରୁରୀକାଳୀନ ସେବା  ସମ୍ପୂର୍ଣ୍ଣ ରୂପେ ବନ୍ଦ ରଖିବାକୁ ଓମସା ନିର୍ଦ୍ଦେଶ ଦେଇଛି। ଆନ୍ଦୋଳନ ଯୋଗୁଁ ଜନସାଧାରଣ ଓ ରୋଗୀମାନଙ୍କର ଯେଉଁ ଅସୁବିଧା ହେଉଛି, ସେଥିପାଇଁ ସଂଘ ପକ୍ଷରୁ ଦୁଃଖ ପ୍ରକାଶ କରାଯାଇଛି। ଏହା ସହିତ ନିଜର ହକ୍, ନ୍ୟାୟ ଏବଂ ସ୍ୱାସ୍ଥ୍ୟ ସେବାର ସମ୍ମାନ ପାଇଁ ଚାଲିଥିବା ଏହି ଆନ୍ଦୋଳନକୁ ସମର୍ଥନ କରିବାକୁ ଓଡ଼ିଶାବାସୀଙ୍କୁ ଓମସା ନିବେଦନ କରିଛି।

ମୟୂରଭଞ୍ଜ ଜିଲ୍ଲାର ଦୂରଦୂରାନ୍ତ ତଥା ଗ୍ରାମାଞ୍ଚଳରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଉପରେ ନିର୍ଭର କରୁଥିବା ଶହ ଶହ ଗରିବ ରୋଗୀ ଏହି ଧର୍ମଘଟ ଯୋଗୁଁ ହନ୍ତସନ୍ତ ହେଉଥିବା ଦେଖିବାକୁ ମିଳିଛି। ଜରୁରୀକାଳୀନ ସେବା ବନ୍ଦ ରହିଥିବାରୁ ସ୍ଥିତି ଅତି ସଂଗୀନ ରୂପ ଧାରଣ କରିବା ଆଶଙ୍କା ପ୍ରକାଶ ପାଇଛି। ଏଭଳି ସ୍ଥିତିରେ ସରକାର ଓମସା ସହିତ ଆଲୋଚନା କରି କେବେ ଏବଂ କିଭଳି ସମାଧାନର ପନ୍ଥା ବାହାର କରୁଛନ୍ତି, ତାହା ଉପରେ ସମସ୍ତଙ୍କ ନଜର ରହିଛି।