Welcome!

Unlock your personalized experience.
Sign Up

ରାଜ୍ୟପାଳଙ୍କ ପରାମର୍ଶ: ରନ୍ଧନ ତୈଳ ଉତ୍ପାଦନ ବଢ଼ାଅ, ମଜବୁତ ହେବ ଜାତୀୟ ଅର୍ଥନୀତି

Jul 31, 2026 - 19:28
ରାଜ୍ୟପାଳଙ୍କ ପରାମର୍ଶ: ରନ୍ଧନ ତୈଳ ଉତ୍ପାଦନ ବଢ଼ାଅ, ମଜବୁତ ହେବ ଜାତୀୟ ଅର୍ଥନୀତି

ଭୁବନେଶ୍ବର (ପ୍ରମେୟ ଡିଜିଟାଲ): ଜାତୀୟ ଖାଦ୍ୟ ତୈଳ ମିଶନଅଏଲ ପାମ୍ ଅନ୍ତର୍ଗତ ରନ୍ଧନ ତୈଳ ଉତ୍ପାଦନ ବୃଦ୍ଧି ଉପରେ ଓଡ଼ିଶାର ରାଜ୍ୟପାଳ ଡଃ ହରିବାବୁ କମ୍ଭମପାଟି ଗୁରୁତ୍ବାରୋପ କରିଛନ୍ତି । ଶୁକ୍ରବାର ଦିନ ମିଶନଅଏଲ ପାମ (NMEO-OP)ର କାର୍ଯ୍ୟକାରିତାର ସ୍ଥିତି ଉପରେ ଲୋକଭବନର ନ୍ୟୁ ଅଭିଷେକ ହଲ ଠାରେ ଆୟୋଜିତ ବୈଠକରେ ରାଜ୍ୟପାଳ ଭାରତର ଆମଦାନି ନିର୍ଭରତା କମାଇବା ପାଇଁ ଘରୋଇ ଖାଦ୍ୟ ତୈଳ ଉତ୍ପାଦନ ବୃଦ୍ଧି କରିବାର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ । ଏହା ଜାତୀୟ ଅର୍ଥନୀତିକୁ ମଜବୁତ କରିବ, ବିଦେଶୀ ମୂଦ୍ରା ସଞ୍ଚୟ କରିବ ଏବଂ ଖାଦ୍ୟ ନିରାପତ୍ତା ବଢ଼ାଇବ ବୋଲି ରାଜ୍ୟପାଳ କହିଥିଲେ ।

ସେ କହିଲେ, କୃଷିପ୍ରଧାନ ଦେଶ ହୋଇଥିବା ସତ୍ତ୍ବେ ଭାରତ ଏପର୍ଯ୍ୟନ୍ତ ପ୍ରଚୁର ପରିମାଣରେ ଖାଦ୍ୟ ତୈଳ ଆମଦାନି କରୁଛି। ଆମଦାନି କମାଇ ଘରୋଇ ଉତ୍ପାଦନ ବୃଦ୍ଧି କରିପାରିଲେ ଦେଶର ଅର୍ଥନୀତି ମଜବୁତ୍ ହେବ। ଆତ୍ମନିର୍ଭର ଭାରତର ଦୃଷ୍ଟିକୋଣର ଏକ ଗୁରୁତ୍ବପୂର୍ଣ୍ଣ ସ୍ତମ୍ଭ ଭାବେ ଏହି ମିଶନକୁ ବର୍ଣ୍ଣନା କରି ରାଜ୍ୟପାଳ କହିଥିଲେ ଯେ ଘରୋଇ ଖାଦ୍ୟ ତୈଳ ଉତ୍ପାଦନ ବୃଦ୍ଧି କେବଳ ଆମଦାନୀ ନିର୍ଭରତା କମାଇବ ନାହିଁ ବରଂ ଅର୍ଥନୈତିକ ସ୍ଥିରତା ବଢ଼ାଇବା ସହିତ ବିଶ୍ବ ବଜାରର ଯୋଗାଣ ଶୃଙ୍ଖଳା ବ୍ୟାଘାତ ଏବଂ ଆନ୍ତର୍ଜାତୀୟ ମୂଲ୍ୟର ଉତଥାନ ପତନରୁ ଦେଶକୁ ରକ୍ଷା କରିବ। ପାମ୍ ତୈଳ ହେଉଛି ସବୁଠାରୁ ଅଧିକ ଉତ୍ପାଦନକ୍ଷମ ତୈଳବୀଜ ଫସଲ । ଏହା ପାରମ୍ପରିକ ତୈଳବୀଜ ତୁଳନାରେ ପ୍ରତି ଏକକ କ୍ଷେତ୍ରରେ ଚାରିରୁ ପାଞ୍ଚ ଗୁଣ ଅଧିକ ତୈଳ ଉତ୍ପାଦନ ହୋଇଥାଏ । ଥରେ ରୋପିତ ହେଲେ ଏହି ବଗିଚା ପ୍ରାୟ ତିରିଶ ବର୍ଷ ପର୍ଯ୍ୟନ୍ତ ଉତ୍ପାଦନକ୍ଷମ ରହି କୃଷକଙ୍କୁ ସ୍ଥିର ଓ ଦୀର୍ଘମିୟାଦୀ ଆୟର ଉତ୍ସ ପ୍ରଦାନ କରେ ।

ଓଡ଼ିଶାରେ ସମ୍ଭାବନା ସମ୍ପର୍କରେ ଉଲ୍ଲେଖ କରି ରାଜ୍ୟପାଳ କହିଥିଲେ ଯେ, ଅନୁକୂଳ କୃଷି-ଜଳବାୟୁ ପରିସ୍ଥିତି ଏବଂ ବିସ୍ତୃତ ଚାଷପୋଯୋଗୀ ଜମି ସହିତ ଓଡ଼ିଶା ଭାରତର ଖାଦ୍ୟ ତୈଳ ସ୍ୱାବଲମ୍ବନଶୀଳତାରେ ଏକ ପ୍ରମୁଖ ଅବଦାନ ରଖୁଥିବା ରାଜ୍ୟ ଭାବେ ଉଭା ହେବାର ପୂର୍ଣ୍ଣ ସମ୍ଭାବନା ରହିଛି । ଏହି ମିଶନ ଫସଲ ବିବିଧକରଣ, ଗ୍ରାମୀଣ ରୋଜଗାର ସୃଷ୍ଟି, କୃଷିଆଧାରିତ ଶିଳ୍ପକୁ ପ୍ରୋତ୍ସାହନ, ବେସରକାରୀ ବିନିଯୋଗର ଆକର୍ଷଣ ଏବଂ ପ୍ରକ୍ରିୟାକରଣ, ଲଜିଷ୍ଟିକ୍ସ ଓ ବିପଣନ କ୍ଷେତ୍ରରେ ସୁଯୋଗ ସୃଷ୍ଟି କରି କୃଷକଙ୍କୁ ଅଧିକ ଓ ସ୍ଥିର ଆୟ ପ୍ରଦାନ କରିବ ବୋଲି ରାଜ୍ୟପାଳ କହିଥିଲେ।କୃଷି ଓ କୃଷକ ସଶକ୍ତିକରଣ ବିଭାଗର ବରିଷ୍ଠ ଅଧିକାରୀ, ଉଦ୍ୟାନ ନିର୍ଦ୍ଦେଶାଳୟ, ପାମ୍ ତୈଳ କମ୍ପାନୀର ପ୍ରତିନିଧି ଏବଂ ଲୋକ ଭବନର ଅଧିକାରୀମାନେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

ଏହାସହ ପଢ଼ନ୍ତୁ: ଅଗଷ୍ଟ ୫ରୁ ଭୁବନେଶ୍ୱରରେ ବ୍ରିକ୍ସ-ଭାରତ ଅଧ୍ୟକ୍ଷତାର ଶିକ୍ଷା କ୍ଷେତ୍ର ବୈଠକ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।