ରଥଯାତ୍ରା ପାଇଁ ପୁରୀ ପ୍ରଶାସନର ଯୁଦ୍ଧକାଳୀନ ପ୍ରସ୍ତୁତି

Jun 09, 2026 - 16:18
ରଥଯାତ୍ରା ପାଇଁ ପୁରୀ ପ୍ରଶାସନର ଯୁଦ୍ଧକାଳୀନ ପ୍ରସ୍ତୁତି

ପୁରୀ : ଚଳିତ ବର୍ଷ ରଥଯାତ୍ରା ପାଇଁ ରାଜ୍ୟ ସରକାରଙ୍କ ବଡ଼ ପ୍ରସ୍ତୁତି । ପ୍ରଥମ ଥର ପାଇଁ ପ୍ରସ୍ତୁତ ହୋଇଛି 'ସେଫ୍ ଓ ଇନସିଡେଣ୍ଟ ଫ୍ରି' ରଥଯାତ୍ରା । ଏଥିପାଇଁ ରାଜ୍ୟସରକାର ଏକ ସ୍ୱତନ୍ତ୍ର 'ଡୁଆଲ ମ୍ୟାନେଜମେଣ୍ଟ ପ୍ଲାନ' ତିଆରି କରିଛନ୍ତି । ସେହିଭଳି ହିଟ୍‌ୱେଭ୍ ଏବଂ ମୌସୁମୀ ବର୍ଷାକୁ ଆଖି ଆଗରେ ରଖି ପ୍ରଶାସନ ପକ୍ଷରୁ ଡବଲ ପ୍ରିପେୟାର୍‌ନେସ୍ କରାଯାଇଛି ।

ଚଳିତ ବର୍ଷ ଶ୍ରୀକ୍ଷେତ୍ରରେ ହେବ ଜିରୋ ଡ୍ରାଉନିଂ ଏବଂ ଜିରୋ କାଜୁଆଲିଟି । ଏଥିପାଇଁ ରାଜ୍ୟ ସରକାର ପ୍ରସ୍ତୁତ କରିଛନ୍ତି ଏକ ମାଷ୍ଟର ବ୍ଲୁ ପ୍ରିଣ୍ଟ । ଜରୁରୀକାଳୀନ ବିଭାଗକୁ ନେଇ ଅଗ୍ନିଶମ ଡିଜିଙ୍କ ଅଧ୍ୟକ୍ଷତାରେ ବସିଥିବା ସମୀକ୍ଷା ବୈଠକରେ ଏହି 'ଡୁଆଲ ମ୍ୟାନେଜମେଣ୍ଟ ପ୍ଲାନ' ଉପରେ ମୋହର ବାଜିଛି ।

ରଥଯାତ୍ରା ସମୟରେ ପ୍ରବଳ ଗରମ ଓ ଗୁଳୁଗୁଳିରୁ ଭକ୍ତଙ୍କୁ ଆଶ୍ୱସ୍ତି ଦେବା ପାଇଁ ୧୮ରୁ ୨୦ଟି ସ୍ୱତନ୍ତ୍ର ଗାଡ଼ି ମାଧ୍ୟମରେ ବଡ଼ଦାଣ୍ଡରେ ପାଣି ସିଞ୍ଚନ କରାଯିବ । ଏଥିସହ ଅତ୍ୟାଧୁନିକ କ୍ଷମତାସମ୍ପନ୍ନ ବ୍ଲୋୟର୍ ମଧ୍ୟ ମୁତୟନ କରାଯିବ । ମୌସୁମୀ ବର୍ଷା ଯୋଗୁଁ ଯଦି ବଡ଼ଦାଣ୍ଡରେ ଜଳବନ୍ଦୀ ସ୍ଥିତି ସୃଷ୍ଟି ହୁଏ, ତେବେ ମାତ୍ର ୧ ମିନିଟ୍‌ରେ ୪୨୦୦ ଲିଟର ଜଳ ନିଷ୍କାସନ କରିପାରୁଥିବା ଅତ୍ୟାଧୁନିକ ପମ୍ପ ବ୍ୟବହାର କରାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି ।

କେବଳ ବଡ଼ଦାଣ୍ଡ ନୁହେଁ, ପୁରୀ ବେଳାଭୂମି ଉପରେ ମଧ୍ୟ ରହିଛି ସ୍ୱତନ୍ତ୍ର ନଜର । ସମୁଦ୍ରରେ ଅଘଟଣକୁ ରୋକିବା ପାଇଁ ଅଗ୍ନିଶମ ବିଭାଗର ୨୫ ଜଣ ଲାଇଫ୍ ଗାର୍ଡଙ୍କୁ ଆନ୍ତର୍ଜାତୀୟ ସ୍ତରର ପ୍ରଶିକ୍ଷଣ ଦିଆଯାଇଛି । ବେଳାଭୂମିରେ ୫ଟି ଫାଷ୍ଟ ଏଡ୍ ସେଣ୍ଟର ସହ ଲାଇଫ୍ ସେଭିଂ ଆମ୍ବୁଲାନ୍ସ ମୁତୟନ ରହିବ ।

ସେହିଭଳି, ସ୍ନାନଯାତ୍ରା ପୂର୍ବରୁ ୩୦୦ ୟୁନିଟ୍ ରକ୍ତ ପ୍ରସ୍ତୁତ ରହିବ, ଯାହା ୪୫ ଦିନ ପର୍ଯ୍ୟନ୍ତ ସଂରକ୍ଷିତ ରହିପାରିବ। ପୁରୀ ମୁଖ୍ୟ ମେଡିକାଲର ନୂଆ ବିଲ୍ଡିଂରେ ୧୫୦ ଶଯ୍ୟା ଏବଂ ଅତିରିକ୍ତ ୮୦ଟି ଶଯ୍ୟା ପ୍ରସ୍ତୁତ ରଖାଯାଇଛି। ବଡ଼ଦାଣ୍ଡରେ ୩୦ଟି ଫାଷ୍ଟ ଏଡ୍ ସେଣ୍ଟର ସହ ୮ଟି ଅସ୍ଥାୟୀ ହସ୍ପିଟାଲ୍‌ରେ MBBS ଡାକ୍ତର ଉପସ୍ଥିତ ରହିବେ ।

ସେପଟେ, ଘୋଷଯାତ୍ରା ଲାଗି ପୁରୀରେ ଜୋରସୋରରେ ଚାଲିଛି ଶ୍ରୀଜିଉଙ୍କ ରଥ ନିର୍ମାଣ। ତିନିରଥର ଛନ୍ଦା ଗୟଳ ମୋଡା ଓ ପ୍ରଥମ ଭୂଇଁ କାର୍ଯ୍ୟ ଶେଷ କରାଯାଇଛି। ତିନିରଥର ମୋଟ ୩୨ ଗୋଟି ପୋଲ ଗୟଳ ଏବଂ ଛନ୍ଦା ଗୟଳ ମୋଡା ଯାଇ କଣ୍ଟା ବସାଯାଇଛି। ଶେଷ ପର୍ଯ୍ୟାୟରେ ତିନି ରଥର ୪୪ ଗୋଟି ଯୋକା ଫିଟିଙ୍ଗ କାର୍ଯ୍ୟ। ଏହି ଯୋକା ଗୁଡ଼ିକ ରଥର ଚତୁର୍ପାର୍ଶ୍ୱ କୋଣ ମାନଙ୍କରେ ଲଗାଯାଉଛି। ରୂପକାର ସେବକ ମାନେ ତିନିରଥର ବେଦୀ ସିଂହାସନ ମୁହାଁଟିରେ ଚିତ୍ର ରୂପ ଖୋଦେଇ ଶେଷ କରିବା ସହ ରୁପ ଗୁଡ଼ିକର ପଲିସ୍ କାର୍ଯ୍ୟ ଶେଷ କରିଛନ୍ତି। ତିନିରଥର ୮ ଟି ଲେଖାଏଁ ନାଟ ଗୋଡ଼ରେ କନ୍ଦର୍ପ ରୂପ ଖୋଦେଇ ଜାରି ରହିଛି। 

 

 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।