ଯକ୍ଷ୍ମା ମୁକ୍ତ ଭାରତ ଗଠନରେ ଛାତ୍ରଛାତ୍ରୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ
ଭଞ୍ଜନଗର,୪।୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ମଙ୍ଗଳବାର ‘ଟିବି ମୁକ୍ତ ଭାରତ ଅଭିଯାନ’ ଅନ୍ତର୍ଗତ ଯକ୍ଷ୍ମା ରୋଗ ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟ ଏନ୍ସିସି ଆର୍ମି ୱିଙ୍ଗ, ନାଭାଲ ୱିଙ୍ଗ, ଜାତୀୟ ସେବା ଯୋଜନା (ଏନଏସଏସ) କୋ-ୟୁନିଟ, ବାଳିକା ୟୁନିଟ ଓ ଯୁବ ରେଡକ୍ରସ୍ର ମିଳିତ ସହଯୋଗରେ ଏହି ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। କଲେଜ ଅଧ୍ୟକ୍ଷ ଡ. ଗଗନ ବିହାରୀ ପୁରୋହିତ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ଯକ୍ଷ୍ମା ରୋଗର କାରଣ, ଲକ୍ଷଣ ଓ ନିରାକରଣ ସମ୍ପର୍କରେ ଆଲୋକପାତ କରିଥିଲେ। ଟିବି ମୁକ୍ତ ଭାରତ ଗଠନରେ ଛାତ୍ରୀଛାତ୍ରଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ । ତେଣୁ ଛାତ୍ରୀଛାତ୍ରମାନେ ଦୃଷ୍ଟି ଦେଇ ଏନେଇ ଆବଶ୍ୟକ ପଦକ୍ଷେପ ନେବାକୁ ଉପସ୍ଥିତ ଛାତ୍ରୀଛାତ୍ରଙ୍କୁ ଅଧ୍ୟକ୍ଷ ଆହ୍ବାନ କରିଥିଲେ। ସାଧନବ୍ୟକ୍ତି ଭାବେ ଜାତୀୟ ଯକ୍ଷ୍ମା ନିରାକରଣ କାର୍ଯ୍ୟକ୍ରମ, ଭଞ୍ଜନଗର ବ୍ଲକ ସୁପରଭାଇଜର ବେଦବ୍ରତ ଦାସ ଯୋଗଦେଇ ଯକ୍ଷ୍ମା ରୋଗ ସମ୍ପର୍କରେ ବିସ୍ତୃତ ସଚେତନତା ସୃଷ୍ଟି କରିବା ସହ ନିୟମିତ ବ୍ୟବଧାନରେ ସ୍ବାସ୍ଥ୍ୟ ପରୀକ୍ଷା କରାଯିବା ଉଚିତ୍। ସମୟୋପଯୋଗୀ ଚିହ୍ନଟ ଓ ନିୟମିତ ଚିକିତ୍ସା ଦ୍ୱାରା ଯକ୍ଷ୍ମାକୁ ନିୟନ୍ତ୍ରଣ କରାଯାଇପାରିବ ବୋଲି ସେ କହିଥିଲେ। ନାଭାଲ ୱିଙ୍ଗର ସିଟିଓ ବିଦେଶୀ ରାଉତ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ଏନଏସଏସ ବାଳିକା ଶାଖାର ଯୋଜନା ଅଧିକାରୀଣୀ ସସ୍ମିତା କୁମାରୀ ଦାସ, କୋ-ୟୁନିଟ ଯୋଜନା ଅଧିକାରୀ ବାବୁଲା ପ୍ରଧାନ, ଏନସିସି ଆର୍ମି ୱିଙ୍ଗର ସିଟିଓ ଅର୍ପଣ ପ୍ରଧାନ, ଯୁବ ରେଡକ୍ରସ ଅଧିକାରୀ ଡ. ସୀମାଞ୍ଚଳ ବେହେରା, ଅଧ୍ୟାପକ ଡ. ରବୀନ୍ଦ୍ର କୁମାର ମିଶ୍ର, ଅଧ୍ୟାପକ ଆର୍. ହରିଶ, ଆଇକ୍ୟୁଏସି ସଂଯୋଜକ ଡ. ଦେବାଶିଷ ସ୍ବାଇଁ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରି ଯକ୍ଷ୍ମା ନିରାକରଣ ଓ ସଚେତନତାର ଗୁରୁତ୍ୱ ଉପରେ ନିଜର ମତ ରଖିଥିଲେ।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।