ମୋ ବିଶ୍ୱାସ ଭାଙ୍ଗିଦେଇଥିଲା ପୋଲିସ: ଜାଣନ୍ତୁ କାହିଁକି ଏମିତି କହିଲେ ବିଜୟ

Jul 10, 2026 - 14:45
ମୋ ବିଶ୍ୱାସ ଭାଙ୍ଗିଦେଇଥିଲା ପୋଲିସ: ଜାଣନ୍ତୁ କାହିଁକି ଏମିତି କହିଲେ ବିଜୟ

ନୂଆଦିଲ୍ଲୀ,୧୦।୭: ୨୦୨୫ରେ କରୁରରେ ଘଟିଥିବା ଦୁଃଖଦ ଦଳାଚକଟା ଉପରେ ଗଭୀର ଦୁଃଖ ପ୍ରକାଶ କରି ତାମିଲନାଡୁ ମୁଖ୍ୟମନ୍ତ୍ରୀ ବିଜୟ କହିଛନ୍ତି। ଏହି ଘଟଣା ସମଗ୍ର ରାଜ୍ୟକୁ ଗଭୀର ଶୋକରେ ଡୁବାଇ ଦେଇଛି। ଶୁକ୍ରବାର ଭାଷଣ ଦେଇ ସେ ଉଲ୍ଲେଖ କରିଛନ୍ତି ଯେ, ଏହି ଦୁର୍ଘଟଣାରେ ଅନେକ ପରିବାର ସେମାନଙ୍କ ପିଲାମାନଙ୍କୁ ହରାଇଛନ୍ତି। ଏହା ଏମିତି ଏକ କ୍ଷତି ଯାହାକୁ କେବେ ଭୁଲି ହେବ ନାହିଁ। ମୁଁ ପୋଲିସ ଉପରେ ବିଶ୍ୱାସ କରିଥିଲି, କିନ୍ତୁ ମୋ ଉପରେ ଦୋଷ ଲଦି ଦିଆଯାଇଥିଲା।

କରୁରରେ ଏକ ସମାବେଶକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ବିଜୟ କହିଛନ୍ତି, ଏହି କରୁରରେ ଦଳାଚକଟାରେ ଆମେ ଆମର ଭଉଣୀମାନଙ୍କ ପିଲାମାନଙ୍କୁ ହରାଇଛୁ। ଏହା କେବଳ ଏକ ଦୁର୍ଘଟଣା ନୁହେଁ ବରଂ ସମଗ୍ର ସମାଜ ପାଇଁ ଏକ ଅପୂରଣୀୟ କ୍ଷତି। ସରକାର ପ୍ରଭାବିତ ପରିବାର ସହିତ ଦୃଢ଼ ଭାବରେ ଠିଆ ହୋଇଛି ଏବଂ ଭବିଷ୍ୟତରେ ଏପରି ଘଟଣା ରୋକିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ନିଆଯିବ।
ମୁଖ୍ୟମନ୍ତ୍ରୀ ପୋଲିସ ପ୍ରଶାସନର ଭୂମିକା ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି, ପେରାମ୍ବାଲୁର ପୋଲିସ ଆମକୁ ପୂର୍ବରୁ ସତର୍କ କରାଇ ଦେଇଥିଲା ଯେ, ଭିଡ଼ ପ୍ରବଳ ହେଉଛି, କିନ୍ତୁ କରୁର ପୋଲିସ ଏପରି କୌଣସି ସୂଚନା ଦେଇ ନ ଥିଲା। ସେମାନେ ବ୍ୟକ୍ତିଗତ ଭାବରେ ଆମକୁ ସଭାସ୍ଥଳକୁ ନେଇଯାଇଥିଲେ ଏବଂ ମୁଁ ସେମାନଙ୍କ ଉପରେ ବିଶ୍ୱାସ ରଖିଥିଲି। ଯଦି ଆମକୁ ସମୟ ମଧ୍ୟରେ ପରିସ୍ଥିତି ବିଷୟରେ ଅବଗତ କରାଯାଇଥାନ୍ତା, ତେବେ ଫଳାଫଳ ଭିନ୍ନ ହୋଇଥାନ୍ତା।
ସେ ବିରୋଧୀଙ୍କୁ ମଧ୍ୟ ଟାର୍ଗେଟ କରି କହିଛନ୍ତି, ଏହି ଦୁଃଖଦ ଘଟଣାର ରାଜନୀତିକରଣ କରାଯିବା ଉଚିତ୍‌ ନୁହେଁ। ଏପରି ସମ୍ବେଦନଶୀଳ ପ୍ରସଙ୍ଗରେ ଦୋଷାରୋପ କରିବା ପରିବର୍ତ୍ତେ, ପୀଡିତଙ୍କ ପାଇଁ ନ୍ୟାୟ ସୁରକ୍ଷିତ କରିବା ଏବଂ ଭବିଷ୍ୟତ ପାଇଁ ଉତ୍ତମ ବ୍ୟବସ୍ଥା ସୁନିଶ୍ଚିତ କରିବା ଉପରେ ଧ୍ୟାନ ଦିଆଯିବା ଉଚିତ। ବିଜୟ ‘ଦଳୀୟ ପାଣ୍ଠି’ ସଂଗ୍ରହ କରିବା ଆଳରେ ଦୁର୍ନୀତିର ଅଭିଯୋଗ ଆଣି DMK ଏବଂ AIADMKକୁ ଟାର୍ଗେଟ କରିଥିଲେ।

 

Dharitri – Odisha’s No.1 Odia Daily

 


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।