ମୃତ ଯୁବକଙ୍କ ମିଳିଲା ପରିଚୟ: ସେଲଫି ନେବା ହେଲା କାଳ
କୋକସରା,୩।୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କୋକସରା ବ୍ଲକର ପର୍ଯ୍ୟଟନସ୍ଥଳୀ ଗୁଡହାଣ୍ଡି ଡୋକରୀଚଞ୍ଚରାର ଡୋକରୀଦର ଝରଣା ନିକଟରେ ଗୁରୁବାର ଜଣେ ଯୁବକଙ୍କ ମୃତଦେହ ଦେଖିବାକୁ ମିଳିଥିଲା। ଶୁକ୍ରବାର ସକାଳୁ ଆମପାଣି ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଥିଲେ। ମୃତ ଯୁବକ ଜଣକ ଛତିଶଗଡ଼ ରାଜ୍ୟ ଦେଭୋଗ ଥାନା କର୍ଲାପଡା ଗ୍ରାମର ଲୋକେଶ ଦୁରିଆ (୨୩) ବୋଲି ଜଣାପଡ଼ିଛି। ପରିବାର ଲୋକଙ୍କ ସୂଚନା ଅନୁସାରେ, ଗୁରୁବାର ଲୋକେଶ ଘରୁ ବାହାରିଥିଲେ। ହେଲେ କେଉଁଆଡ଼େ ଯାଉଛନ୍ତି କହି ନ ଥିଲେ। ସାରେ ଗୁଡହାଣ୍ଡି ଡୋକରୀଚଞ୍ଚରା ପର୍ଯ୍ୟଟନ ସ୍ଥଳୀରେ ଏକ ବାଇକ ଠିଆ ହୋଇ ରହିଥିବାରୁ ସ୍ଥାନୀୟ ଲୋକଙ୍କ ସନ୍ଦେହ ହୋଇଥିଲା। ଖୋଜାଖୋଜି କରିବାରୁ ସେଠାରେ ଏକ ମୃତଦେହ ପଡ଼ିଥିବା ଦେଖି ଆମପାଣି ଥାନା ପୋଲିସକୁ ଖବର ଦେଇଥିଲେ। ପାଖରେ ଥିବା ବାଇକ୍ ଦେଖିବା ପରେ ପରିଚୟ ପାଇଁ ପୋଲିସ ପ୍ରୟାସ ଆରମ୍ଭ କରିଥିଲା। ଶୁକ୍ରବାର ସକାଳେ ପରିବାର ଲୋକଙ୍କ ଉପସ୍ଥିତିରେ ଝରଣା ନିକଟରୁ ମୃତଦେହ ଉଦ୍ଧାର କରାଯାଇ ବ୍ୟବଚ୍ଛେଦ ପାଇଁ କୋକସରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲା। ସେଠାରେ ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ପୋଲିସ ପ୍ରାଥମିକ ତଦନ୍ତରୁ ସେଲଫି ନେବା ସମୟରେ ଗୋଡ଼ ଖସି ଦୁର୍ଘଟଣା ଘଟିଥିବା ଅନୁମାନ କରିଛି।
The post ମୃତ ଯୁବକଙ୍କ ମିଳିଲା ପରିଚୟ: ସେଲଫି ନେବା ହେଲା କାଳ appeared first on Dharitri Odia News.