ମାଲକାନଗିରି କେରିମେଟି ଜଙ୍ଗଲରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଓ ବିସ୍ଫୋରକ ଜବତ

ମାଲକାନଗିରି: ମାଟି ତଳୁ ଜବତ ହେଲା ମାଓ ବିସ୍ଫୋରକ । ମାଲକାନଗିରି ଜିଲ୍ଲା ମାଥିଲି ଥାନା କେରିମେଟି ଜଙ୍ଗଲରୁ ମିଳିଲା ମାଓ ସାମଗ୍ରୀ । ମଙ୍ଗଳବାର ସକାଳେ ଡିଷ୍ଟ୍ରିକ୍ଟ ଭଲ୍ୟୁଣ୍ଟାରୀ ଫୋର୍ସ ଏବଂ ସୀମା ସୁରକ୍ଷା ବଳର ମିଳିତ ଟିମ୍ ମାଲକାନଗିରି ଜିଲ୍ଲାର ଘଞ୍ଚ ଜଙ୍ଗଲରୁ ଏକ ବଡ଼ ମାଓ ଡମ୍ପ୍ ଠାବ କରିଛନ୍ତି। ଏଠାରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର, ଗୁଳିଗୋଳା, ଆଇଇଡି ସାମଗ୍ରୀ ଏବଂ ବିସ୍ଫୋରକ ଜବତ କରାଯାଇଛି।
ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କୁ ପଚରାଉଚରା ବେଳେ ମିଳିଥିବା ଗୁଇନ୍ଦା ସୂଚନା ଆଧାରରେ ଏହି ଅପରେସନ୍ କରାଯାଇଥିଲା। ମାଥିଲି ଥାନା ଅନ୍ତର୍ଗତ କେରିମେଟି ଏବଂ କାଟୁଆପଦର ଜଙ୍ଗଲ ଅଞ୍ଚଳରେ ସୁରକ୍ଷା ବାହିନୀ ପକ୍ଷରୁ ଏକ ବଡ଼ ଧରଣର ସର୍ଚ୍ଚ ଅପରେସନ୍ ଆରମ୍ଭ କରାଯାଇଥିଲା। ଏହି ଅଞ୍ଚଳ ଛତିଶଗଡ଼ର ବସ୍ତର ଜିଲ୍ଲା ଦୁର୍ଭା ଥାନା ସୀମାନ୍ତରେ ଅବସ୍ଥିତ। ଏହି ବିସ୍ଫୋରକ ସାମଗ୍ରୀ ଆନ୍ଧ୍ର-ଓଡ଼ିଶା ବର୍ଡର ସ୍ପେଶାଲ୍ ଜୋନାଲ୍ କମିଟି (AOBSZC) କ୍ୟାଡରଙ୍କର ବୋଲି ସନ୍ଦେହ କରାଯାଉଛି।
ସାଧାରଣ ନାଗରିକ ଏବଂ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ୍ କରିବା ତଥା ଅଞ୍ଚଳରେ ହିଂସାତ୍ମକ କାର୍ଯ୍ୟକଳାପ ଘଟାଇବା ପାଇଁ ଏସବୁ ସାମଗ୍ରୀ ଗଚ୍ଛିତ ରଖାଯାଇଥିଲା ବୋଲି ପୋଲିସ ସନ୍ଦେହ କରୁଛି। ଉଦ୍ଧାର ହୋଇଥିବା ପ୍ରାୟ ୩୨ ପ୍ରକାରର ସାମଗ୍ରୀ ମଧ୍ୟରେ ୫୦ଟି ଖାଲି ଡିଟୋନେଟର କ୍ୟାପ୍, ୬ଟି କ୍ରାକର୍, ୩.୫ କେଜି ଗନ୍ ପାଉଡର ଏବଂ ୨୦ କେଜି ସ୍ପ୍ଲିଣ୍ଟର ରହିଛି। ଏହା ସହିତ ତାର, ରୁଟ୍ସ ଅଟୋ ଡିଭାଇସ୍, କୋଡେକ୍ସ ତାରର ବଣ୍ଡଲ୍, ରିଚାର୍ଜେବଲ୍ ବ୍ୟାଟେରୀ, ୧୫ଟି ଏଚପି ପ୍ରିଣ୍ଟର କାର୍ଟ୍ରିଜ୍, ୧୯ଟି ସିରିଞ୍ଜ, ୧୫ ବଣ୍ଡଲ୍ ତୁଳା, ୧୦ଟି ସାଲାଇନ୍ ବୋତଲ ଓ ପାଇପ୍, ଟେଣ୍ଟ ସାମଗ୍ରୀ, ବେଲ୍ଟ, ଛୁରୀ, କଇଞ୍ଚି ଏବଂ କିଛି ମାଓବାଦୀ ସାହିତ୍ୟ ବହି ଜବତ ହୋଇଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAKALA - ସକାଳ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।