ମାଗଣା ଅଟୋ ଆମ୍ବୁଲାନ୍ସ ସେବା ଯୋଗାଇଦେଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର:ଗର୍ଭବତୀ-ପ୍ରସୂତି ପାଇବେ ସୁବିଧା

Jul 27, 2026 - 21:36
ମାଗଣା ଅଟୋ ଆମ୍ବୁଲାନ୍ସ ସେବା ଯୋଗାଇଦେଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର:ଗର୍ଭବତୀ-ପ୍ରସୂତି ପାଇବେ ସୁବିଧା

ଦିଗପହଣ୍ଡି,୨୭।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୈଠଖଣ୍ଡି ପଞ୍ଚାୟତ କାର୍ଯ୍ୟାଳୟରେ ଗଞ୍ଜାମ ଜିଲା ସ୍ବାସ୍ଥ୍ୟ ବିଭାଗ ଓ ଜିଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ‘ନିରୀକ୍ଷଣ ସାଥି’ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି। ଦିଗପହଣ୍ଡି ବିଧାୟକ ଡ଼.ସିଦ୍ଧାନ୍ତ ମହାପାତ୍ର ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ ରାଜ୍ୟସରକାରଙ୍କ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଯୋଗାଇ ଦିଆଯାଉଥିବା ବିଭିନ୍ନ ଯୋଜନା ସମ୍ପର୍କରେ ଉପସ୍ଥିତ ଗ୍ରାମବାସୀମାନଙ୍କୁ ସଚେତନ କରିଥିଲେ। ପରେ ଦୁର୍ଗମ ଗ୍ରାମାଞ୍ଚଳରେ ବସବାସ କରୁଥିବା ଗର୍ଭବତୀ ପ୍ରସୂତି ଏବଂ ଶିଶୁଙ୍କ ପାଇଁ ମାଗଣା ଅଟୋ ଆମ୍ବୁଲାନ୍ସ ସେବାର ଶୁଭାରମ୍ଭ କରିଥିଲେ।
ଦୁର୍ଗମ ପାହାଡ଼ିଆ ଅଞ୍ଚଳକୁ ପକ୍କା ରାସ୍ତା ନ ଥିବା ଯୋଗୁ ବିଭିନ୍ନ ସମୟରେ ଗର୍ଭବତୀ, ପ୍ରସୂତି ଏବଂ ରୋଗୀଙ୍କ ନିକଟରେ ଆମ୍ବୁଲାନ୍ସ ପହଞ୍ଚି ପାରେନାହିଁ । ଏପରିକି ଗର୍ଭବତୀ ମହିଳାଙ୍କୁ ଖଟିଆରେ ବୁହା ଯାଉଥିବା ଦେଖିବାକୁ ମିଳୁଛି । ଏହାକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ସ୍ବାସ୍ଥ୍ୟ ପ୍ରଶାସନ ପକ୍ଷରୁ ଏହି ଯୋଜନା ଶୁଭାରମ୍ଭ କରାଯାଇଛି। ଏହା ଦ୍ବାରା ଦୁର୍ଗମ ଅଞ୍ଚଳର ଗର୍ଭବତୀ ଓ ପ୍ରସୂତି ମହିଳାମାନେ ମାଗଣା ଅଟୋ ଆମ୍ବୁଲାନ୍ସ ଯୋଗେ ନିକଟସ୍ଥ ମେଡିକାଲରେ ଚିକିତ୍ସା ନିମନ୍ତେ ସୁବିଧାରେ ପହଞ୍ଚି ପାରିବେ। ଜିଲା ପ୍ରଶାସନର ସହାୟତାରେ ଜିଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ ଦିଗପହଣ୍ଡି ବ୍ଳକର ୯ଟି ପଞ୍ଚାୟତର ପ୍ରାୟ ୧୯ଟି ଅପହଞ୍ଚ ଜନଜାତି ବହୁଳ ଗ୍ରାମ ନିମନ୍ତେ ୯ଟି ମାଗଣା ଅଟୋ ଆମ୍ବୁଲାନ୍ସ ଯୋଗାଇ ଦିଆଯାଇଥିବା ଜଣାପଡିଛି।
ଜନଜାତି ବହୁଳ ଦୁର୍ଗମ ଗାଁଲୋକେ ଏହି ଅଟୋ ଆମ୍ବୁଲାନ୍ସ ସେବା ନିମନ୍ତେ ସ୍ଥାନୀୟ ସ୍ବାସ୍ଥ୍ୟକର୍ମୀ, ଆଶାକର୍ମୀ ଏବଂ ସ୍ବାସ୍ଥ୍ୟକେନ୍ଦ୍ରର ସହଯୋଗ ଲୋଡି ପାରିବେ ବୋଲି ବିଧାୟକ ସଭାରେ କହିଥିଲେ। କୈଠଖଣ୍ଡି ପଞ୍ଚାୟତ ସରପଞ୍ଚ ମନୋରଞ୍ଜନ ଗୈାଡଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ବିଧାୟକ ଙ୍କ ସମେତ ବମୋକେଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ସୁପରିଟେଣ୍ଡେଣ୍ଟ ଡା. ପ୍ରଦୀପ କୁମାର ପ୍ରଧାନ,ବିପିଏମ ଶୁଭେନ୍ଦୁ କୁମାର ଦାସ, ଜନସ୍ବାସ୍ଥ୍ୟ ଶିକ୍ଷାଧିକାରୀ ସଞ୍ଜୁକ୍ତା ଜେନା,ସ୍ବାସ୍ଥ୍ୟ ବିଭାଗ ଅଧିକାରୀ ଶ୍ୟାମାନନ୍ଦ ପାଢ଼ୀ, ରିଣ୍ଟୁ ନନ୍ଦ, ରବି ପ୍ରସାଦ ପାତ୍ର, ପୂର୍ଣ୍ଣଚନ୍ଦ୍ର ସେଠୀ, ଦିଗପହଣ୍ଡି ସିଡିପିଓ ଗୀତାଞ୍ଜଳୀ ବେହେରା, କରପଡା ସରପଞ୍ଚ ଫନିନ୍ଦ୍ର ଚନ୍ଦ୍ର ଗୋସ୍ବାମୀ, ବଡଡୁମୁଳା ସରପଞ୍ଚ ଗୀତାଞ୍ଜଳି ଜାନୀ, ଫାସିଗୁଡା ସରପଞ୍ଚ ପ୍ରତିନିଧି ଶିବରାମ ପ୍ରଧାନ, ଚଷାନିମଖଣ୍ଡି ସରପଞ୍ଚ ପ୍ରତିନିଧି ରବିଚନ୍ଦ୍ର ଗୈାଡ, ବାସୁଦେବପୁର ସରପଞ୍ଚ ପ୍ରତିନିଧି ଏମ. ସନ୍ତୋଷ ଏବଂ ଜିଲା ସ୍ବାସ୍ଥ୍ୟ ବିଭାଗର ଅଧିକାରୀ ବୃନ୍ଦ, ବହୁ ସଂଖ୍ୟକ ସ୍ବାସ୍ଥ୍ୟକର୍ମୀ, ଆଶା କର୍ମୀ,ଅଙ୍ଗନୱାଡ଼ି କର୍ମୀଙ୍କ ସମେତ ବହୁ ସଂଖ୍ୟକ ଗ୍ରାମବାସୀ ଉପସ୍ଥିତ ଥିଲେ।

 

Dharitri – Odisha’s No.1 Odia Daily

 


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।