ଭୋଟରଙ୍କ ଆପତ୍ତି ଅଭିଯୋଗ ଶୁଣାଣି ଶିବିର: ସ୍ଥିତି ସମୀକ୍ଷା କଲେ ଭଞ୍ଜନଗର ଉପଜିଲାପାଳ
ଭଞ୍ଜନଗର, ୧୮।୭ (ବାବୁଲା ପ୍ରଧାନ): ଭଞ୍ଜନଗର ଉପଖଣ୍ଡରେ ଚିଠା ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍.ଆଇ.ଆର୍.) ପରବର୍ତ୍ତୀ ଶୁଣାଣି ପ୍ରକ୍ରିୟା ଶନିବାରଠାରୁ ଆରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ ଭଞ୍ଜନଗର ବିଧାନସଭା ନିର୍ବାଚନମଣ୍ଡଳୀର ଇଲେକ୍ଟୋରାଲ୍ ରେଜିଷ୍ଟ୍ରେସନ୍ ଅଫିସର (ଇ.ଆର୍.ଓ.) ତଥା ଉପଜିଲାପାଳ ଉମାଶଙ୍କର ବେହେରା ବିଭିନ୍ନ ଶୁଣାଣି ଶିବିର ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି। ସେ ଭଞ୍ଜନଗର ସ୍ଥିତ ଉପେନ୍ଦ୍ର ଭଞ୍ଜ ଉଚ୍ଚ ବିଦ୍ୟାଳୟ, ଜଗନ୍ନାଥପ୍ରସାଦ ସ୍ଥିତ ଏନ୍.ପି. ବାଳିକା ଉଚ୍ଚ ବିଦ୍ୟାଳୟ ଏବଂ ଯୁଧିଷ୍ଠିର ବିଦ୍ୟାପୀଠରେ ଆୟୋଜିତ ଭୋଟର ତାଲିକାରେ ସଂଯୋଜିତ ହୋଇନଥିବା ଭୋଟରମାନଙ୍କ ଶୁଣାଣି ଶିବିର ବୁଲି ଦେଖିବା ସହ ସାମଗ୍ରିକ ପ୍ରକ୍ରିୟାର ତଦାରଖ କରିଥିଲେ।
ଏହି ଶିବିରଗୁଡ଼ିକ ଭଞ୍ଜନଗର ଓ ଜଗନ୍ନାଥପ୍ରସାଦ ଏ.ଇ.ଆର୍.ଓ.ଙ୍କ ଅଧୀନସ୍ଥ ବୁଥ୍ ଗୁଡ଼ିକର ଭୋଟର ତାଲିକାରୁ ବାଦ୍ ପଡ଼ିଥିବା ଭୋଟରମାନଙ୍କ ପାଇଁ ଆୟୋଜନ କରାଯାଇଛି। ପରିଦର୍ଶନ ସମୟରେ ଉପଜିଲ୍ଲାପାଳ ନୋଟିସ୍ ପାଇଥିବା ଭୋଟରଙ୍କ ଦସ୍ତାବେଜ ଯାଞ୍ଚ ପ୍ରକ୍ରିୟାର ସମୀକ୍ଷା କରିଥିଲେ। ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶିତ ୧୩ଟି ଦସ୍ତାବେଜ ଅନୁଯାୟୀ ପ୍ରମାଣପତ୍ରର ସତ୍ୟତା ପରୀକ୍ଷା, ରେକର୍ଡ ସଂରକ୍ଷଣ ବ୍ୟବସ୍ଥା ଏବଂ ଶିବିରକୁ ଆସୁଥିବା ନାଗରିକଙ୍କୁ ପ୍ରଦାନ କରାଯାଉଥିବା ସୁବିଧା ସମ୍ପର୍କରେ ସେ ପଚାରି ବୁଝିଥିଲେ।
ଏହି ଅବସରରେ ବେହେରା ସମ୍ପୃକ୍ତ ଅଧିକାରୀମାନଙ୍କୁ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶାବଳୀ କଡ଼ାକଡ଼ି ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଶୁଣାଣି ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ ସ୍ୱଚ୍ଛ, ନିରପେକ୍ଷ, ନିର୍ଭୁଲ ଏବଂ ସମୟବଦ୍ଧ ଭାବେ ଶେଷ କରିବାକୁ ସେ ପରାମର୍ଶ ଦେଇଛନ୍ତି। ଉପଖଣ୍ଡ ପ୍ରଶାସନ ପକ୍ଷରୁ ଏକ ନିର୍ଭୁଲ ଓ ବିଶ୍ୱସନୀୟ ଭୋଟର ତାଲିକା ପ୍ରସ୍ତୁତ କରିବା ଉପରେ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି ବୋଲି ଜଣାପଡ଼ିଛି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।