ଭୁବନେଶ୍ୱରରେ ଆଜିଠାରୁ ବ୍ରିକ୍ସ ଶିକ୍ଷା ମନ୍ତ୍ରୀମାନଙ୍କ ୧୩ତମ ବୈଠକ

Aug 05, 2026 - 12:26
ଭୁବନେଶ୍ୱରରେ ଆଜିଠାରୁ ବ୍ରିକ୍ସ ଶିକ୍ଷା ମନ୍ତ୍ରୀମାନଙ୍କ ୧୩ତମ ବୈଠକ

ନନ୍ଦିଘୋଷ ବ୍ୟୁରୋ :ରାଜଧାନୀ ଭୁବନେଶ୍ୱରରେ ଆଜିଠାରୁ ବ୍ରିକ୍ସ (BRICS) ଶିକ୍ଷା ମନ୍ତ୍ରୀମାନଙ୍କ ୧୩ତମ ବୈଠକ ଆରମ୍ଭ ହେଉଛି। ଏହି ଦୁଇଦିନିଆ ବୈଠକରେ ବ୍ରିକ୍ସ ସଦସ୍ୟ ଦେଶମାନଙ୍କର ଶିକ୍ଷା ମନ୍ତ୍ରୀ, ବରିଷ୍ଠ ସରକାରୀ ଅଧିକାରୀ ଏବଂ ପ୍ରତିନିଧିମାନେ ଯୋଗଦେଇ ଶିକ୍ଷା କ୍ଷେତ୍ର ସହ ଜଡ଼ିତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବେ।

ଏହି ସମ୍ମିଳନୀରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ପ୍ରହ୍ଲାଦ ଜୋଶୀ ମଧ୍ୟ ଉପସ୍ଥିତ ରହିବେ। ତାଙ୍କ ନେତୃତ୍ୱରେ ସଦସ୍ୟ ଦେଶମାନଙ୍କ ମଧ୍ୟରେ ଶିକ୍ଷା କ୍ଷେତ୍ରରେ ପାରସ୍ପରିକ ସହଯୋଗ ବୃଦ୍ଧି, ନୀତିଗତ ସମନ୍ୱୟ ଏବଂ ଭବିଷ୍ୟତ କାର୍ଯ୍ୟଯୋଜନାକୁ ନେଇ ଗୁରୁତ୍ୱପୂର୍ଣ୍ଣ ମତବିନିମୟ ହେବ।

ବୈଠକରେ ଦକ୍ଷତା ବିକାଶ, ଶୈକ୍ଷିକ ନେତୃତ୍ୱ, ଉଚ୍ଚଶିକ୍ଷାର ଗୁଣବତ୍ତା, ଡିଜିଟାଲ୍ ଶିକ୍ଷା, ଗବେଷଣା, ନବସୃଜନ ଏବଂ ଆନ୍ତର୍ଜାତୀୟ ସହଯୋଗ ପରି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ବିସ୍ତୃତ ଆଲୋଚନା ହେବ। ଏହା ସହ ବିଶ୍ୱସ୍ତରୀୟ ଆହ୍ୱାନର ମୁକାବିଲା ପାଇଁ ଯୁବପିଢ଼ିଙ୍କୁ ଦକ୍ଷ ଓ ସକ୍ଷମ କରିବା ନିମନ୍ତେ ସାମୂହିକ ରଣନୀତି ପ୍ରସ୍ତୁତ କରାଯିବ।

ବ୍ରିକ୍ସ ମଞ୍ଚ ସଦସ୍ୟ ଦେଶମାନଙ୍କ ମଧ୍ୟରେ ଶିକ୍ଷା କ୍ଷେତ୍ରରେ ଅନୁଭୂତି ବିନିମୟ, ଜ୍ଞାନର ଆଦାନପ୍ରଦାନ ଏବଂ ନୂତନ ଉଦ୍ଭାବନକୁ ପ୍ରୋତ୍ସାହନ ଦେବାରେ ଏକ ଗୁରୁତ୍ୱପୂର୍ଣ୍ଣ ମଞ୍ଚ ଭାବେ କାର୍ଯ୍ୟ କରୁଛି।

ଭୁବନେଶ୍ୱରରେ ଏଭଳି ଏକ ଆନ୍ତର୍ଜାତୀୟ ସ୍ତରର ବୈଠକର ଆୟୋଜନ ଓଡ଼ିଶା ପାଇଁ ଗର୍ବର ବିଷୟ। ଏହା ମାଧ୍ୟମରେ ରାଜ୍ୟ ନିଜର ସଂଗଠନ ଦକ୍ଷତା, ଆଧୁନିକ ଭିତ୍ତିଭୂମି ଏବଂ ଆତିଥ୍ୟ ପରମ୍ପରାକୁ ବିଶ୍ୱ ଦରବାରରେ ଉପସ୍ଥାପନ କରିବାର ସୁଯୋଗ ପାଇବ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।