ଭୀମସାରର ଦୁଇ କର୍ମଚାରୀଙ୍କ ଘରେ ଭିଜିଲାନ୍ସ ରେଡ୍, ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକାଧିକ ସ୍ଥାନରେ ଚଢ଼ାଉ

Jun 30, 2026 - 12:00
ଭୀମସାରର ଦୁଇ କର୍ମଚାରୀଙ୍କ ଘରେ ଭିଜିଲାନ୍ସ ରେଡ୍, ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକାଧିକ ସ୍ଥାନରେ ଚଢ଼ାଉ

ସମ୍ବଲପୁର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବୁର୍ଲା ସ୍ଥିତ ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଏବଂ ଗବେଷଣା ପ୍ରତିଷ୍ଠାନ (VIMSAR)ର ଅଧୀକ୍ଷକଙ୍କ କାର୍ଯ୍ୟାଳୟର ଷ୍ଟିୱାର୍ଡ ଅଶ୍ୱିନୀ ମେହେର ଏବଂ ଏଷ୍ଟାବ୍ଲିସମେଣ୍ଟ ଅଫିସର ଧନୁର୍ଦ୍ଧର ବିଶ୍ବାଳଙ୍କ ବିଭିନ୍ନ ଠିକଣା ଉପରେ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ଅଶ୍ୱିନୀ ମେହେରଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଏକକାଳୀନ ୫ଟି ସ୍ଥାନରେ ଏହି ରେଡ୍ ଜାରି ରହିଥିବାବେଳେ ଏଷ୍ଟାବ୍ଲିସମେଣ୍ଟ ଅଫିସର ଧନୁର୍ଦ୍ଧର ବିଶ୍ବାଳଙ୍କ ଘର ସମେତ ୪ ସ୍ଥାନରେ ରେଡ୍‌ କରୁଛି ଭିଜିଲାନ୍ସ ବିଭାଗ ।

ସମ୍ବଲପୁରର ସ୍ୱତନ୍ତ୍ର ଭିଜିଲାନ୍ସ ବିଚାରପତିଙ୍କ ସର୍ଚ୍ଚ ୱାରେଣ୍ଟ ବଳରେ ଷ୍ଟିୱାର୍ଡ ଅଶ୍ୱିନୀ ମେହେରଙ୍କ ୫ଟି ସ୍ଥାନରେ ଯାଞ୍ଚ ପ୍ରକ୍ରିୟା ଜାରି ରହିଛି । ଏଥିରେ ବୁର୍ଲା ମେଡିକାଲ ଷ୍ଟାଫ୍ କଲୋନୀର ସରକାରୀ ବାସଭବନ, ସମ୍ବଲପୁର ବୁର୍ଲା ଅନ୍ତର୍ଗତ ସୌରଭ ବିହାରରେ ନିର୍ମାଣାଧୀନ ଚାରି ମହଲା କୋଠା, ପଠାନବନ୍ଧରେ ଥିବା ଏକ କୋଠା, ବରଗଡ଼ ଜିଲ୍ଲାର ଗୋବିନ୍ଦପାଲିରେ ଥିବା ଏକ କୋଠା ଏବଂ ତାଙ୍କ କାର୍ଯ୍ୟାଳୟ କକ୍ଷ ସାମିଲ ରହିଛି । ଏହି ବୃହତ୍ ଚଢ଼ାଉ ପ୍ରକ୍ରିୟାରେ ୫ ଜଣ ଡିଏସପି (DSP), ୫ ଜଣ ଇନ୍ସପେକ୍ଟର, ୩ ଜଣ ଏଏସଆଇ (ASI) ଏବଂ ଅନ୍ୟାନ୍ୟ କର୍ମଚାରୀମାନେ ସାମିଲ ଅଛନ୍ତି। ବର୍ତ୍ତମାନ ସୁଦ୍ଧା ସମସ୍ତ ସ୍ଥାନରେ ତଲାସି ଅଭିଯାନ ଜାରି ରହିଥିବା ବେଳେ ଜବତ ହୋଇଥିବା ସମ୍ପତ୍ତିର ପ୍ରକୃତ ମୂଲ୍ୟ ଆକଳନ କରାଯାଇନାହିଁ। 

ସେହିପରି ଭିମସାରର ଏଷ୍ଟାବ୍ଲିସମେଣ୍ଟ ଅଫିସର ତଥା ଅଫିସ୍ ସୁପରିଣ୍ଟେଣ୍ଡେଣ୍ଟ ଧନୁର୍ଦ୍ଧର ବିଶ୍ୱାଳଙ୍କ ନାମରେ ମଧ୍ୟ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ଆସିଥିଲା। ଏହି ଘଟଣାରେ ଭିଜିଲାନ୍ସ ଟିମ୍ ତାଙ୍କର ୪ଟି ଠିକଣାରେ ଚଢ଼ାଉ କରିଥିଲା। ଧନକଉଡ଼ାରେ ଥିବା ଦୁଇ ମହଲା ବାସଭବନ, ଗୁଡେସିଙ୍ଗାରେ ଥିବା ଏକ କୋଠା, ଭିମସାର ମେଡିକାଲ ଷ୍ଟାଫ୍ କଲୋନୀର ସରକାରୀ କ୍ୱାର୍ଟର୍ସ ଓ ତାଙ୍କ କାର୍ଯ୍ୟାଳୟ କକ୍ଷରେ ତଲାସୀ ଚାଲିଛି । ତଲାସୀ ଶେଷ ହେବା ପରେ ଠାବ ହୋଇଥିବା ସମ୍ପତ୍ତି ଏବଂ ଅନ୍ୟାନ୍ୟ ତଥ୍ୟ ସମ୍ପର୍କରେ ସୂଚନା ଦିଆଯିବ । ତେବେ ଗୋଟିଏ ଦିନରେ ଭିମସାରର ଦୁଇ ଜଣ କର୍ମଚାରୀଙ୍କ ଘରେ ଭିଜିଲାନ୍ସ ରେଡ୍ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।