ଭିତ୍ତିଭୂମି ଅଭାବରେ କ୍ରୀଡ଼ା ବିକାଶ ଦିଗହରା: ଜାତୀୟସ୍ତରରେ ସଫଳତା ସତ୍ତ୍ୱେ ମିଳୁନି ପ୍ରୋତ୍ସାହନ

Aug 06, 2026 - 08:49
ଭିତ୍ତିଭୂମି ଅଭାବରେ କ୍ରୀଡ଼ା ବିକାଶ ଦିଗହରା: ଜାତୀୟସ୍ତରରେ ସଫଳତା ସତ୍ତ୍ୱେ ମିଳୁନି ପ୍ରୋତ୍ସାହନ

ଅମରପାଲି,୬ା୮(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲାର ବୀରମହାରାଜପୁର ଉପଖଣ୍ଡରେ ଭିତ୍ତିଭୂମି ଅଭାବ କାରଣରୁ କ୍ରୀଡ଼ାର ବିକାଶ କ୍ଷେତ୍ରରେ ଦିଗହରା ହୋଇଛି। ବୀରମହାରାଜପୁର ଏନ୍‌ଏସି, ବୀରମହାରାଜପୁର ଓ ଉଲୁଣ୍ଡା ବ୍ଲକକୁ ନେଇ ଗଠିତ ଉପଖଣ୍ଡରେ ପ୍ରତିଭାବାନ ଖେଳାଳି ଥିଲେ ମଧ୍ୟ ଉନ୍ନତ କ୍ରୀଡ଼ା ଭିତ୍ତିଭୂମି, ପ୍ରଶିକ୍ଷଣ, ପ୍ରଶିକ୍ଷକ ଓ ସରକାରୀ ପ୍ରୋତ୍ସାହନର ଅଭାବ ରହିଛି। ଏ ନେଇ କ୍ରୀଡ଼ାବିତ ଓ କ୍ରୀଡ଼ାପ୍ରେମୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ୁଛି। ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ଖେଲୋ ଇଣ୍ଡିଆ ସମେତ ବିଭିନ୍ନ ଯୋଜନାରେ ଷ୍ଟାଡିୟମ ବିକାଶ, କ୍ରୀଡ଼ା ସାମଗ୍ରୀ ବଣ୍ଟନ, ପ୍ରଶିକ୍ଷକ ନିଯୁକ୍ତି, ପ୍ରତିଭାବାନ ଖେଳାଳିଙ୍କୁ ଛାତ୍ରବୃତ୍ତି ଏବଂ ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରାଯାଉଛି। ମାତ୍ର ବୀରମହାରାଜପୁର ଓ ଉଲୁଣ୍ଡା ଅଞ୍ଚଳରେ ଏହାର ସୁଫଳ ଆଶାନୁରୂପ ଭାବେ ପହଞ୍ଚତ୍ ପାରୁନାହିଁ। ଉପଖଣ୍ଡର ଅଧିକାଂଶ ଖେଳ ପଡ଼ିଆ ଅବ୍ୟବସ୍ଥିତ ଥିବାବେଳେ ଅସାମାଜିକ କାର୍ଯ୍ୟକଳାପ ଚାଲିଛି। ଭଙ୍ଗା କାଚ ବୋତଲ ଓ ଅନ୍ୟ ବିପଦଜନକ ସାମଗ୍ରୀ ପଡ଼ି ରହୁଥିବାରୁ ଖେଳାଳି ସୁରକ୍ଷିତ ଭାବେ ଅଭ୍ୟାସ କରି ପାରୁ ନାହାନ୍ତି।
ଜାତୀୟସ୍ତରର ପଦକ ବିଜେତା ମହିଳା ବକ୍ସର ଶୁଭ୍ରତା କଲତା କହିଛନ୍ତି, ନିଜସ୍ବ ଉଦ୍ୟମ ଓ କଠିନ ପରିଶ୍ରମ ବଳରେ ସଫଳତା ହାସଲ କରିଛୁ। ଯଦି ଉନ୍ନତ ପ୍ରଶିକ୍ଷଣ, ଆଧୁନିକ ଭିତ୍ତିଭୂମି ଓ ଆର୍ଥିକ ସହାୟତା ମିଳେ, ତେବେ ଏହି ଅଞ୍ଚଳରୁ ଆହୁରି ଅନେକ ଖେଳାଳି ରାଜ୍ୟ, ଜାତୀୟସ୍ତରରେ ସଫଳତା ଆଣିପାରିବେ। ବୀରମହାରାଜପୁର ବ୍ଲକର ଲୁତୁରପଙ୍କ ଗ୍ରାମରେ ଦୀର୍ଘ ୩୧ ବର୍ଷ ଧରି ସର୍ବଭାରତୀୟ କ୍ରିକେଟ ଟୁର୍ନାମେଣ୍ଟ ଆୟୋଜନ ହୋଇଆସୁଛି। ସ୍ଥାନୀୟ ଯୁବକଙ୍କ ଉଦ୍ୟମ ଓ ଆର୍ଥିକ ସହଯୋଗରେ ଏହା ସଫଳତାର ସହ ଚାଲିଥିଲେ ମଧ୍ୟ ସରକାରୀ ସହାୟତା ମିଳୁନାହିଁ। ହୋତାପାଲି ଓ ଜଉଁରା-ଭଉଁରା ଅଞ୍ଚଳରେ ରାଜ୍ୟସ୍ତରୀୟ ହକି ଖେଳାଳି ଥିଲେ ମଧ୍ୟ ଉନ୍ନତ ଖେଳ ପଡ଼ିଆର ଅଭାବ ରହିଛି। ସେହିପରି ଉଲୁଣ୍ଡା, ଜାଲୋଏ, ବଡ଼ମାଳ, ଲାତୁରପେଟ ଓ କୁଡ଼ାପଡ଼ାରେ ଫୁଟ୍‌ବଲ, ଅମରପାଲି, କମିରା, ବିକଲପୁର, କଳାପଥର, ସୁବଳୟା, ଖଣ୍ଡହତା, ସିଣ୍ଢୋଲ, ସିନ୍ଦିରିଆବାହାଲ, ଉଲୁଣ୍ଡା ଓ କୁକିଆରେ କ୍ରିକେଟ ପ୍ରତିଯୋଗିତା ନିୟମିତ ହେଉଛି। ଆଥଲେଟିକ୍ସ, କବାଡି, ବକ୍ସିଂ, ଟାଏକଣ୍ଡୋ, ଲମ୍ବା ଓ ଉଚ୍ଚଡିଆଁ ଭଳି କ୍ରୀଡ଼ା ପାଇଁ ପର୍ଯ୍ୟାପ୍ତ ସୁଯୋଗ ମିଳୁନାହିଁ। ଲୁତୁରପଙ୍କ ସର୍ବଭାରତୀୟ କ୍ରିକେଟ କପ ସଭାପତି ସୁଶୀଲ କୁମାର ପ୍ରଧାନ କହିଛନ୍ତି, ଅଞ୍ଚଳରେ ପ୍ରତିଭାର ଅଭାବ ନାହିଁ, ସୁଯୋଗ ଓ ସରକାରୀ ସହଯୋଗର ଅଭାବ ରହିଛି। ସରକାର ସହଯୋଗ କଲେ ଏହି ଅଞ୍ଚଳରୁ ଆହୁରି ଅନେକ ଖେଳାଳି ଜାତୀୟସ୍ତରରେ ସଫଳତା ହାସଲ କରିପାରିବେ। ଏପଟେ ବୀରମହାରାଜପୁରର ଟାଏକଣ୍ଡୋ, ଆଥଲେଟିକ୍ସ ଓ ବକ୍ସିଂ ଖେଳାଳିମାନେ ରାଜ୍ୟ, ଜାତୀୟସ୍ତରରେ ସଫଳତା ଆଣିଥିଲେ ମଧ୍ୟ ସେମାନଙ୍କ ପାଇଁ ଆବଶ୍ୟକ ପ୍ରଶିକ୍ଷଣ, ଭିତ୍ତିଭୂମି ଓ ଆର୍ଥିକ ସହାୟତା ମିଳୁନାହିଁ। ଯୁବ କ୍ରୀଡ଼ା ସଙ୍ଗଠକ ବ୍ରଜଗୋପାଳ ପଣ୍ଡା କହିଛନ୍ତି, କ୍ରୀଡ଼ାର ବିକାଶ ପାଇଁ ସ୍ଥାନୀୟ ଜନପ୍ରତିନିଧି ଓ ପ୍ରଶାସନର ଆନ୍ତରିକତାର ଅଭାବ ରହିଛି। ଫଳରେ ଅନେକ ପ୍ରତିଭାବାନ ଖେଳାଳି ସୁବିଧା ଓ ସୁଯୋଗରୁ ବଞ୍ଚତ୍ତ ହେଉଛନ୍ତି। ଅନ୍ତର୍ଜାତୀୟ ଟାଏକଣ୍ଡୋ ଖେଳାଳି ଏହେସାସ ହୋତା କହିଛନ୍ତି, ପ୍ରୋତ୍ସାହନର ଅଭାବ ହିଁ କ୍ରୀଡ଼ା ବିକାଶର ପ୍ରମୁଖ ବାଧକ। ତୃଣମୂଳସ୍ତରରୁ ପ୍ରତିଭା ଚିହ୍ନଟ କରି ସେମାନଙ୍କୁ ଉନ୍ନତ କୋଚିଂ, ଭିତ୍ତିଭୂମି ଓ ଆର୍ଥିକ ସହାୟତା ଯୋଗାଇ ଦେଲେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିବେ। ସ୍ଥାନୀୟ କ୍ରୀଡ଼ାପ୍ରେମୀଙ୍କ ମତରେ, ବୀରମହାରାଜପୁର ଓ ଉଲୁଣ୍ଡା ଅଞ୍ଚଳରେ ଜାତୀୟସ୍ତରର ଖେଳାଳିଙ୍କୁ ଆଣି ପ୍ରଶିକ୍ଷଣ ଶିବିରର ବ୍ୟବସ୍ଥା କରାଗଲେ ଯୁବପିଢ଼ି କ୍ରୀଡ଼ା ପ୍ରତି ଅଧିକ ଆକୃଷ୍ଟ ହେବେ। ସେହିପରି ସ୍କୁଲ ଓ କଲେଜସ୍ତରରେ କ୍ରୀଡ଼ା କାର୍ଯ୍ୟକ୍ରମକୁ କେବଳ ଔପଚାରିକତାରେ ସୀମିତ ନ ରଖି ଗୁଣାତ୍ମକ ଭାବେ ଆୟୋଜନ କରିବାକୁ ମଧ୍ୟ ଦାବି ହେଉଛି।

Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।