‘ବ୍ରାହ୍ମ ମୁହୂର୍ତ୍ତ’ରେ ‘ରାମାୟଣ’ର ଟ୍ରେଲର ରିଲିଜ: ଚର୍ଚ୍ଚା ସାଉଁଟିଲେ ରଣବୀର
ବଲିଉଡ ସୁପରଷ୍ଟାର ରଣବୀର କପୁରଙ୍କ ବହୁଚର୍ଚ୍ଚିତ ଫିଲ୍ମ ‘ରାମାୟଣ’ର ଟ୍ରେଲର ରିଲିଜ ହୋଇଛି। ନିର୍ମାତାମାନେ ଶୁଭ ‘ବ୍ରାହ୍ମ ମୁହୂର୍ତ୍ତ’ରେ ଟ୍ରେଲରକୁ ସାରା ବିଶ୍ୱରେ ଉନ୍ମୋଚନ କରିଛନ୍ତି। ଏହାକୁ ଅପାର ପ୍ରଶଂସା କରାଯାଉଛି। ଟ୍ରେଲର ଦେଖିବା ପରେ ଫିଲ୍ମ ବିଷୟରେ ପ୍ରାୟ ସମସ୍ତ ବିବରଣୀ ପ୍ରକାଶ ପାଇଛି। ରଣବୀର ଚଳଚ୍ଚିତ୍ରରେ ଡବଲ୍ ରୋଲ୍ କରୁଛନ୍ତି। ପ୍ରଭୁ ଶ୍ରୀରାମଙ୍କ ଭୂମିକାରେ ଅଭିନୟ କରିବା ସହିତ ରଣବୀର ଭଗବାନ ପର୍ଶୁରାମଙ୍କୁ ମଧ୍ୟ ଚିତ୍ରଣ କରୁଥିବାର ଦେଖାଯାଉଛି।
୪,୦୦୦ କୋଟି ଟଙ୍କାର ଏକ ବିପୁଳ ବଜେଟରେ ନିର୍ମିତ ‘ରାମାୟଣ’ ଦୁଇଟି ଭାଗରେ ମୁକ୍ତିଲାଭ କରିବ। ଟ୍ରେଲରରେ ପ୍ରଭୁ ଶ୍ରୀରାମ ଭୂମିକାରେ ରଣବୀର କପୁରଙ୍କୁ ବହୁଳ ଭାବରେ ପ୍ରଶଂସା କରାଯାଉଛି। ଟ୍ରେଲରଟି ଚାରି ମିନିଟରୁ ଅଧିକ ସମୟ ରହିଛି। ରଣବୀର ପର୍ଶୁରାମ ଭାବରେ ଏକ ଦୃଶ୍ୟରେ ମଧ୍ୟ ଦେଖାଯାଆନ୍ତି। ଗୋଟିଏ ଦୃଶ୍ୟରେ ପର୍ଶୁରାମ ଶ୍ରୀରାମଙ୍କ ସମ୍ମୁଖରେ ଆଣ୍ଠୁମାଡ଼ି ବସି ଏକ ଦିବ୍ୟ ଧନୁ ଧରିଥିବା ଦେଖାଯାଉଛି। ପର୍ଶୁରାମ ଭୂମିକା ପାଇଁ ରଣବୀର ଲମ୍ବା କେଶ ଏବଂ ଦାଢ଼ି ରଖିଛନ୍ତି। ପର୍ଶୁରାମ ଭଗବାନ ବିଷ୍ଣୁଙ୍କ ଷଷ୍ଠ ଅବତାର ହୋଇଥିବା ବେଳେ ଶ୍ରୀରାମ ସପ୍ତମ। ରଣବୀର ‘ରାମାୟଣ’ରେ ଏହି ଦୁଇଟି ଅବତାରରେ ଅଭିନୟ କରୁଥିବାର ଦେଖାଯିବେ।
‘ରାମାୟଣ’ର ପ୍ରଯୋଜକ ନମିତ ମାଲହୋତ୍ରା କହିଛନ୍ତି ଯେ, ଦୁଇଟି ଭାଗରେ ର୍ନିମିତ ଏହି ଚଳଚ୍ଚିତ୍ରଟିର ବଜେଟ ୪,୦୦୦ କୋଟି। ଏହା ଏପର୍ଯ୍ୟନ୍ତ ନିର୍ମିତ ସବୁଠାରୁ ମହଙ୍ଗା ଭାରତୀୟ ଚଳଚ୍ଚିତ୍ର ହେବାକୁ ଯାଉଛି। ଚଳଚ୍ଚିତ୍ର ନିର୍ମାତା ନିତେଶ ତିୱାରୀଙ୍କୁ ନିର୍ଦ୍ଦେଶନା ଦାୟିତ୍ୱ ଦିଆଯାଇଛି।
କନ୍ନଡ ଷ୍ଟାର ୟଶ ଫିଲ୍ମରେ ରାବଣ ଭୂମିକାରେ ଅଭିନୟ କରୁଛନ୍ତି। ସାଇ ପଲ୍ଲବୀ ମା’ ସୀତା ଭୂମିକାରେ ଅଭିନୟ କରୁଥିବା ବେଳେ ରବି ଦୁବେ ଲକ୍ଷ୍ମଣ ଭୂମିକାରେ ଅଭିନୟ କରିଛନ୍ତି। ଅରୁଣ ଗୋଭିଲ ରାଜା ଦଶରଥ ଭୂମିକାରେ ଦେଖାଯିବେଏବଂ ସନି ଦେଓଲ ହନୁମାନଙ୍କ ଭୂମିକାରେ ଅଭିନୟ କରିବେ।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।