02 AUGUST 2026

Welcome!

Unlock your personalized experience.
Sign Up

ବୀମା ଟଙ୍କା ହଡ଼ପ କରିବାକୁ ସ୍ବାମୀ ସାଜିଲା ଜହ୍ଲାଦ, ସ୍ତ୍ରୀକୁ କାର୍ ଚଢାଇ କଲା ହତ୍ୟା

Aug 02, 2026 - 18:20
ବୀମା ଟଙ୍କା ହଡ଼ପ କରିବାକୁ ସ୍ବାମୀ ସାଜିଲା ଜହ୍ଲାଦ, ସ୍ତ୍ରୀକୁ କାର୍ ଚଢାଇ କଲା ହତ୍ୟା

ନୂଆଦିଲ୍ଲୀ,୨/୮ : ସ୍ବାମୀ ସାଜିଲା ସ୍ତ୍ରୀର ହତ୍ୟାକାରୀ । ଫିଲ୍ମ ଷ୍ଟାଇଲରେ ରଚିଥିଲା ଚକ୍ରବ୍ୟୁହ । ଜାଣି ନ ଥିଲା ସେଥିରେ ନିଜେ ହିଁ ଫଶିବ । ସ୍ତ୍ରୀକୁ ମାରି ଇନ୍ସୁରାନ୍ସ ଟଙ୍କା ହଡ଼ପ କରିବାକୁ ରଚାଯାଇଥିଲା ଷଡ଼ଯନ୍ତ୍ର । ସ୍ବାମୀ ତା’ର ସାଙ୍ଗମାନଙ୍କ ସହ ମିଶି ପ୍ରସ୍ତୁତ କରିଥିଲା ବ୍ଲୁ ପ୍ରିଣ୍ଟ । ମାତ୍ର ଅପରାଧୀ ଯେତେ ଚାଲାଖ୍ ହେଲେ ବି ପୋଲିସ ଆଖିରେ ଧୁଳି ଦେଇ ଖସିବା ସହଜ ନୁହେଁ । ଘଟଣାର ୨୪ଘଣ୍ଟା ନ ପୁରୁଣୁ ପୋଲିସ ଏହା ଉପରୁ ପରଦା ଉଠାଇଛି । ଯାହା ସ୍ଥାନୀୟ ଅଞ୍ଚଳରେ ବେଶ୍ ଚହଳ ସୃଷ୍ଟି କରିଛି ।

ଏଭଳି ଘଟଣା ନଜରକୁ ଆସିଛି ଉତ୍ତରପ୍ରଦେଶର ହମୀରପୁର ଜିଲ୍ଲାରୁ । ଜନୈକ ବ୍ୟକ୍ତି ନିଜ ସାଙ୍ଗମାନଙ୍କ ସାହାଯ୍ୟରେ ସ୍ତ୍ରୀକୁ ହତ୍ୟା କରିଛି । ଆରମ୍ଭରେ ପୋଲିସ ମହିଳାଙ୍କ ମୃତ୍ୟୁକୁ ଏକ ଦୁର୍ଘଟଣା ବୋଲି ଧରିନେଇ ମାମଲା ରୁଜୁ କରିଥିଲା । କିନ୍ତୁ ଯାଞ୍ଚରେ ସନ୍ଦେହ ହେବାରୁ ଘଟଣା ଉପରୁ ପରଦା ଉଠିଥିଲା । ପୋଲିସ ଘଟଣାର ୪୮ଘଣ୍ଟା ଭିତରେ ଅଭିଯୁକ୍ତ ସ୍ବାମୀ ଏବଂ ତାଙ୍କର ୩ ଜଣ ବନ୍ଧୁଙ୍କୁ ଗିରଫ କରି ନେଇଛି । ଅଭିଯୋଗ ଅଛି କି ୪୪ଲକ୍ଷ ଟଙ୍କା ଇନ୍ସୁରାନ୍ସ କ୍ଲେମ୍ ହଡ଼ପ କରିବାକୁ ଅମର ସିଂହ ନିଜ ସ୍ତ୍ରୀଙ୍କୁ ହତ୍ୟା କରିଛନ୍ତି । ମୃତ ମହିଳା ହେଲେ ରୀତା(୩୨)। ରାସ୍ତାକଡ଼ରୁ ମୃତଦେହ ମିଳିବାରୁ ଏହାକୁ ଏକ ଦୁର୍ଘଟଣା ବୋଲି କୁହାଯାଉଥିଲା । ଅମର ବି ରୀତାଙ୍କ ମୃତ୍ୟୁକୁ ଦୁର୍ଘଟଣା ଭାବେ କହୁଥିଲେ । କିନ୍ତୁ ପୋଲିସ ମାତ୍ର ୪୮ଘଣ୍ଟାରେ ଅଭିଯୁକ୍ତ ରଚିଥିବା ଚକ୍ରବ୍ୟୁହ ଉପରୁ ପରଦା ଉଠାଇଥିଲା ।

ହମୀରପୁରର ଆଡ଼ିଶନାଲ ଏସପି ଅରବିନ୍ଦ କୁମାର ଏହି ମାମଲାର ସୂଚନା ଦେଇ କହିଛନ୍ତି କି, ଅଭିଯୁକ୍ତ ଅମରଙ୍କ ଉପରେ ଋଣ ଥିଲା । ଋଣ ସୁଝିବା ଏବଂ ଇନ୍ସୁରାନ୍ସ କ୍ଲେମର ଟଙ୍କା ନେବା ଲାଗି ସେ ରୀତାଙ୍କୁ ମାରିବାର ଯୋଜନା କରିଥିଲେ । ଏହାସହ ଏହି ହତ୍ୟାକୁ ସେ ଦୁର୍ଘଟଣାର ରୂପ ଦେବାକୁ ପ୍ରୟାସ କରିଥିଲେ । ଏହି ମାମଲା ସେତେବେଳେ ସାମ୍ନାକୁ ଆସିଥିଲା ଯେତେବେଳେ ୨୯ଜୁଲାଇ ବିଳମ୍ବିତ ରାତିରେ କ୍ଷେତରୁ ଫେରୁଥିବା ଚାଷୀଙ୍କୁ ରାସ୍ତା କଡ଼ରେ ଏକ ମହିଳାଙ୍କ ମୃତଦେହ ମିଳିଥିଲା । ସୂଚନା ମିଳିବା ପରେ ପୋଲିସ ବି ଘଟଣାସ୍ଥଳରେ ପହଞ୍ଚିଥିଲେ । ବ୍ୟାଙ୍କ ଆକାଉଣ୍ଟର ସ୍ଲିପରୁ ପୋଲିସକୁ ରୀତାଙ୍କ ମୃତଦେହ ସ୍ପଷ୍ଟ କରିବାରେ ସାହାଯ୍ୟ ମିଳିଲା । ଘଟଣାକୁ ରୂପ ଦେବା ପରେ ଅମର ବି ସୁମେରପୁର ଥାନାରେ ସ୍ତ୍ରୀ ହଜିଯାଇଥିବା ନେଇ ଏକ ମାମଲା ରୁଜୁ କରିଥିଲେ । ମୃତଦେହକୁ ଚିହ୍ନଟ କରିବାକୁ ଅମରଙ୍କୁ ବି ଡକା ଯାଇଥିଲା । ଘଟଣାର ଯାଞ୍ଚ ପରେ ଅମରଙ୍କ ଉପରେ ସନ୍ଦେହ ହୋଇଥିଲା । ଘଟଣାସ୍ଥଳରୁ ମିଳିଥିବା ତଥ୍ୟ ଏବଂ ଟେକ୍ନିକାଲ ସର୍ଭିଲାନ୍ସ ଆଧାରକୁ ନେଇ ପୋଲିସ ଯାଞ୍ଚର ଦିଗ ହତ୍ୟା ଆଡ଼କୁ ଯାଇଥିଲା ଏବଂ ଘଟଣାର ପର୍ଦ୍ଦାଫାଶ ହୋଇଥିଲା ।

ପଚରାଉଚରା ପରେ ଅଭିଯୁକ୍ତ କହିଛନ୍ତି କି ଅମର ନିଜ ସ୍ତ୍ରୀ ରୀତାଙ୍କୁ ପାଥିୟା ନହର ମାର୍ଗ ରାଠ ରୋଡ଼ରେ ନେଇ ପହଞ୍ଚିଥିଲେ । ସେହି ସମୟରେ ଅନ୍ୟ ଅଭିଯୁକ୍ତ କାରରେ ସେଠାରେ ପହଞ୍ଚିଥିଲେ ଏବଂ ରୀତାଙ୍କ ଉପରେ କାର୍ ଚଢାଇ ଦେଇଥିଲେ । ଯାହାଦ୍ବାରା ସେ ରାସ୍ତାକଡ଼ରେ ପଡ଼ିଯାଇଥିଲେ । ଏହାପରେ ରୀତାଙ୍କୁ ଉଠାଇ ରାସ୍ତା ଉପରକୁ ନିଆଯାଇଥିଲା ଏବଂ କାରକୁ ପୁଣି ଥରେ ତାଙ୍କ ଉପରେ ଚଢାଇ ଦେଇଥିଲେ । ଅଭିଯୁକ୍ତ ଅନୁସାରେ ସେ ରୀତାଙ୍କ ଉପରେ ଦୁଇ ଥର କାର୍ ଚଢାଇଥିଲେ । ଯାହାଦ୍ବାରା ତାଙ୍କର ମୃତ୍ୟୁ ହୋଇଥିଲା । ଘଟଣା ପରେ ସମସ୍ତ ଅଭିଯୁକ୍ତ କାର୍ ନେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ପୋଲିସ ସୂଚନା ଅନୁସାରେ ୪୪ଲକ୍ଷ ଟଙ୍କାରୁ ୧୫ଲକ୍ଷ ଟଙ୍କା ଅମରଙ୍କୁ ମିଳିବ । ବାକି ଟଙ୍କାକୁ ଅନ୍ୟ ଅଭିଯୁକ୍ତଙ୍କ ମଧ୍ୟରେ ବଣ୍ଟାଯିବ ବୋଲି ଯୋଜନା ହୋଇଥିଲା । ଏହାପରେ ପୋଲିସ ଅମର ଏବଂ ତାଙ୍କର ୩ ବନ୍ଧୁ ଅମୀତ ଗୁପ୍ତା ଓରଫ ରାମ, ପୁଷ୍ପେନ୍ଦ୍ର ସୋନୀ ଓରଫ ସାହିଲ ଏବଂ ଅଭୟ ସିଂହ ଓରଫ ଗୋଲୁଙ୍କୁ ଗିରଫ କରି ନେଇଥିଲା । ପୋଲିସ ଅଭିଯୁକ୍ତଙ୍କ ନିକଟରୁ ଏକ କାର୍ ଏବଂ ଏକ ସିମ୍ କାର୍ଡ଼ ଜବତ କରିଛି । ସୂଚନା ଅନୁସାରେ ଅମର ଲଭ୍ ମ୍ୟାରେଜକ କରିଥିଲେ। ରୀତା ନିଜ ପ୍ରଥମ ସ୍ବାମୀଙ୍କ ମୃତ୍ୟୁ ପରେ ଅମରଙ୍କୁ ବିବାହ କରିଥିଲେ । ସେହିଭଳି ଅମର ବି ଦୁଇ ଥର ବିବାହ କରି ସାରିଥିଲେ ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।