ବିସ୍ଥାପିତ ନୀତି ତୁରନ୍ତ କାର୍ଯ୍ୟକାରୀ ଦାବି, ନଚେତ୍ କମ୍ପାନୀ ବିରୋଧରେ ହେବ ବିରାଟ ଆନ୍ଦୋଳନ
ଛତ୍ରପୁର,୧୫ା୭(ଦିଲ୍ଲୀପ ସାମଲ): ବିସ୍ଥାପିତ ନୀତିକୁ ତୁରନ୍ତ କାର୍ଯ୍ୟକାରୀ କରିବା, ଏଥିପାଇଁ ଚିହ୍ନଟ ଜାଗାରେ ଘର ନିର୍ମାଣ ସହ ପୁନିର୍ବାସ ବ୍ୟବସ୍ଥା କରିବା ସହିତ ୨୦୧୮ରେ ବ୍ରହ୍ମପୁରସ୍ଥିତ ଆର୍ଡିସିଙ୍କ କାର୍ଯ୍ୟାଳୟରେ ହୋଇଥିବା ଆର୍ପିଡିଏସି ବୈଠକରେ ଗୃହୀତ ନିଷ୍ପତ୍ତିଗୁଡ଼ିକୁ କାର୍ଯ୍ୟକାରୀ କରିବା ଦାବି ନେଇ ବୁଧବାର ସାନଆର୍ଯ୍ୟପଲ୍ଲୀ ଗ୍ରାମ୍ୟ କମିଟି ପକ୍ଷରୁ ଗଞ୍ଜାମ ଜିଲା ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି। ଏହା ସହିତ ଗଞ୍ଜାମ ଜିଲାପାଳଙ୍କ ଉଦେଶ୍ୟରେ ଏକ ଲିଖିତ ଦାବି ଅତିରିକ୍ତ ଜିଲାପାଳ ସଚ୍ଚିଦାନନ୍ଦ ନାୟକଙ୍କୁ ଭେଟି ପ୍ରଦାନ କରିଛନ୍ତି। ଆଇଆର୍ଇଏଲ୍ କମ୍ପାନୀ ପ୍ରାୟ ୮ ବର୍ଷ ଧରି ଡ୍ରେଜିଙ୍ଗ କରୁଥିଲେ ମଧ୍ୟ ବିସ୍ଥାପିତ ନୀତିକୁ କାର୍ଯ୍ୟକାରୀ କରିଲା ନାହିଁ। ଖାଲି ମିଳିଲା ପ୍ରତିଶ୍ରୁତି ଉପରେ ପ୍ରତିଶ୍ରୁତି l ୨୦୧୮ ବର୍ଷରେ ସମସ୍ତ ଗୃହୀତ ନିଷ୍ପତ୍ତିକୁ ତାହା କାର୍ଯ୍ୟକାରୀ କରାଯାଉନାହିଁ। ଏହାକୁ ନେଇ ସାନଆର୍ଯ୍ୟପଲ୍ଲୀ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିବା ସହିତ କମ୍ପାନୀ ଏବଂ ଜିଲା ପ୍ରଶାସନ ବିରୋଧରେ ଆନ୍ଦୋଳନ ନିମନ୍ତେ ସଜବାଜ ହେଉଛନ୍ତି। ସେମାନେ କହିବା ମୁତାବକ ଗୋଟେ ପଟେ ସମୁଦ୍ର କୂଳ ଖାଇବା ଯୋଗୁ ମତ୍ସ୍ୟଜୀବୀମାନେ ଭୟଭୀତ ଅବସ୍ଥା ରହୁଥିବା ବେଳେ ଅନ୍ୟ ପଟେ ଆଇଆର୍ଇଏଲ୍ କମ୍ପାନୀ ଗ୍ରାମବାସୀଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦେଇ ଡ୍ରେଜିଙ୍ଗ କାମ କରିବାରେ ଲାଗିପଡ଼ିଛନ୍ତି। ଯାହା ଫଳରେ ମତ୍ସ୍ୟଜିବୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଣୁ ଆଇଆର୍ଇଏଲ୍ ଓ ଜିଲା ପ୍ରଶାସନ ପକ୍ଷରୁ ଗ୍ରାମବାସୀଙ୍କୁ ଜୀବନରେ ସୁୁରକ୍ଷା ସୁନିଶ୍ଚିତ କରିବା, ବିସ୍ଥାପିତ ନୀତି ସହିତ ୨୦୨୬-୨୭ ଜନଗଣନା ଅନୁସାରେ ସେମାନଙ୍କୁ ତୁରନ୍ତ ଥଇଥାନ କରିବାକୁ ଦାବି କରିଛନ୍ତି।
ସେହିପରି ଗୋପାଳପୁର ବନ୍ଦରର ଖାମଖିଆଲି ନୀତି ଏବଂ ଅବହେଳା ଯୋଗୁ ଦିନକୁ ଦିନ ସମୁଦ୍ର କୂଳ ଲଙ୍ଘିବାରେ ଲାଗିଛି । ଏହାର ସ୍ଥାୟୀ ପ୍ରତିକାର କରିବା ନିମନ୍ତେ ଗ୍ରାମବାସୀ ଦାବି କରିଛନ୍ତି। ଦାବିଗୁଡ଼ିକ ଶୀଘ୍ର ପୂରଣ ନ ହେଲେ ଆଇଆର୍ଇଏଲ୍ର ମୁଖ୍ୟ ଫାଟକ ଏବଂ ଗଞ୍ଜାମ ଜିଲାପାଳଙ୍କ କାର୍ଯାଳୟ ସମ୍ମୁଖରେ ବଡ଼ଧରଣର ଆନ୍ଦୋଳନ କରାଯିବ ବୋଲି ଗ୍ରାମ କମିଟି ପକ୍ଷରୁ କଡ଼ା ଚେତାବନୀ ଦିଆଯାଇଛି। ଏହି ଦାବିପତ୍ର ପ୍ରଦାନ ବେଳେ ସାନଆର୍ଯ୍ୟପଲ୍ଲୀ ଗ୍ରାମ୍ୟ କମିଟି ସଭାପତି ବି. ସୀମା, ଗଞ୍ଜାମ ଜିଲା ମତ୍ସ୍ୟଜୀବୀ ନେତା ତଥା ସାଧାରଣ ସମ୍ପାଦକ ବି. ଭୀମସେନ, ଉପସଭାପତି ପି. ଗୁରେୟା, ପୂର୍ବତନ ସାଧାରଣ ସମ୍ପାଦକ ଏମ୍. ଦିଲ୍ଲୀପ, କେ. ଦାଶରଥୀ, ଜି ସନ୍ନ୍ୟାସୀ, ମାସିଆନୁ ଓ ଏଲ୍. ଏରେୟାଙ୍କ ସମେତ ବହୁ ଗ୍ରାମବାସୀ ଉପସ୍ଥିତ ଥିଲେ।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।