ବିପଦ ସୃଷ୍ଟି କରୁଛି ମୁକୁଳା ଟ୍ରାନ୍ସଫର୍ମର: ଛାତ୍ରୀଛାତ୍ରଙ୍କ ପ୍ରତି ବିପଦ

Jul 21, 2026 - 09:50
ବିପଦ ସୃଷ୍ଟି କରୁଛି ମୁକୁଳା ଟ୍ରାନ୍ସଫର୍ମର: ଛାତ୍ରୀଛାତ୍ରଙ୍କ ପ୍ରତି ବିପଦ

ନୂଆପଡ଼ା,୨୧ା୭ (ମକାରୁ ବେମାଲ):ନୂଆପଡ଼ା ଜିଲା କୋମନା ବ୍ଲକ ଅନ୍ତର୍ଗତ ସିଆଲଟି ପଞ୍ଚାୟତ ବାଗମୁଣ୍ଡା ଗାଁ ରାସ୍ତା କଡରେ ବିପଦସଙ୍କୁଳ ଅବସ୍ଥାରେ ମୁକଳା ବିଦ୍ୟୁତ୍‌ ଟ୍ରାନ୍ସଫର୍ମର ରହିଥିବାରୁ ବିଭିନ୍ନ ସମୟରେ ଦୁର୍ଘଟଣା ଘଟୁଥିବା ଅଭିଯୋଗ ହେଉଛି। ଟ୍ରାନ୍ସଫର୍ମର ଚାରି ପାଶର୍‌ବରେ ତାରବାଡ କିମ୍ବା ପାଚେରି ନିର୍ମାଣ କରିବା ପାଇଁ ଗ୍ରାମବାସୀ ଅନେକଥର ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଲିନାହିଁ। ସୂଚନା ଅନୁଯାୟୀ, ୩୫୩ ନମ୍ବର ଜାତୀୟ ରାଜପଥ ପଳସିପାଣିଠାରୁ କରଙ୍ଗାଭଟା ଦେଇ ବିଜୁ ଏକ୍ସପ୍ରେସ୍‌ ୱେକୁ ସଂଯୋଗ କରୁଥିବା ରାସ୍ତାର ବାଗମୁଣ୍ଡା ଗାଁ ପ୍ରାଥମିକ ବିଦ୍ୟାଳୟଠାରୁ ୨୦ ମିଟର ଦୂରରେ ମୁକୁଳା ଟ୍ରାନ୍ସଫର୍ମର ରହିଥିବାରୁ ଛାତ୍ରୀଛାତ୍ରଙ୍କ ପ୍ରତି ବିପଦ ରହିଛି। ପ୍ରତିଦିନ ଶତାଧିକ ଛାତ୍ରୀଛାତ୍ର ସେହି ବାଟଦେଇ ଚାଲି ଚାଲି ସ୍କୁଲ ଯାଉଛନ୍ତି। ଜାତୀୟ ରାଜପଥଠାରୁ ବିଜୁ ଏକ୍ସପ୍ରେସକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ହୋଇଥିବାରୁ ପ୍ରତ୍ୟହ ଶତାଧିକ ଯାନବାହନ ସାଙ୍ଗକୁ ବାଇକ୍‌ କିମ୍ବା ସାଇକେଲ ଆରୋହୀ ଯାତାୟାତ କରୁଛନ୍ତି। ଅଣଓସାରିଆ ରାସ୍ତା ହୋଇଥିବାରୁ ଟ୍ରାନ୍ସଫର୍ମର ଅତିକ୍ରମ ସମୟରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସିବା ସମ୍ଭାବନା ରହିଛି। ଟ୍ରାନ୍ସଫର୍ମର ତାର ବାହାରକୁ ବାହାରିଥିବାରୁ ପୂର୍ବରୁ ଗାଈ ବଳଦ ଏହା ସ୍ପର୍ଶରେ ଆସି ମୃତ୍ୟୁବରଣ କରିଥିବା ନଜିର ରହିଛି। ନିକଟରେ ନଳକୂଅ ଥିବାରୁ ଗାଁର ମହିଳା ନିତ୍ୟ ବ୍ୟବହାର ପାଇଁ ପାଣି ନେଉଥିବା ବେଳେ ପଥିକ ଓ ଛାତ୍ରୀଛାତ୍ର ମଧ୍ୟ ମଧ୍ୟାହ୍ନଭୋଜନ ଖାଇ ହାତ ଧୋଇଥାନ୍ତି। ବିଭାଗୀୟ କର୍ତ୍ତୃପକ୍ଷ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ ଟ୍ରାନ୍ସଫର୍ମର ଚାରିପାଶର୍‌ବରେ ତାରବାଡ କିମ୍ବା ପାଚେରି ନିର୍ମାଣ କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି ।

 

Dharitri – Odisha’s No.1 Odia Daily

 


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।