ବିଡିଓଙ୍କ ବିରୋଧରେ ଅଭିଯୋଗ ଆଣିଲେ ଗ୍ରାମବାସୀ, ଦାବିପତ୍ର ପ୍ରଦାନ କରି…
କର୍ଲାମୁଣ୍ଡା:୧୩।୭,(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଜୋରାଡବରା ଗ୍ରାମ ପଞ୍ଚାୟତ ସିଲେଟପଡ଼ା ଗ୍ରାମରେ, ବିକଶିତ ଗାଁ ବିକଶିତ ଓଡ଼ିଶା ଯୋଜନାରେ ଗାଁର ଜନୈକ ବ୍ୟକ୍ତି ତାଙ୍କ ନିଜ ଚାଷ ଜମିରେ ରାସ୍ତା ନ ଥିବା ଏକ ସ୍ଥାନରେ ତିନି ଲକ୍ଷ ଟଙ୍କା ଅଟକଳରେ କମ୍ୟୁନିଟି ହଲ ନିର୍ମାଣ କାର୍ଯ୍ୟ ଦୀର୍ଘ ଦିନରୁ ଆରମ୍ଭ କରିଛନ୍ତି। ଉକ୍ତ ନିର୍ମାଣ କାର୍ଯ୍ୟଟି ଗାଁ ଲୋକଙ୍କ କୌଣସି କାର୍ଯ୍ୟରେ ଆସିବ ନାହିଁ, କାରଣ ନିର୍ମାଣାଧିନ କାର୍ଯ୍ୟ ସ୍ଥଳକୁ ଯିବା ଆସିବା କରିବା ପାଇଁ ରାସ୍ତା ବ୍ୟବସ୍ଥା ନାହିଁ ଓ ନିମ୍ନ ମାନର କାମ ହେଉଥିବା ନେଇ ଗ୍ରାମବାସୀମାନେ ଗତ ମେ’ ୧୧ ରେ କର୍ଲାମୁଣ୍ଡା ବ୍ଲକରେ ହୋଇଥିବା ଜିଲାପାଳଙ୍କ ଜନ ଶୁଣାଣୀ ଶିବିରରେ ଓ କର୍ଲାମୁଣ୍ଡା ବିଡ଼ିଓଙ୍କୁ ମେ’ ୨୨ରେ ଲିଖିତ ଭାବେ ଅଭିଯୋଗ କରିଥିଲେ ହେଁ କାର୍ଯ୍ୟକୁ ବନ୍ଦ କରିବା ପରିବର୍ତ୍ତେ କାର୍ଯ୍ୟଟି ଚାଲୁ ରହିଛି ବୋଲି ଜଳନ୍ଧର ଭୋଇ, ସତ୍ୟ ନାରାୟଣ ସାହୁ, ଟିକେ ଲାଲ ସାହୁ, ତୁଳସୀ ଲାଲ ଭୋଇ, ହରି ସାହୁ, ହାରାଚନ ବାଗ, ଭାଗିରଥି ବାଗ,ସୁଦର୍ଶନ ସାହୁ, ଶମ୍ଭୁ ସାହୁ, ଦୁର୍ଗା ମାଝି, ପଲସ୍ତି ସାହୁ, ଭୋଳା ସାହୁ ଅଭିଯୋଗ କରିଛନ୍ତି। ସୋମବାର ଏନେଇ ଗ୍ରାମବାସୀମାନେ ଏକ ଶୋଭଯାତ୍ରାରେ ବ୍ଲକ ସଦର ଶିବ ମନ୍ଦିର ଠାରୁ ବାହାରି ତହସିଲ କାର୍ଯ୍ୟାଳୟକୁ ପହଞ୍ଚି ତହସିଲଦାର ଅରୁଣ କୁମାର ବର୍ଗେ ଙ୍କୁ ଏକ ଅଭିଯୋଗ ପତ୍ର ପ୍ରଦାନ କରିଥିଲେ। ଅଭିଯୋଗଟି ତହସିଲଦାରଙ୍କ ଜରିଆରେ ଓଡିଶା ସରକାରଙ୍କ ମୁଖ୍ୟ ଶାସନ ସଚିବ, ଜିଲାପାଳ କଳାହାଣ୍ଡି, କଳାହାଣ୍ଡି ଜିଲାପରିଷଦ ମୂଖ୍ୟ ଉନ୍ନୟନ ଅଧିକାରୀଙ୍କ ଉଦ୍ଦେଶ୍ୟରେ ପ୍ରେରଣ କରାଯାଇଛି। ତହସିଲଦାର ଅରୁଣ କୁମାର ବର୍ଗେଙ୍କୁ ପଚାରିବାରୁ ଆମେ ଗାଁ ଲୋକଙ୍କ ଅଭିଯୋଗ ପତ୍ରକୁ ମୂଖ୍ୟ ଶାସନ ସଚିବଙ୍କୁ ପଠେଇଦେବୁ ବୋଲି କହିଛନ୍ତି।
Dharitri – Odisha’s No.1, Most Trusted Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।