ବାଂଲାଦେଶରେ ଭାରତୀୟ ରାଷ୍ଟ୍ରଦୂତ ଦିନେଶ ତ୍ରିବେଦୀଙ୍କ ବୟାନକୁ ନେଇ ବିବାଦ, ଜମାତ-ଏ-ଇସଲାମୀର କଡ଼ା ପ୍ରତିକ୍ରିୟା

Jun 15, 2026 - 17:18
ବାଂଲାଦେଶରେ ଭାରତୀୟ ରାଷ୍ଟ୍ରଦୂତ ଦିନେଶ ତ୍ରିବେଦୀଙ୍କ ବୟାନକୁ ନେଇ ବିବାଦ, ଜମାତ-ଏ-ଇସଲାମୀର କଡ଼ା ପ୍ରତିକ୍ରିୟା

ବାଂଲାଦେଶରେ ଭାରତର ନବନିଯୁକ୍ତ ହାଇକମିଶନର (ରାଷ୍ଟ୍ରଦୂତ) ଦିନେଶ ତ୍ରିବେଦୀ ନିଜର ଏକ ବୟାନକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି। ଦାୟିତ୍ୱ ଗ୍ରହଣ କରିବା ପୂର୍ବରୁ ତାଙ୍କ ଦ୍ୱାରା ଦିଆଯାଇଥିବା ମନ୍ତବ୍ୟକୁ ନେଇ ବାଂଲାଦେଶର ରାଜନୈତିକ ମହଲରେ ବିବାଦ ସୃଷ୍ଟି ହୋଇଛି। ବିଶେଷକରି କଟ୍ଟରପନ୍ଥୀ ଇସଲାମୀୟ ଦଳ ଜମାତ-ଏ-ଇସଲାମୀ ତାଙ୍କ ମନ୍ତବ୍ୟ ଉପରେ କଡ଼ା ଆପତ୍ତି ଜଣାଇଛି।

ତ୍ରିବେଦୀଙ୍କ ବୟାନ କ'ଣ ଥିଲା?

ନିକଟରେ ବେନାପୋଲ୍ ସୀମା ଦେଇ ବାଂଲାଦେଶରେ ପ୍ରବେଶ କରିବା ସମୟରେ ଦିନେଶ ତ୍ରିବେଦୀ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଥିଲେ ଯେ, ଭାରତ ଏବଂ ବାଂଲାଦେଶ ଅଲଗା ରହି ଏକ ଶକ୍ତିଶାଳୀ ରାଷ୍ଟ୍ର ପାଲଟିପାରିବେ ନାହିଁ। ଭାରତର ୧୪୦ କୋଟି ଏବଂ ବାଂଲାଦେଶର ୨୦ କୋଟି ଲୋକଙ୍କୁ ମିଶାଇ ମୋଟ ୧.୬ ବିଲିୟନ (୧୬୦ କୋଟି) ଲୋକଙ୍କ ସ୍ୱାର୍ଥ ପାଇଁ ମିଳିମିଶି କାମ କରିବା ଆବଶ୍ୟକ। ସେ ଆହୁରି ମଧ୍ୟ କହିଥିଲେ ଯେ, 'ଭାରତ ଓ ବାଂଲାଦେଶ ସମାନ ଆକାଶ ଓ ପବନ ଅଂଶୀଦାର କରନ୍ତି ଏବଂ ଉଭୟ ଦେଶକୁ ଏକାଠି କାମ କରିବାକୁ ପଡ଼ିବ।' ତାଙ୍କର ଏହି 'ଏକାଠି ମିଶିବା' ବା 'ଏକ ହେବା' ପ୍ରସଙ୍ଗ ଏବେ ବିବାଦର କେନ୍ଦ୍ରବିନ୍ଦୁ ପାଲଟିଛି।

ଜମାତ-ଏ-ଇସଲାମୀ ଏବଂ ବିରୋଧୀଙ୍କ ଆପତ୍ତି

ତ୍ରିବେଦୀଙ୍କ ଏହି ବୟାନ ଉପରେ ବାଂଲାଦେଶ ଜମାତ-ଏ-ଇସଲାମୀର ମୁଖ୍ୟ ସଫିକୁର ରହମାନ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ, ବାଂଲାଦେଶ ଏକ ସ୍ୱାଧୀନ ଦେଶ ଏବଂ ତ୍ରିବେଦୀଙ୍କ 'ଉଭୟ ଦେଶ ଏକ ହେବା' ବୟାନ ଅତ୍ୟନ୍ତ ନିନ୍ଦନୀୟ। ଏହା ସହିତ ସେ ବାଂଲାଦେଶର ତାରିକ୍ ରହମାନ ସରକାରଙ୍କୁ ଅନୁରୋଧ କରିଛନ୍ତି ଯେ ସେମାନେ ଏହି ପ୍ରସଙ୍ଗରେ ଭାରତୀୟ ହାଇକମିଶନରଙ୍କଠାରୁ ସ୍ପଷ୍ଟୀକରଣ ମାଗନ୍ତୁ।

ଅନ୍ୟପକ୍ଷରେ, ନ୍ୟାସନାଲ୍ ସିଟିଜେନ୍ ପାର୍ଟିର ନେତା ତଥା ବିରୋଧୀ ଦଳର ଚିଫ୍ ହ୍ୱିପ୍ ନାହିଦ ଇସଲାମ ମଧ୍ୟ ଏହି ବୟାନକୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ, 'ଭାରତ ଓ ବାଂଲାଦେଶର ଆକାଶ ଏବଂ ମାଟି ଏକ ନୁହେଁ। ଏହି ବିଷୟରେ ୧୯୪୭ ମସିହାରେ ହିଁ ନିଷ୍ପତ୍ତି ନିଆଯାଇସାରିଛି।'

କୂଟନୈତିକ ମହତ୍ତ୍ୱ

୧୯୭୧ ମସିହାରେ ବାଂଲାଦେଶ ସ୍ୱାଧୀନ ହେବା ପରେ ଦିନେଶ ତ୍ରିବେଦୀ ହେଉଛନ୍ତି ପ୍ରଥମ ରାଜନୈତିକ ବ୍ୟକ୍ତି, ଯାହାଙ୍କୁ ଭାରତ ସରକାର ଢାକାରେ ହାଇକମିଶନର ଭାବେ ନିଯୁକ୍ତି ଦେଇଛନ୍ତି। ବର୍ତ୍ତମାନ ବାଂଲାଦେଶରେ ରାଜନୈତିକ ଅସ୍ଥିରତା ଲାଗିରହିଥିବା ବେଳେ ନୂତନ ରାଷ୍ଟ୍ରଦୂତଙ୍କ ଏହି ବୟାନ ଦୁଇ ଦେଶ ମଧ୍ୟରେ କୂଟନୈତିକ ଉତ୍ତେଜନା ସୃଷ୍ଟି କରିବାର ଆଶଙ୍କା ଦେଖାଦେଇଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAKALA - ସକାଳ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।