ବହ୍ବାରମ୍ଭେ ଲଘୁକ୍ରିୟା

Jun 27, 2026 - 09:29
ବହ୍ବାରମ୍ଭେ ଲଘୁକ୍ରିୟା

ସଂସ୍କୃତରେ ଗୋଟିଏ ଶ୍ଳୋକ ଅଛି ”ଅଜା ଯୁଦ୍ଧେ ଋଷି ଶ୍ରାଦ୍ଧେ ପ୍ରଭାତେ ମେଘ ଡମ୍ବରୁ, ଦାମ୍ପତ୍ୟ କଳହଶ୍ଚୈ ବହ୍ବାରମ୍ଭେ ଲଘୁକ୍ରିୟା’ ଏହାର ଅର୍ଥ ଦୁଇଟି ଛେଳି ଗୋଳଯୁଦ୍ଧ ପାଇଁ ବ୍ୟାପକ ଭାବରେ ନିଜକୁ ପ୍ରସ୍ତୁତ କରନ୍ତି। କିନ୍ତୁ ଲଢେଇ ସାମାନ୍ୟ ହୋଇଥାଏ। ଋଷି ଅର୍ଥରେ ଭୀଷ୍ମଙ୍କ ଶ୍ରାଦ୍ଧ ସମସ୍ତ ବ୍ରାହ୍ମଣମାନେ କରନ୍ତି । ଶ୍ରାଦ୍ଧର ଉପଚାର ଭାବରେ ଉଷୁନା ଚାଉଳ, ବିରିଡାଲି ଓ ବାଇଗଣ ପୋଡ଼ା ନୈବେଦ୍ୟ ହୋଇଥାଏ। ସକାଳ ମେଘ ଯେତେ ଗର୍ଜନ କରି ଆସିଲେ ମଧ୍ୟ ବର୍ଷା ଅତ୍ୟଳ୍ପ ହୋଇଥାଏ। ସାଧାରଣତଃ ଦମ୍ପତିଙ୍କ କଳହ କ୍ଷଣସ୍ଥାୟୀ। ଏହି ‘ବହ୍ବାରମ୍ଭେ ଲଘୁକ୍ରିୟା’ରେ ଯଦି ଆଉକିଛି ଯୋଗ କରିବାର ଆବଶ୍ୟକ ହୁଏ ତାହା ହେଉଛି ପୁରୀର ରଥଯାତ୍ରା। ଯେଉଁମାନେ ଏହି ରଥଯାତ୍ରା ସମ୍ପର୍କରେ ଅନୁଭବୀ ସେମାନେ ଜାଣନ୍ତି ଯେ ପ୍ରତ୍ୟେକ ବର୍ଷ ଏହି ଯାତ୍ରାର ପୂର୍ବ ପ୍ରସ୍ତୁତି ଯେଭଳି ପ୍ରଚାର ହୋଇଥାଏ କାର୍ଯ୍ୟରେ ତାହା ହୋଇ ନ ଥାଏ। ତିନିଗୋଟି ପ୍ରସ୍ତୁତି ସମୀକ୍ଷା ବୈଠକ ହୋଇଥାଏ । ସେଇସବୁ ବୈଠକରେ ପ୍ରତ୍ୟେକ ବିଭାଗର ପ୍ରସ୍ତୁତି ଫର୍ଦ୍ଦର ଉପସ୍ଥାପନାରୁ ସମ୍ପୃକ୍ତ ବିଭାଗର ପ୍ରତିବଦ୍ଧତା ସନ୍ତୋଷଜନକ ମନେହୁଏ। ହେଲେ ବୈଠକରେ ଯଦି କେହି କୌଣସି ଅବ୍ୟବସ୍ଥା ସମ୍ପର୍କରେ ପ୍ରଶ୍ନ କରେ ତାଙ୍କ ସ୍ବରକୁ ଚାପି ଦିଆଯାଏ। ଅନେକ ଅବ୍ୟବସ୍ଥିତ ବ୍ୟବସ୍ଥାରେ ସମ୍ପନ୍ନ ରଥଯାତ୍ରା ପରେ କୌଣସି ଘଟଣା, ଦୁର୍ଘଟଣା ଉପରେ ଆଲୋଚନା ହୁଏନାହିଁ। ଅତୀତରେ ଏକାଧିକ ଥର ରଥଯାତ୍ରାରେ ଅନେକ ଭକ୍ତଙ୍କ ମୃତ୍ୟୁ ହୋଇଥିଲା। ଶ୍ରୀବିଗ୍ରହମାନଙ୍କ ଅଙ୍ଗକୁ ମଧ୍ୟ ଆଘାତ ହୋଇଥିଲା। ଅନେକ ମନୁଷ୍ୟକୃତ ଘଟଣାରେ ଲୋକଙ୍କ ଅସନ୍ତୋଷ ପ୍ରଶମନ ପାଇଁ କେବଳ ଉଚ୍ଚସ୍ତରୀୟ ତଦନ୍ତ ବା ତଦନ୍ତ କମିଶନ ଘୋଷଣା ସହ ରିପୋର୍ଟ ଆଧାରରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପ୍ରତିଶ୍ରୁତି ଦିଆଯାଇ ଥିଲା। ଯାହାର ସଂଖ୍ୟା ଦଶରୁ ଅଧିକ ହୋଇଥିବା ବେଳେ ଏଯାତ୍‌ ଗୋଟିଏ ରିପୋର୍ଟ ସାର୍ବଜନୀନ ହୋଇନାହିଁ କି ତା’ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ ।
ଶ୍ରୀଜୀଉଙ୍କ ବିଶ୍ବପ୍ରସିଦ୍ଧ ରଥଯାତ୍ରାର ଦ୍ୱାହି ଦେଇ ଭକ୍ତଙ୍କ ସୁବିଧା, ନିରାପତ୍ତା ନାମରେ ଅଟକଳ ମୁତାବକ ଅର୍ଥ ଅନୁଦାନ ମିଳୁଥିବା ଯୋଗୁ ଖର୍ଚ୍ଚ ଅଟକଳ ପାଇଁ ପ୍ରତିଦ୍ବନ୍ଦ୍ବିତା ଚାଲେ। ବଡ଼ଦାଣ୍ଡର ସମସ୍ତ କୋଠାକୁ ଗୋଟିଏ ରଙ୍ଗର କରିବା ବ୍ୟବସ୍ଥା ଏ ବର୍ଷ ଅଠରନଳା ପର୍ଯ୍ୟନ୍ତ ସମ୍ପ୍ରସାରଣ ହେବା ତା’ର ନମୁନା। ରଥଯାତ୍ରାର ଠିକ୍‌ ପୂର୍ବରୁ ଅନେକ ରାତିଅଧିଆ ନିର୍ମାଣ କାର୍ଯ୍ୟ କରାଯିବା ଏକ ପରମ୍ପରା ହୋଇଯାଇଛି। ଯାହାର ଆୟୁ ସ୍ବଳ୍ପ ହେବା ସ୍ବାଭାବିକ। ଏହି ଯାତ୍ରା ସମୟରେ ଅଧସ୍ତନ ଅଧିକାରୀଙ୍କ ଆତିଥ୍ୟସେବା ସେମାନଙ୍କ ଭବିଷ୍ୟତ ପାଇଁ ନିର୍ଣ୍ଣାୟକ ହେଉଥିବା ଅନୁଭବୀମାନେ ଜାଣନ୍ତି । ଭକ୍ତଙ୍କ ପାଇଁ ଭକ୍ତଙ୍କ ନାମରେ ସମୀକ୍ଷା ବୈଠକରେ ଯେଉଁ ବିଭାଗ ସମ୍ପୂର୍ଣ୍ଣ ପ୍ରସ୍ତୁତିର ଡିଣ୍ଡିମ ପିଟନ୍ତି ରଥଯାତ୍ରା ସମୟରେ ସେମାନେ ଭକ୍ତଙ୍କ ପରିବର୍ତ୍ତେ ବିଶିଷ୍ଟ ଓ ଅତି ବିଶିଷ୍ଟ ବ୍ୟକ୍ତିଙ୍କ ସ୍ବାଚ୍ଛନ୍ଦ୍ୟ ରହଣି, ଖାଦ୍ୟପେୟ, ରଥାରୂଢ଼ ଶ୍ରୀଜୀଉମାନଙ୍କ ଦର୍ଶନ ସହ ଆବଶ୍ୟକ ସ୍ଥଳେ ରଥ ସ୍ପର୍ଶ ପାଇଁ ସୁଯୋଗ ସୃଷ୍ଟି କରନ୍ତି। କିନ୍ତୁ ଆମର ସାମାଜିକ ବିଧି ବ୍ୟବସ୍ଥାରେ ନବ ଦମ୍ପତି ଏବଂ ମାନସିକଧାରୀଙ୍କ ଶୂନ୍ୟ ରଥ ସ୍ପର୍ଶ ପରମ୍ପରାକୁ ବନ୍ଦ କରାଯାଏ। ରଥ ଟଣା ନିୟନ୍ତ୍ରଣ ପାଇଁ କର୍ଡନ ପାସ୍‌ ଯଥାସମ୍ଭବ ସୀମିତ ରଖିବା ସମସ୍ତ ପ୍ରସ୍ତୁତି ବୈଠକରେ ଘୋଷଣା ସତ୍ତ୍ୱେ ବାସ୍ତବ ଚିତ୍ର ସମ୍ପୂର୍ଣ୍ଣ ଅଲଗା ରହେ। ଉଲ୍ଲେଖନୀୟ ଯେ, ରଥଯାତ୍ରା ବେଳେ କେବଳ ଶାସକ ଦଳୀୟ କର୍ମୀମାନେ ସ୍ବେଚ୍ଛାସେବୀ ଘୋଷିତ ହୋଇ କର୍ଡନ ପାସ୍‌ ପାଇଥାନ୍ତି। ଗତବର୍ଷ ପ୍ରଥମ ଥର ପାଇଁ ସେମାନଙ୍କ ସଂଖ୍ୟା ୨୨୦୦କୁ ବୃଦ୍ଧି ପାଇବାରେ ସେମାନଙ୍କର ରହଣି ପାଇଁ ସ୍କାଉଟ ସ୍ବେଚ୍ଛାସେବୀଙ୍କୁ ରାତିଅଧିଆ ସ୍ଥାନାନ୍ତର କରାଯାଇଥିଲା। ଏମାନଙ୍କ ଉପସ୍ଥିତି ରଥଟଣାରେ ବାଧକ ହୋଇଥିଲା ବୋଲି ପ୍ରଶାସନିକ ଅଧିକାରୀ ପ୍ରକାଶ କରିଥିଲେ।
ଶାସକ ଦଳ କର୍ମକର୍ତ୍ତାଙ୍କ ସମେତ ଅନେକ ବିଶିଷ୍ଟ ଓ ଅତି ବିଶିଷ୍ଟ ଲୋକଙ୍କ ରହଣି ପାଇଁ ସହର ବିଶେଷତଃ ସମୁଦ୍ରକୂଳିଆ ହୋଟେଲର ଏକାଧିକ କୋଠରି ଜିଲା ପ୍ରଶାସନ ନିଜ ଦଖଲରେ ରଖୁଥିବାରୁ ବଳକା କୋଠରି ପାଇଁ ହୋଟେଲ ମାଲିକ ମନଇଚ୍ଛା ଭଡ଼ା ନିଅନ୍ତି। ଅନଧିକୃତ ଭାବରେ ଏବଂ ଅଗ୍ନି ନିରାପତ୍ତା ନ ଥାଇ ଛତୁ ଫୁଟିବା ଭଳି ଲଜିଂ ପ୍ରଶାସନିକ ନିଷ୍କ୍ରିୟତା ଯୋଗୁ ସମ୍ଭବ ହୁଏ। ରଥଯାତ୍ରା ବେଳେ ଭକ୍ତଙ୍କ ନିରାପତ୍ତା ଓ ସ୍ବାସ୍ଥ୍ୟକୁ ନିରୀକ୍ଷଣ ପାଇଁ ଗତବର୍ଷ ଅନେକ କୋଟି ଟଙ୍କାରେ ସହରକୁ ସିସିଟିଭି କ୍ୟାମେରା ନଜରରେ ରଖାଯାଇଥିବା ପ୍ରଚାର ହୋଇଥିଲା। ମାତ୍ର ଗୁଣ୍ଡିଚା ମନ୍ଦିର ପାଖରେ ଦଳାଚକଟାରେ ଲୋକଙ୍କ ମୃତ୍ୟୁ ପରେ ଏହି ମିଛ ଧରାପଡିଥିଲେ ବି କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ। ପୂର୍ବ ପ୍ରଚଳିତ ବିଧି ଅନୁଯାୟୀ ରଥଯାତ୍ରା ବେଳେ ଆସୁଥିବା ପୋଲିସଙ୍କ ରହଣି ପାଇଁ ସହରର ସମସ୍ତ ସ୍କୁଲ ଛୁଟି ହୋଇଥାଏ। ଚଳିତ ବର୍ଷ ପ୍ରଥମ ଥରପାଇଁ ତିନି କୋଟିରୁ ଊଦ୍ଧର୍‌ବ ଟଙ୍କା ବରାଦରେ ଆସ୍ଥାୟୀ ଫାଇବର ଘର ନିର୍ମାଣ ଇତିହାସ ସୃଷ୍ଟି କରିବ। କିନ୍ତୁ ଯାତ୍ରା ପାଇଁ ନିୟୋଜିତ ଅନେକ ତଳିଆ ପୋଲିସ କର୍ମଚାରୀ ବିଶିଷ୍ଟ ବା ଅତି ବିଶିଷ୍ଟ ବ୍ୟକ୍ତିଙ୍କ ବ୍ୟକ୍ତିଗତ ନିରାପତ୍ତା ଦାୟିତ୍ୱରେ ରହନ୍ତି। ବିଗତ ସମସ୍ତ ବର୍ଷର ଖର୍ଚ୍ଚକୁ ପଛରେ ପକାଇ ଚଳିତ ବର୍ଷ ପ୍ରଥମଥର ପାଇଁ ଅତ୍ୟଧିକ ବ୍ୟୟବହୁଳ ରଥ ନିର୍ମାଣ ପଛରେ ପ୍ରଶାସନିକ ନିୟନ୍ତ୍ରଣ ପରିବର୍ତ୍ତେ ଅହେତୁକ ଅନୁକମ୍ପା ଓ ଲୋକଙ୍କ ଟିକସ ସହ ଶ୍ରୀଜୀଉମାନଙ୍କ ଉଦ୍ଦେଶ୍ୟରେ ପ୍ରଦତ୍ତ ଦାନର ବ୍ୟାପକ ଦୁରୁପଯୋଗ ମଧ୍ୟ ଇତିହାସ ସୃଷ୍ଟି କରିଛି। ରଥଯାତ୍ରା ବେଳେ ସ୍ବାସ୍ଥ୍ୟ ସେବା ପାଇଁ ବେଶ୍‌ ରୋଚକ ପ୍ରସ୍ତୁତିର ରଙ୍ଗିନ ଚିତ୍ର ଉପସ୍ଥାପିତ ହୁଏ। ମାତ୍ର ଶ୍ରୀଗୁଣ୍ଡିଚା ପରଦିନଠାରୁ ଅସ୍ଥାୟୀ ଚିକିତ୍ସା କେନ୍ଦ୍ର ଖାଲି ପଡ଼ୁଥିବା ବେଳେ ଡାକ୍ତରଙ୍କ ସ୍ଥିତି ପ୍ରଶ୍ନବାଚୀରେ ରହିଯାଏ। ଭକ୍ତଙ୍କ ପାଇଁ ନିର୍ମିତ ପାଇଖାନା ପୋଲିସଙ୍କ ସେବାରେ ଲାଗେ। ପ୍ରତ୍ୟେକ ଛକ ଗଳି ପାଖରେ ମୁତୟନ ପୋଲିସ କେବଳ ଲୋକଙ୍କୁ ଆଗକୁ ଯିବାକୁ ବାରଣ କରନ୍ତି। କିନ୍ତୁ କେଉଁ ବାଟରେ ଗନ୍ତବ୍ୟ ସ୍ଥାନକୁ ଯାଇହେବ ତାର ସୂଚନା ନ ଥାଏ। ଏହାର ଶିକାର ହୁଅନ୍ତି ପୁରୀ ସହରର ଅଧିବାସୀ। ଘରେ ବନ୍ଧୁଙ୍କ ଉପସ୍ଥିତି ପାଇଁ ପରିବା, ସଉଦା ଆଣିବାଠାରୁ ଅନ୍ୟ ସ୍ଥାନରେ ଥିବା ଆତ୍ମୀୟଙ୍କ ସହ ସାକ୍ଷାତ ବା ସ୍ଥଳବିଶେଷରେ ଷ୍ଟେଶନ, ବସ୍‌ଷ୍ଟାଣ୍ଡ ବା ଡାକ୍ତରଖାନା ସେମାନଙ୍କ ପାଇଁ ନିଷିଦ୍ଧ ହୋଇଯାଏ। କିନ୍ତୁ ପ୍ରତ୍ୟେକ ସମୀକରଣ ବୈଠକରେ ଏହି ଅସୁବିଧା ଦୂରୀକରଣ ପାଇଁ ଉପଯୁକ୍ତ ପଦକ୍ଷେପର ସୂଚନା ଦିଆଯାଇଥାଏ। ଯାତ୍ରା ସମୟରେ ଅତିରିକ୍ତ ବସ୍‌ ଭଡା ଅଲିଖିତ ପରମ୍ପରା ହୋଇଯାଏ।
ସବୁଠାରୁ ରୋଚକ ଦୃଶ୍ୟ ଶ୍ରୀଜୀଉମାନେ ଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ ବେଳେ ଦେଖିବାକୁ ମିଳିଥାଏ। ଭକ୍ତମାନେ ଲମ୍ବା ଧାଡ଼ିରେ ଦର୍ଶନ ପାଇଁ ଅପେକ୍ଷାରତ ଥିବାବେଳେ ଗଳାବାଟ ଦେଇ ଦର୍ଶନ ଅବ୍ୟାହତ ରହେ। ସେବକମାନେ ଅର୍ଥ ବିନିମୟରେ ଅନେକ ଦର୍ଶନାର୍ଥୀଙ୍କୁ ମନ୍ଦିର ପ୍ରବେଶ କରାଇଥାନ୍ତି। ଦୀର୍ଘ ବର୍ଷ ଧରି ଶ୍ରୀମନ୍ଦିର ପ୍ରଶାସନ ସହ ରାଜ୍ୟ ସରକାର ସେବକ ମନସ୍କ ହୋଇ ସାରିଥିବାରୁ ଏହି ଯାତ୍ରାର ପ୍ରସ୍ତୁତି ବୈଠକଠାରୁ ଯାତ୍ରା ଶେଷ ପର୍ଯ୍ୟନ୍ତ ସେମାନେ ଖୁବ ପ୍ରଭାବଶାଳୀ ହୁଅନ୍ତି। ରଥଯାତ୍ରାରେ ସେବକଙ୍କ ପାଇଁ ସରକାରୀ ଲାଞ୍ଚର ପରିଭାଷା ବଦଳି ତାହା ପୁରସ୍କାର ଓ କ୍ଷତିପୂରଣ ହୋଇଯାଏ। କେଉଁ ଆଧାରରେ କେଉଁ କ୍ଷତି ଆକଳନ ହୁଏ ତାହା ରହସ୍ୟମୟ।
ଗୁରୁତ୍ୱପୂର୍ଣ୍ଣ ହେଉଛି ରଥ ଉପରେ ଲୋକାର୍ଣ୍ଣବ। ରଥରେ ସେବକଙ୍କ ବିନା ଉପସ୍ଥିତିରେ କରୋନା ସମୟରେ ଭକ୍ତବିହୀନ ରଥଯାତ୍ରା ସମ୍ଭବ ହୋଇଥିଲା ବେଳେ ସେଇ ଧାରା ଅବ୍ୟାହତ ରହିଲେ ନିଶ୍ଚିତ ଭକ୍ତମାନେ ଶ୍ରୀଜୀଉଙ୍କୁ ଦର୍ଶନ କରିପାରନ୍ତେ। ମାତ୍ର ବ୍ୟାପକ ପୁରସ୍କାର ଓ କ୍ଷତିପୂରଣ ସତ୍ତ୍ୱେ ତାହାର ସଂଶୋଧନ ହେଉନାହିଁ। ରଥଯାତ୍ରା ବେଳେ ଅନେକ ଦାତବ୍ୟ ଅନୁଷ୍ଠାନ ନିଃଶୁଳ୍କ ଖାଦ୍ୟ ବିତରଣ କରୁଥିବାରୁ ତାହା ଜନବୃଦ୍ଧି ଓ ପରିମଳ ସମସ୍ୟାର କାରଣ ହୁଏ । ଯାହା ନିୟନ୍ତ୍ରିତ ହେବା ଉଚିତ। ଏତଦବ୍ୟତୀତ ଏହି ଯାତ୍ରା ଆରମ୍ଭରୁ ନୀଳାଦ୍ରି ବିଜେ ମଧ୍ୟରେ ପୁରୀକୁ ପ୍ରବେଶ କରୁଥିବା ସରକାରୀ ଗାଡ଼ି ସହ ପ୍ରତ୍ୟେକ ଭାଗର ଖର୍ଚ୍ଚ ଏବଂ ଯାତ୍ରା ପରିଚାଳନାରେ ଲୋକଙ୍କ ମତର ସୂଚନା ସାର୍ବଜନୀନ କରାଗଲେ ବହ୍ବାରମ୍ଭେ ଲଘୁକ୍ରିୟା ପଦର ଯଥାର୍ଥତା ନିଶ୍ଚିତ ପ୍ରତିପାଦିତ ହେବ।

ହରିଶଙ୍କର ମିଶ୍ର
ମୋ: ୭୯୭୮୭୮୫୪୭୮