ବହି ବିଭ୍ରାଟ, ଆଜିଠୁ କ୍ରାଇମବ୍ରାଞ୍ଚ ତନାଘନା

Jul 13, 2026 - 12:33
ବହି ବିଭ୍ରାଟ, ଆଜିଠୁ କ୍ରାଇମବ୍ରାଞ୍ଚ ତନାଘନା

ଭୁବନେଶ୍ୱର : ପାଠ୍ୟପୁସ୍ତକ ତ୍ରୁଟିରେ ଆଜିଠାରୁ ତଦନ୍ତ କରିବ କ୍ରାଇମବ୍ରାଞ୍ଚ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦେଶ ପରେ କ୍ରାଇମବ୍ରାଞ୍ଚ ଏସ୍.ପି.ଙ୍କ ନିକଟରେ ଏଫ୍.ଆଇ.ଆର୍ ଦେଇଛନ୍ତି ଏସ୍‌ସିଇଆର୍‌ଟି ନିର୍ଦେଶିକା । ସମଗ୍ର ଘଟଣାର ଆମୂଳଚୂଳ ତଦନ୍ତ ପାଇଁ ୫ ଜଣିଆ ସ୍ୱତନ୍ତ୍ର ଟିମ ଗଠନ କରିଛି କ୍ରାଇମବ୍ରାଞ୍ଚ । ସୋମବାରଠାରୁ କ୍ରାଇମ୍‌ବ୍ରାଞ୍ଚ ଟିମ୍‌ ଖୋଳତାଡ଼ କରିବ । କ୍ରାଇମବ୍ରାଞ୍ଚ ତଦନ୍ତକୁ ନେଇ ବଡବଡିଆ ଛାନିଆ ହୋଇପଡିଛନ୍ତି ।

ସମଗ୍ର ଘଟଣାର ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚର ଜଣେ ଏସପିଙ୍କ ନେତୃତ୍ବରେ ଜଣେ ଡିଏସ୍‌ପି ପାହ୍ୟାର ଅଧିକାରୀ ଏବଂ ତିନି ଜଣ ଅଫିସର୍‌ ସାମିଲ ଅଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଉନ୍ନୟନ କମିସନର୍‌ଙ୍କ ଅଧ୍ୟକ୍ଷତାରେ ଗଠିତ ତଦନ୍ତ କମିଟିର ରିପୋର୍ଟ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରାଯିବା ପରେ ତଦନ୍ତ ପ୍ରକ୍ରିୟା ଆଗକୁ ବଢ଼ିବ ବୋଲି କ୍ରାଇମବ୍ରାଞ୍ଚର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି । 

ଇତିମଧ୍ୟରେ ତ୍ରୁଟି ପଛରେ ଯେଉଁମାନେ ରହିଛନ୍ତି ସେମାନଙ୍କ ତାଲିକା ପ୍ରସ୍ତୁତ ହେଉଛି । କେବଳ ସେତିକି ନୁ‌ହେଁ, ୨୦୨୬-୨୭ ଶିକ୍ଷାବର୍ଷରେ ମାଗଣା ପାଠ୍ୟପୁସ୍ତକ ପ୍ରସ୍ତୁତିରେ ୩୦୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଥିବାରୁ ତାହାର ତଦନ୍ତ କରାଯିବ । କେଉଁ ବାବଦରେ କେଉଁ ସଂସ୍ଥାକୁ କେତେ ଟଙ୍କା ଦିଆଯାଇଛି ତାହାର ଟିକିନିଖି ଖୋଳତାଡ଼ ହେବ । ଡିଟିପି ଓ ଡିଜାଇନ୍‌ ପାଇଁ ହୋଇଥିବା ଟେଣ୍ଡର ପ୍ରକ୍ରିୟାର ଦସ୍ତାବିଜ୍‌ ଯାଞ୍ଚ କରାଯିବ ।

ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ(ଓସେପା) ମଧ୍ୟ କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ପରିସରକୁ ଆସିପାରେ । ତଥ୍ୟ ଅନୁଯାୟୀ ସମସ୍ତ ଆର୍ଥିକ କାରବାର ଓସେପା ମାଧ୍ୟମରେ ହିଁ ହୋଇଥାଏ । ମାଗଣା ପାଠ୍ୟପୁସ୍ତକ ପ୍ରସ୍ତୁତି ଓ ବଣ୍ଟନ ବାବଦରେ କେନ୍ଦ୍ର-ରାଜ୍ୟ ଭାଗ ୬୦-୪୦ ରହିଛି । ତେଣୁ ପାଠ୍ୟପୁସ୍ତକ ପ୍ରସ୍ତୁତିରେ ଆଉଟ୍‌ସୋସିଂ ସଂସ୍ଥାକୁ କେତେ ଟଙ୍କା ଲେଖାଏ ପ୍ରଦାନ କରାଯାଇଛି ତାହାର ମଧ୍ୟ ତଦନ୍ତ ହେବ। ପାଠ୍ୟପୁସ୍ତକ ପ୍ରସ୍ତୁତି ପାଇଁ ଗଠିତ ରାଜ୍ୟ ଷ୍ଟିୟରିଂ କମିଟି, କୋର କମିଟି, ସମ୍ପାଦନା ମଣ୍ଡଳୀ, ସମୀକ୍ଷକ ମଣ୍ଡଳୀ, ସଂଯୋଜକମାନେ ବି ଜେରାର ସମ୍ମୁଖୀନ ହୋଇପାରନ୍ତି ।

ସୂଚନାନୁସାରେ,ପାଠ୍ୟପୁସ୍ତକରେ ହୋଇଥିବା ତ୍ରୁଟିର କାରଣ ଅନୁସନ୍ଧାନ କରିବା ପାଇଁ ପୂର୍ବରୁ ମୁଖ୍ୟମନ୍ତ୍ରୀ ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଥିଲେ । କମିଟିର ରିପୋର୍ଟରେ ପାଠ୍ୟପୁସ୍ତକ ପ୍ରସ୍ତୁତି ଓ ପ୍ରକାଶନ ପ୍ରକ୍ରିୟାରେ ଗୁରୁତର ଅବହେଳା ଏବଂ ଅନିୟମିତତା ସାମ୍ନାକୁ ଆସିଥିଲା । ରିପୋର୍ଟ ଆଧାରରେ ଏସ୍‌ସିଇଆର୍‌ଟିର ପୂର୍ବତନ ନିର୍ଦ୍ଦେଶକ ମନୋଜ ପାଢ଼ୀଙ୍କ ସମେତ ସହକାରୀ ନିର୍ଦ୍ଦେଶକ ପ୍ରଲିପ୍ତା ପାଢ଼ୀ, ଦିଲ୍ଲୀପ କୁମାର ସାହୁ ଓ ଭାରତୀ ଟୁଡ଼ୁଙ୍କୁ ନିଲମ୍ବନ କରାଯାଇଛି । ଏହାବ୍ୟତୀତ ଆଉ ୬ ଜଣ ସହକାରୀ ନିର୍ଦ୍ଦେଶକଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।