ବନ୍ୟା ସ୍ଥିତିରେ ସମୀକ୍ଷା କଲେ ରାଜସ୍ବମନ୍ତ୍ରୀ

Jul 31, 2026 - 12:16
ବନ୍ୟା ସ୍ଥିତିରେ ସମୀକ୍ଷା କଲେ ରାଜସ୍ବମନ୍ତ୍ରୀ

ଭୁବନେଶ୍ୱର :  ଗଭୀର ଅବପାତ ଜନିତ ପ୍ରବଳ ବର୍ଷା ଓ ସେଥିରୁ ଉତ୍ପନ୍ନ ବନ୍ୟା ଯୋଗୁଁ ରାଜ୍ୟର ୨୦ଟି ଜିଲା ପ୍ରଭାବିତ ହୋଇଛି । ଏହି ଜିଲାଗୁଡ଼ିକର ୧୦୦ଟି ବ୍ଲକ, ୫୩୯ଟି ପଞ୍ଚାୟତର ୧୪୫୮ଟି ଗାଁ ଓ ୧୪ଟି ସହରାଞ୍ଚଳର ୧୭୬ଟି ୱାର୍ଡକୁ ମିଶାଇ ମୋଟ ୭,୦୫,୨୩୨ ଲୋକ ପ୍ରଭାବିତ ହୋଇଛନ୍ତି । ସେହିପରି, ବନ୍ୟାରେ କେନ୍ଦୁଝର, ଢେଙ୍କାନାଳ ଏବଂ ରାୟଗଡ଼ା ଜିଲାରେ ଜଣେ ଲେଖାଏଁ ମୋଟ ୩ଜଣ ପ୍ରାଣ ହରାଇଛନ୍ତି ବୋଲି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି । 

ରାଜ୍ୟରେ ବନ୍ୟା ସ୍ଥିତି ପରେ ଅନେକ ଅଞ୍ଚଳ ଜଳବନ୍ଦୀ ହୋଇ ରହିଛି । ସାଳନ୍ଦୀ ନଦୀର ଜଳସ୍ତର ବୃଦ୍ଧି ପାଇଛି । ୩୫ ଫୁଟ ର ଘାଇ ସୃଷ୍ଟି ହୋଇଛି । ଫଳରେ ଅନ୍ନପାଳ ପଞ୍ଚାୟତ ରାଜମୁକୁନ୍ଦପୁର ଗାଁ ମଧ୍ୟରେ ଯୋଗାଯୋଗ ସଂପୂର୍ଣ୍ଣ ବିଚ୍ଛିନ୍ନ ହୋଇଛି । ରାଜଘାଟଠାରେ ୧୮.୫୦ ଫୁଟ୍‌ ଉପରେ ପ୍ରବାହିତ ହୋଇଛି । ରାଜଘାଟରେ ବିପଦ ସଂକେତ ୧୭.୦୦ ଫୁଟ୍‌, ଭଦ୍ରକ, ଚାନ୍ଦବାଲି, ତିହିଡ଼ି ଓ ଧାମନଗର ବ୍ଲକ ପ୍ରଭାବିତ ହୋଇଛି । କାଂଶବାଂଶ ଓ ଗମେଈ ନଦୀର ଜଳସ୍ତର ବୃଦ୍ଧି ହୋଇଛି । ବାସୁଦେବପୁର ବ୍ଲକର ୭ଟି ପଞ୍ଚାୟତ ପ୍ରଭାବିତ ହୋଇଛି ।

ସେହିପରି କୁଜଙ୍ଗ ବ୍ଲକର ୫ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଛି । ପାଇକା ଓ ମହାନଦୀରେ ବନ୍ୟା ଜଳ ପ୍ରବାହିତ ହେଉଛି । ମଧୁପୁର ଓ ସାଇଲୋ ଆଶ୍ରୟସ୍ଥଳକୁ ୬୦ ଜଣଙ୍କୁ ସ୍ଥାନାନ୍ତର କରାଯାଇଛି । ଚୌଧୁରୀଗଡ଼ାଠାରେ ମହାନଦୀର ଜଳସ୍ତର ସାଢେ ୫ ଫୁଟ୍‌ ରହିଥିବା ବେଳେ ଭଦ୍ରକ ସାଳନ୍ଦୀ ନଦୀରେ ୩୫ ଫୁଟ୍‌ର ଘାଇ ସୃଷ୍ଟି ହୋଇଛି । ଅନ୍ନପାଳ ପଞ୍ଚାୟତ ରାଜମୁକୁନ୍ଦପୁର ସାଳନ୍ଦୀ ନଦୀରେ ଘାଇ ସହ ୨ଟି ଗାଁ ମଧ୍ୟରେ ଯୋଗାଯୋଗ ସଂପୂର୍ଣ୍ଣ ବିଚ୍ଛିନ୍ନ ହୋଇଯାଇଛି ।

ଅଂଶୁପା ହ୍ରଦ ଭିତରେ ପଶିଲା ମହାନଦୀ ବନ୍ୟାଜଳ। ଆଠଗଡ଼, ତିଗିରିଆ ଓ ବାଙ୍କୀ ବ୍ଲକର ଅନେକ ପଞ୍ଚାୟତ ପ୍ରଭାବିତ ହୋଇଛି। ତିଗିରିଆର ବଡ଼ନାଉପୂଟ, ସୋମପଡ଼ା, ହାଟ୍ଟମାଳ ଓ ଗଦାଧରପୁର ପ୍ରଭାବିତ ହୋଇଛି । ବାଙ୍କୀର ଓସ୍ତିଆ, ସୁବର୍ଣ୍ଣପୁର, ବନ୍ଦାଳ ପଞ୍ଚାୟତର ୧୫ ଗାଁ ପ୍ରଭାବିତ ହୋଇଛି ।

ଗଣିଆ ବ୍ଲକ ୪ଟି ପଞ୍ଚାୟତର ୩୦ ଗାଁ ଜଳବନ୍ଦୀ ହୋଇଛି । ରାସଙ୍ଗ, ଛାମୁଣ୍ଡିଆ ଓ ବଡ଼ଶିଲିଙ୍ଗା ପଞ୍ଚାୟତ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଥିବା ବେଳେ ଗଣିଆ-ବଡ଼ମୂଳ ରାସ୍ତାରେ ୩ ଫୁଟ୍ ବନ୍ୟାପାଣି ପ୍ରବାହିତ ହୋଇଛି ।

ବିପଦ ସଂକେତ ଉପରେ ଦେବୀ ଓ ଭାର୍ଗବୀ ନଦୀର ଜଳସ୍ତର ରହିଥିବା ବେଳେ ବଳଙ୍ଗାଠାରେ ଭାର୍ଗବୀର ବନ୍ୟାଜଳ ୧୧.୨୫ ଉପରେ ପ୍ରବାହିତ ହୋଇଛି। ବଳଙ୍ଗାଠାରେ ଭାର୍ଗବୀ ନଦୀର ବିପଦ ସଂକେତ ୧୦.୪୨ ଫୁଟ୍‌ ରହିଛି, ବାଉରିଆକଣଠାରେ ଦେବୀ ନଦୀ ୫.୦୮ ଫୁଟ୍‌ ଉପରେ ପ୍ରବାହିତ ହୋଇଛି। 

ବାଉରିଆକଣଠାରେ ଦେବୀ ନଦୀର ବିପଦ ସଂକେତ ୪.୯୫ ରହିଛି । ଯାଜପୁରରେ ବନ୍ୟା କମୁଛି ମାତ୍ର ଘାଇ ବଢ଼ାଉଛି ଚିନ୍ତା। ୭ଟି ଘାଇ ପରେ ପୁଣି ନୂଆ ଘାଇ ସୃଷ୍ଟି ହୋଇଛି । ୨୫୦ ଗାଁ ଜଳବନ୍ଦୀ ହେବା ସହ ୧୦ ହଜାର ଲୋକଙ୍କୁ ଅନ୍ୟତ୍ର ସୁରକ୍ଷିତ ସ୍ଥାନାନ୍ତର କରାଯାଇଛି । ବ୍ରାହ୍ମଣୀରେ ୪, ବୈତରଣୀର ଶାଖା ନଦୀ କାଣିରେ ୨ଟି ଘାଇ, ଖରସ୍ରୋତାର ଶାଖା ନଦୀ ନୂଆ ମାହାରାରେ ଗୋଟିଏ ଘାଇ, ପ୍ରାୟ ୨୫୦ ଗାଁର ପାଖାପାଖି ଲକ୍ଷେରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି।

ବନ୍ୟା ମୁକାବିଲା ପାଇଁ ଜଗତସିଂହପୁର ଜିଲ୍ଲାରେ ସରକାରୀ ଅଧିକାରୀଙ୍କ ଛୁଟି ବାତିଲ ହୋଇଛି। ବନ୍ୟାରେ ଜଳମଗ୍ନ ରଘୁନାଥପୁର,ତିର୍ତ୍ତୋଲ ଓ କୁଜଙ୍ଗ। ସେହିପରି ମୁଣ୍ଡଳୀଠାରେ ବଢୁଛି ମହାନଦୀର ଜଳସ୍ତର। ସେକେଣ୍ଡକୁ ୮ ଲକ୍ଷ ୭୩,୦୩୨ କ୍ୟୁସେକ୍‌ ଜଳ ନିଷ୍କାସନ ହେଉଛି। ବର୍ତ୍ତମାନ ଅପ୍‌ ଷ୍ଟ୍ରିମ୍ ଜଳସ୍ତର ୯୪. ୦୦ ଫୁଟ୍ ରହିଛି। ଡାଉନ୍‌ ଷ୍ଟ୍ରିମ୍ ଜଳସ୍ତର ୯୧.୩୦ ଫୁଟ୍ ଥିବା ସୂଚନା ମିଳିଛି।

ଆଜି ରାଜ୍ୟର ୪ଟି ଜିଲ୍ଲାରେ ସ୍କୁଲ୍‌ ଛୁଟି ଘୋଷଣା ହୋଇଛି । ଖୋର୍ଦ୍ଧା, ଜଗତସିଂହପୁର, ଭଦ୍ରକ ଓ ଯାଜପୁରରେ ସ୍କୁଲ୍ ଛୁଟି । ଆସନ୍ତାକାଲି ଜଗତସିଂହପୁର ଓ ଯାଜପୁର ଜିଲ୍ଲାରେ ମଧ୍ୟ ସ୍କୁଲ୍ ଛୁଟି । ଜିଲ୍ଲାର ସମସ୍ତ ସରକାରୀ ଓ ଘରୋଇ ସ୍କୁଲ ଛୁଟି ଘୋଷଣା କରାଯାଇଛି। ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଏହି ନିର୍ଦ୍ଦେଶ ଦେଇଛି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।