ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ଆଶଙ୍କା, ୧୩ରୁ ରାଜ୍ୟରେ ପୁଣି ବଢ଼ିବ ବର୍ଷା

Jul 10, 2026 - 12:22
ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ଆଶଙ୍କା, ୧୩ରୁ ରାଜ୍ୟରେ ପୁଣି ବଢ଼ିବ ବର୍ଷା

ଭୁବନେଶ୍ୱର: ଆସନ୍ତା ୧୩ ତାରିଖ ପରେ ରାଜ୍ୟରେ ପୁଣି ବର୍ଷା ବଢ଼ିବ। ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ଆଶଙ୍କା ରହିଛି। ଏହି ଘୂର୍ଣ୍ଣବଳୟ ଅଧିକ ସକ୍ରିୟ ହେବା ପାଇଁ ପାରିପାର୍ଶ୍ବିକ ସ୍ଥିତି ଅନୁକୂଳ ରହିଥିବା ବେଳେ ଏହି ଘୂର୍ଣ୍ଣିବଳୟ ଦ୍ୱାରା ମୌସୁମୀ ନିମ୍ନଚାପ ରେଖା ମଧ୍ୟ ବଙ୍ଗୋପସାଗର ଉପରେ ରହିବାର ସମ୍ଭାବନା ରହିଛି। ଏହାଦ୍ୱାରା ରାଜ୍ୟରେ ପୁଣି ଥରେ  ବର୍ଷା ବଢ଼ିବା ନେଇ ଆକଳନ କରାଯାଉଛି। ଗତ ଲଘୁଚାପ ପ୍ରଭାବରେ ରାଜ୍ୟରେ ହୋଇଥିବା ଭଲ ବର୍ଷା ଯୋଗୁଁ ବର୍ତ୍ତମାନ ଅନେକ ସ୍ଥାନରେ ଚାଷ କାମ ଆଗଉଛି। ଏହାସହିତ ରାଜ୍ୟରେ ହାରାହାରି ବର୍ଷା ମଧ୍ୟ ଏବେ ସ୍ୱାଭାବିକ ତୁଳନାରେ ଅଧିକ ରହିଛି। ୧୩ ପରେ ପୁଣି ଥରେ ବର୍ଷା ବଢ଼ିଲେ ଏହାକୁ ଆହୁରି ବଳ ମିଳିବ ବୋଲି ଆଶା ରହିଛି। 

ଅନ୍ୟପଟେ ରାଜ୍ୟରେ ଏବେ କିଛି କିଛି ସ୍ଥାନରେ କୋହଲା ପାଗ ସାଙ୍ଗକୁ କାଁ ଭାଁ ବର୍ଷା ହେଉଛି। ଏହି ଧାରା ଆସନ୍ତା ୩-୪ ଦିନ ଜାରି ରହିବ। ଏହି କ୍ରମରେ ଶୁକ୍ରବାର କେନ୍ଦୁଝର, ବାଲେଶ୍ୱର ଭଦ୍ରକ, ଅନୁଗୁଳ, ବୌଦ୍ଧ, ସୁନ୍ଦରଗଡ଼, ସମ୍ୱଲପୁର ଝାରସୁଗୁଡା, ଦେବଗଡ଼ ଓ ମୟୂରଭଞ୍ଜ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି। ସେହିପରି ୧୩ରୁ ବର୍ଷାର ପରିମାଣ ବଢ଼ିବା ଆଶଙ୍କା ଥିବାରୁ ସେହିଦିନ କେନ୍ଦୁଝର ଓ ମୟୂରଭଞ୍ଜରେ ପ୍ରବଳ ବର୍ଷା ହୋଇପାରେ ବୋଲି ଆଶଙ୍କା କରି ପାଣିପାଗ କେନ୍ଦ୍ର ଏହି ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ଆଲର୍ଟ ଜାରି କରିଛି।

ପାଣିପାଗ ବିଭାଗର ପୂର୍ବାନୁମାନକୁ ଦୃଷ୍ଟିରେ ରଖି ଏବେଠାରୁ ଜଳ ସମ୍ପଦ ବିଭାଗ ସଜାଗ ହୋଇଛି। ଜୁଲାଇ ୧୩ ପରେ ବର୍ଷା ବଢ଼ିବାର ଥିବାରୁ ଏହା ପୂର୍ବରୁ ହୀରାକୁଦ ଜଳଭଣ୍ଡାରର ଜଳ ପରିଚାଳନା ସାରିବାକୁ ଯୋଜନା କରାଯାଇଛି। ଏହି କ୍ରମରେ ହୀରାକୁଦ ଡ୍ୟାମରୁ ପର୍ଯ୍ୟାୟକ୍ରମେ ଗେଟ୍‌ ଖୋଲାଯାଉଛି। ଆଗୁଆ ଜଳ ନିଷ୍କାସନ କରି ଆଗାମୀ ବର୍ଷା ଜଳକୁ ସଂରକ୍ଷଣ କରିବା ସହ ସମ୍ଭାବ୍ୟ ବନ୍ୟା ସ୍ଥିତିକୁ ଏଡ଼ାଇବା ପାଇଁ ଯୋଜନା କରିଛି ଜଳ ସମ୍ପଦ ବିଭାଗ। 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAKALA - ସକାଳ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।