ବକ୍ସ କଣ୍ଡୁଇଟ୍ ଅଧୁରା, କୂଳ ଲଙ୍ଘୁଛି କେନାଲ: ସତ ହେଲା ଆଶଙ୍କା
ବରଗଡ଼,୩୦।୭(ପ୍ରେମାନନ୍ଦ ଖମାରୀ):ବରଗଡ଼-ଭେଡ଼େନ କେନାଲରେ ବକ୍ସ କଣ୍ଡୁଇଟ୍ (କେନାଲ ସୌନ୍ଦର୍ଯ୍ୟ ପାଇଁ କରାଯାଇଥିବା କାର୍ଯ୍ୟ)ନିର୍ମାଣରେ ହୋଇଥିବା ଅନିୟମିତତା ଘଟଣାକୁ ନେଇ ଚର୍ଚ୍ଚା ଥମିବାର ନାଁ ନେଉ ନାହିଁ। ମଙ୍ଗଳବାର ରାତିରୁ ହୋଇଥିବା ପ୍ରବଳ ବର୍ଷା ଯୋଗୁ ଜଳସ୍ରୋତରେ ଏହି କେନାଲ କୂଳ ଲଙ୍ଘିବା ପରେ ଏହାକୁ ନେଇ ପୁଣି ଚର୍ଚ୍ଚା ଜୋର୍ ଧରିଛି। ଅନ୍ୟପଟେ କେନାଲ ପାଣି ଯୋଗାଣକୁ ହ୍ରାସ କରି ଦେଇ ବୁଧବାର ପୁଣି ସେହି ସ୍ଥାନରେ ବାଲିବସ୍ତାର ପ୍ୟାଚ୍ଅପ୍ ମରାଯାଉଥିବା ପରିଲକ୍ଷିତ ହୋଇଛି। ପୂର୍ବରୁ ବାଲିବସ୍ତା ପ୍ୟାଚ୍ଅପ୍ ମରାଯିବା ପରେ କେନାଲ କୂଳ ଲଙ୍ଘିବା ନେଇ ଆଶଙ୍କା ଉପୁଜି ଥିଲା ଏବଂ ସେହି ଆଶଙ୍କା ଆଜି ସତ ହୋଇଛି। ତେବେ ବାରମ୍ବାର ବର୍ଷା ଯୋଗୁ ଏଭଳି ହେଲେ ଆଗକୁ କେନାଲର ଅବସ୍ଥା କିଭଳି ହେବ, ତାକୁ ନେଇ ଏବେଠାରୁ ସାଧାରଣରେ ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ସୂଚନା ଅନୁଯାୟୀ, ପ୍ରାୟ ୧୦୦ କୋଟି ଟଙ୍କା ବ୍ୟୟ ଅଟକଳରେ ବରଗଡ଼-ଭେଡ଼େନ କେନାଲର ଆରଡ଼ି ୩୫୬୧ଏମ୍ଠାରୁ ୫୪୭୩ଏମ୍ ପର୍ଯ୍ୟନ୍ତ ବକ୍ସ କଣ୍ଡୁଇଟ୍ ନିର୍ମାଣ ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ। ଏହି ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟରେ ବରଗଡ଼ ସହର ନିକଟସ୍ଥ ଉକ୍ତ କେନାଲର ଆରଡ଼ି ୪୧୪୫ଏମ୍ରୁ ଆର୍ଡି ୫୧୪୦ଏମ୍ ପର୍ଯ୍ୟନ୍ତ ଏହା ନିର୍ମାଣ ପାଇଁ ପ୍ରାୟ ୫୦କୋଟି ଟଙ୍କା ମଞ୍ଜୁର ହୋଇଥିଲା। ଗତ ମେ ମାସ ୧୭ ତାରିଖ ସନ୍ଧ୍ୟାରେ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ସ୍ଥାନୀୟ ବିଧାୟକ ଅଶ୍ୱିନୀ କୁମାର ଷଡ଼ଙ୍ଗୀ ବିଭାଗୀୟ ଯନ୍ତ୍ରୀ, ଅଧିକାରୀ ଏବଂ ହଜାର ହଜାର ଲୋକଙ୍କ ଉପସ୍ଥିତିରେ ଏହି ପ୍ରକଳ୍ପ ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ କରିଥିଲେ। ନିର୍ମାଣ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଥିଲା। କେନାଲରୁ ମେଶିନ ଲଗାଇ କେନାଲର ଭିତରୁ ଏବଂ କେନାଲର ଉଭୟ କୂଳରୁ କଂକ୍ରିଟ ଏବଂ ମାଟି କଢ଼ାଯାଇଥିଲା। ଏହା ଦେଖି କେନାଲ ସୌନ୍ଦର୍ଯ୍ୟକରଣ ପାଇଁ ବକ୍ସ କଣ୍ଡୁଇଟ୍ ନିର୍ମାଣ ହେଉଥିବା ଜାଣି ସ୍ଥାନୀୟ ଲୋକେ ମଧ୍ୟ ଖୁସି ହୋଇଥିଲେ। ହେଲେ ବିନା ଏଗ୍ରିମେଣ୍ଟରେ ଉକ୍ତ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇଥିବା ପରବର୍ତ୍ତୀ ସମୟରେ ଧରାପଡ଼ିଥିଲା। ଏହା ଜଣାପଡ଼ିବା ପରେ ରାଜ୍ୟ ସରକାରଙ୍କ ଜଳସମ୍ପଦ ବିଭାଗ ଏଠାରେ କାର୍ଯ୍ୟରତ ତତ୍କାଳୀନ ଅଧୀକ୍ଷଣ ଯନ୍ତ୍ରୀ, ନିର୍ବାହୀ ଯନ୍ତ୍ରୀ ଏବଂ ସହକାରୀ ଯନ୍ତ୍ରୀଙ୍କୁ ନିଲମ୍ବିତ କରିଥିଲେ। ସେହିପରି ନିଲମ୍ବିତ ସହକାରୀ ଯନ୍ତ୍ରୀ ସମ୍ପୃକ୍ତ ଠିକାଦାରଙ୍କ ବିରୋଧରେ ଏତଲା ଦେବା ପରେ ସ୍ଥାନୀୟ ଟାଉନ ଥାନାରେ ମାମଲା ମଧ୍ୟ ରୁଜୁ ହୋଇଥିଲା।
ଅନ୍ୟପଟେ ବକ୍ସ କଣ୍ଡୁଇଟ୍ ନିର୍ମାଣ ପାଇଁ କେନାଲକୁ ଖୋଲାଯାଇ ସେଥିରୁ ମାଟି, କଂକ୍ରିଟ୍ ଉଠାଯାଇ ଥିବାବେଳେ ଏବେ ପୁଣି ସେହି ଖାଲିସ୍ଥାନରେ ମାଟି କିମ୍ବା କଂକ୍ରିଟ୍ ବଦଳରେ ବାଲିବସ୍ତା ପକାଇ ପ୍ୟାଚଅପ୍ ମରାଯାଇଥିଲା। ବର୍ଷା ମାଡ଼ି ଆସିଲେ କେନାଲର ଉଭୟ ପାର୍ଶ୍ୱରେ ରହିଥିବା ରାସ୍ତାର ସ୍ଥାୟିତ୍ୱ ନେଇ ସେତେବେଳଠୁ ସାଧାରଣରେ ଆଶଙ୍କା ଦେଖାଦେଇଥିଲା। ତେବେ ବର୍ତ୍ତମାନ ବର୍ଷାରେ କେନାଲ କୂଳ ଯେଭଳି ଲଙ୍ଘି ଚାଲିଛି, ତାହା ବଢ଼ି ଚାଲିଲେ ଆଗକୁ ଅଞ୍ଚଳର ଚାଷୀ ତଥା ସ୍ଥାନୀୟ ଲୋକଙ୍କ ଜୀବନ ଜୀବିକା ପ୍ରତି ଆହୁରି ବିପଦ ସାଜିବ ବୋଲି ଆଶଙ୍କା ବଢ଼ି ଚାଲିଛି। ସେହିପରି ଅନ୍ୟପଟେ ସରକାରୀ ଅଧିକାରୀଙ୍କ ତ୍ରୁଟି ପାଇଁ ଅଯଥାରେ ଲକ୍ଷାଧିକ ଟଙ୍କା ଏଭଳିଭାବେ ବରବାଦ୍ ହୋଇ ସରକାରଙ୍କ ରାଜକୋଷ ଖାଲି ହୋଇ ବସିଛି ବୋଲି ସାଧାରଣରେ ମତପ୍ରକାଶ ପାଇଛି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।