ଫାଇନାଲ ଦେଖିବାକୁ ଯିିବେନି ଆର୍ଜେଣ୍ଟିନା ରାଷ୍ଟ୍ରପତି: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

Jul 18, 2026 - 09:01
ଫାଇନାଲ ଦେଖିବାକୁ ଯିିବେନି ଆର୍ଜେଣ୍ଟିନା ରାଷ୍ଟ୍ରପତି: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ବୁଏନ୍ସ ଏରିଜ, ୧୭ା୭ (ଏପି):ଆର୍ଜେଣ୍ଟିନା ରାଷ୍ଟ୍ରପତି ଜାଭିଏର୍‌ ମିଲେଇଙ୍କର ଏକ ଅନ୍ଧବିଶ୍ୱାସ ରହିଛି। ଏଥିପାଇଁ ସେ ରବିବାର ଆର୍ଜେଣ୍ଟିନା ଓ ସ୍ପେନ୍‌ ମଧ୍ୟରେ ଖେଳାଯିବାକୁଥିବା ବିଶ୍ୱକପ୍‌ ଫାଇନାଲ ଦେଖିବାକୁ ଯିବେ ନାହିଁ। ସେ ତାଙ୍କ ବାସଭବନରେ ବସି ମ୍ୟାଚ ଉପଭୋଗ କରିବେ। ପୂର୍ବରୁ ଟୁର୍ନାମେଣ୍ଟରେ ଗତଥରର ଚାମ୍ପିୟନ ଦଳର ସମସ୍ତ ୭ଟି ମ୍ୟାଚ ସେ ଘରେ ବସି ଦେଖିଛନ୍ତି। ସମସ୍ତ ମ୍ୟାଚରେ ଦଳ ବିଜୟ ଲାଭ କରିଛି। ଆର୍ଜେଣ୍ଟିନା କ୍ରମାଗତ ଦ୍ୱିତୀୟ ଥର ଟାଇଟଲ ଜିତିବା ଲକ୍ଷ୍ୟରେ ରହିଛି। ମ୍ୟାଚଗୁଡ଼ିକ ଦେଖିବାବେଳେ ସେ ଯେଉଁ ମୂଲ୍ୟବାନ ଜ୍ୟାକେଟ ପିନ୍ଧିିଥିଲେ, ଫାଇନାଲ ବେଳେ ମଧ୍ୟ ତାହା ପରିଧାନ କରିବେ ବୋଲି ମିଲେଇ କହିଛନ୍ତି। ସାରା ବିଶ୍ୱରେ କେତେକ ଖେଳାଳି ଅବା ପ୍ରଶଂସକଙ୍କର ଭିନ୍ନ ଭିନ୍ନ ଅନ୍ଧବିଶ୍ୱାସ ଥିବା ଦେଖିବାକୁ ମିଳେ। ତାଙ୍କ ଦଳର ଶୁଭକାମନା ହେଉ ଅବା ବିପକ୍ଷ ଦଳ ପାଇଁ ଦୁର୍ଭାଗ୍ୟ ମନାସି ସେମାନଙ୍କର ରହିଥିବା ଅନ୍ଧବିଶ୍ୱାସକୁ ଅନୁସରଣ କରିଥାନ୍ତି। କିନ୍ତୁ ଲାଟିନ ଆମେରିକା ବିଶେଷ କରି ଆର୍ଜେଣ୍ଟିନାରେ ଏହା ‘କାବାଲାସ’ ଭାବେ ପରିଚିତ। ସେମାନେ ସେମାନଙ୍କ ଦଳର ଶୁଭକାମନା କରି ନାନା ପ୍ରକାର ରିତିରିଓ୍ବାଜ କରିଥାନ୍ତି। ଏଥିରୁ ଜାତୀୟ ଦଳ ପ୍ରତି ସେମାନଙ୍କ କେତେ ଭଲ ପାଇବା ତାହା ପ୍ରତିଫଳିତ ହୋଇଥାଏ। ଆର୍ଜେଣ୍ଟିନା ରାଷ୍ଟ୍ରପତି ରବିବାର ନ୍ୟୁଜର୍ସିରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଫିଫା ସଭାପତି ଜିଆନି ଇନ୍‌ଫାଣ୍ଟିନୋଙ୍କ ସହ ଏକତ୍ର ବସି ଫାଇନାଲ ମ୍ୟାଚ ଦେଖିବେ ବୋଲି ଅନେକ ଆଶା କରିଥିଲେ। ମାତ୍ର ତାଙ୍କୁ ଏବିଷୟରେ ଗୁରୁବାର ଜଣେ ଖବରଦାତା ପଚାରିବାରୁ କୌଣସି ମତେ ନୁହେଁ ବୋଲି ସେ କହିଥିଲେ। ସେ ନିଜ ବାସଭବନରେ ହିଁ ମ୍ୟାଚ ଦେଖିବେ। ଏହାଦ୍ୱାରା ତାଙ୍କ ଦଳ ମ୍ୟାଚରେ ବିଜୟ ଲାଭ କରିବ। ପୂର୍ବରୁ ସୁଇଜରଲାଣ୍ଡ ବିପକ୍ଷ ମ୍ୟାଚ ବେଳେ ଥଣ୍ଡା ପଡ଼ିଥିଲା, ମାତ୍ର ସେ ଗରମ ପାଇଁ ହିଟର ଚାଲୁ କରି ନ ଥିଲେ। ଏହା ବଦଳରେ ସେ ଏକ ତୈଳ କମ୍ପାନୀର ବ୍ରାଣ୍ଡେଡ୍‌ ଜ୍ୟାକେଟ ପିନ୍ଧିଥିଲେ। ତାଙ୍କୁ ଗରମ ଲାଗିବାରୁ ସେ ଜ୍ୟାକେଟଟିକୁ କାଢି ଦେବା ମାତ୍ରେ ସୁଇଜରଲାଣ୍ଡ ଆର୍ଜେଣ୍ଟିନାକୁ ଏକ ଗୋଲ ଦେଇଥିଲା। ଏହା ଦେଖିବାମାତ୍ରେ ସେ ଗରମ ଲାଗୁଥିଲେ ମଧ୍ୟ ଏହି ଓଜନଦାର ଜ୍ୟାକେଟ ପରିଧାନ କରି ମ୍ୟାଚ ଦେଖିଥିଲେ। ଫଳାଫଳ ତାଙ୍କ ଦଳ ସପକ୍ଷରେ ଆସିଥିଲା। ମିଲେଇଙ୍କ ଭଳି ଆର୍ଜେଣ୍ଟିନାର ବହୁ ଲୋକ ‘କାବାଲାସ’ର ବିଶ୍ୱାସ କରିଥାନ୍ତି। ଦଳ ଯଦି ଜିତୁଛି ତେବେ ସେତେବେଳେ ସେ ଯାହା ବ୍ୟବହାର କରୁଥିଲେ ତାହା ଦୋହରାଇଥାନ୍ତି। କେତେଜଣ ସମାନ ଜର୍ସି ପିନ୍ଧି ପ୍ରତ୍ୟେକ ମ୍ୟାଚ ଦେଖିଥାନ୍ତି। ବିଶ୍ୱକପ୍‌ ବେଳେ ତାହା ସେ ସଫା କରି ନ ଥାନ୍ତି। କେତେକ ନିର୍ଦ୍ଦିଷ୍ଟ ସ୍ଥାନରେ ବସି ମ୍ୟାଚ୍‌ ଦେଖିବାକୁ ପସନ୍ଦ କରିଥାନ୍ତି। ଅନ୍ୟ କାହାରିକୁ ସେ ସ୍ଥାନରେ ଅନୁମତି ଦେଇ ନ ଥାନ୍ତି। ଯଦି ଆର୍ଜେଣ୍ଟିନାର ସ୍କୋର ବେଳେ ବାଥ୍‌ରୁମ୍‌ରେ ଥାନ୍ତି ସେ ମ୍ୟାଚବେଳେ ବାଥରୁମ୍‌ରେ ରହିବାକୁ ଚାହାନ୍ତି। ଏହି ଛୋଟମୋଟ କାର୍ଯ୍ୟର ଅସାଧାରଣ ଅର୍ଥ ନିହିତ ଥାଏ। ବିଶ୍ୱକପ୍‌ର ଗୋଟିଏ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଇଜିପ୍ଟ ବିପକ୍ଷରେ ଆର୍ଜେଣ୍ଟିନା ଗୋଲ୍‌ ସ୍କୋର କରିବା ମାତ୍ରେ ଦଳେ ସମର୍ଥକ ବାଇବେଲ ପଢ଼ିବା ଆରମ୍ଭ କରି ଦେଇଥିଲେ। ଏହା ପରଠାରୁ ସେମାନେ ଆର୍ଜେଣ୍ଟିନାର ପ୍ରତିଟି ସ୍କୋର ପରେ ବାଇବେଲ ପାଠ କରିଆସୁଛନ୍ତି। ଅନ୍ୟ ଏକ ସାଧାରଣ ରୀତିନୀତି ହେଲା ବିପକ୍ଷ ଦଳର ଖେଳାଳିମାନଙ୍କ ନାମ ଅବା ଫଟୋଚିତ୍ର ଏକ କାଗଜରେ ସ୍ଥାନିତ କରି ତାହାକୁ ଫ୍ରିଜ୍‌ କରିଦେବା। ଆର୍ଜେଣ୍ଟିନା ରାଷ୍ଟ୍ରପତିମାନେ ବହୁ ବର୍ଷ ହେଲା ହାଇ ଭୋଲ୍‌ଟେଜ ମ୍ୟାଚରୁ ସେମାନଙ୍କୁ ଦୂରେଇ ରଖିଛନ୍ତି। କାରଣ ଏହା ସେମାନଙ୍କ ଦଳ ପାଇଁ ଦୁର୍ଭାଗ୍ୟଜନକ ସାବ୍ୟସ୍ତ ହୋଇଛି। ୧୯୯୦ରେ ତତ୍କାଳୀନ ରାଷ୍ଟ୍ରପତି କାର୍ଲୋସ ମେନେମ କାମେରୁନ୍‌ ବିପକ୍ଷ ମ୍ୟାଚ ପୂର୍ବରୁ ଆର୍ଜେଣ୍ଟିନା ବିଶ୍ୱକପ୍‌ ଦଳକୁ ଭେଟିବା ଲାଗି ଯାଇଥିଲେ। ଏହି ମ୍ୟାଚ୍‌ରେ ଆର୍ଜେଣ୍ଟିନା ହାରି ଯାଇଥିଲା।

 

Dharitri – Odisha’s No.1 Odia Daily

 


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।