ପ୍ରେମ ବିବାହକୁ କେନ୍ଦ୍ର କରି ଆକ୍ରମଣ: ବନ୍ଧା ହେଲେ ୭ ଅଭିଯୁକ୍ତ
ଥୁଆମୂଳ ରାମପୁର,୨୯ା୬(ଦୁର୍ଗା କୀର୍ତ୍ତି): ଥୁଆମୂଳ ରାମପୁର ଥାନା ତାରାଗାଁଠାରେ ଏକ ଦଳିତ ପରିବାର ଉପରେ ହୋଇଥିବା ଆକ୍ରମଣ ଘଟଣାରେ ପୋଲିସ ସୋମବାର ୭ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ ନବୀନ ମାଝୀ (୪୦), ସନ୍ତୋଷ ମାଝୀ (୨୫), ଦୟା ସାଗର ଗୌଡ଼ (୨୨), ସାନୁର୍ଜୟ ମାଝୀ (୩୨), ସୁବାସ ଗୌଡ଼ (୪୦), ସାରଥୀ ମାଝୀ (୨୭) ଓ ଡେଙ୍ଗା ମାଝୀ (୫୦)।
ମିଳିଥିବା ସୂଚନା ଅନୁସାରେ, ଗତ ମେ ୩୦ ତାରିଖରେ ଏସ୍ସି ପୁଅ ଓ ଏସ୍ଟି ଝିଅଙ୍କ ପ୍ରେମ ବିବାହ ବିବାଦକୁ କେନ୍ଦ୍ର କରି ଗ୍ରାମର ଶତାଧିକ ଓବିସି ଓ ଏସ୍ଟି ସମ୍ପ୍ରଦାୟର ଲୋକେ କବାଟ ଭାଙ୍ଗି ଏକ ଏସ୍ସି ପରିବାର ଉପରେ ଆକ୍ରମଣ କରିଥିଲେ। ଏଥିରେ ଅଜୟ ନାଏକ, ହଲଧର ନାଏକ ଓ ରତ୍ନାବତୀ ନାଏକ ଗୁରୁତର ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ।
ଏହି ହିଂସାକାଣ୍ଡ ପରେ ଜୀବନ ଭୟରେ ଗ୍ରାମର ୮ଟି ଦଳିତ ପରିବାର ଭିଟାମାଟି ଛାଡ଼ି ଅନ୍ୟତ୍ର ପଳାଇଛନ୍ତି। ଅଭିଯୁକ୍ତଙ୍କୁ ଗିରଫ କରିବାରେ ପୋଲିସର ଶିଥିଳତା ପ୍ରତିବାଦରେ ଅଲ ଓଡ଼ିଶା ସିଡ୍ୟୁଲ୍ଡ କାଷ୍ଟ ଫେଡରେଶନ ପକ୍ଷରୁ ଏସପିଙ୍କ ଅନୁପସ୍ଥିତିରେ ଡିଏସପି ହରିବନ୍ଧୁ ଭତ୍ରାଙ୍କୁ ଭେଟି ତୁରନ୍ତ ନ୍ୟାୟ ପ୍ରଦାନ ସହ ଥାନା ଘେରାଉ ଚେତାବନୀ ଦେଇଥିଲେ। ଏ ନେଇ ଥାନା ଅଧିକାରୀ କୈବଲ୍ୟ ସେଠ କହିଛନ୍ତି ଯେ ସମ୍ବେଦନଶୀଳ ମାମଲା ହୋଇଥିବାରୁ ସବୁ ଦିଗରୁ ତଦନ୍ତ ପାଇଁ ସାମାନ୍ୟ ବିଳମ୍ବ ହୋଇଛି। ବର୍ତ୍ତମାନ ସୁଦ୍ଧା ମାମଲା ନମ୍ବର ୯୧/୨୬ ଅନୁଯାୟୀ ୭ ଜଣଙ୍କୁ ଗିରଫ କରାଯାଇଛି। ଅନ୍ୟ ଅଭିଯୁକ୍ତମାନଙ୍କୁ ମଧ୍ୟ ଗିରଫ କରାଯିବ ବୋଲି କହିଛନ୍ତି।