ପ୍ରଭାତ ବିଶ୍ୱାଳଙ୍କୁ ହାଇକୋର୍ଟ ଝଟକା: ଚିଟଫଣ୍ଡ ମାମଲା ରଦ୍ଦ ଆବେଦନ ଖାରଜ, ୬ ମାସ ମଧ୍ୟରେ ବିଚାର ସାରିବାକୁ ନିର୍ଦ୍ଦେଶ

କଟକ: ଚିଟଫଣ୍ଡ ମାମଲାରେ ପ୍ରଭାତ ବିଶ୍ୱାଳଙ୍କୁ ହାଇକୋର୍ଟ ଝଟକା । ବହୁଚର୍ଚ୍ଚିତ ସିସୋର ଚିଟ୍ଫଣ୍ଡ ଦୁର୍ନୀତି ମାମଲାରେ ଫସିଥିବା ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳଙ୍କୁ ଓଡ଼ିଶା ହାଇକୋର୍ଟରେ ଏକ ବଡ଼ ଝଟକା ଲାଗିଛି। ତାଙ୍କ ବିରୋଧରେ ସିବିଆଇ (CBI) ଦ୍ୱାରା ରୁଜୁ ହୋଇଥିବା ମାମଲାକୁ ରଦ୍ଦ କରିବା ପାଇଁ ସେ କରିଥିବା ଆବେଦନକୁ କୋର୍ଟ ଆଜି ଖାରଜ କରିଦେଇଛନ୍ତି।
ହାଇକୋର୍ଟ ଏହି ମାମଲାକୁ ବାତିଲ କରିବାକୁ ମନା କରିଦେବା ସହ ବିଚାର ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ୬ ମାସ ମଧ୍ୟରେ ବିଚାର ସମ୍ପୂର୍ଣ୍ଣ କରିବାକୁ ସ୍ୱତନ୍ତ୍ର ସିବିଆଇ କୋର୍ଟଙ୍କୁ କୁହାଯାଇଛି। କୌଣସି ଅନାବଶ୍ୟକ ବିଳମ୍ବ ନ କରିବାକୁ ଏବଂ ବାରମ୍ବାର ଶୁଣାଣି ତାରିଖ ନ ଘୁଞ୍ଚାଇବାକୁ ହାଇକୋର୍ଟ କଡ଼ା ତାଗିଦ୍ କରିଛନ୍ତି।
ସୂଚନାଯୋଗ୍ୟ ଯେ, ପୂର୍ବରୁ ମଧ୍ୟ ପ୍ରଭାତ ବିଶ୍ୱାଳ ସମାନ ପ୍ରସଙ୍ଗରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସେହି ସମୟରେ ବିଚାର ପ୍ରକ୍ରିୟା ଗୋଟିଏ ବର୍ଷ ମଧ୍ୟରେ ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ତେବେ ସେହି ସମୟସୀମା ପାର୍ ହୋଇ ଦୁଇ ବର୍ଷ ବିତିଯାଇଥିଲେ ସୁଦ୍ଧା ମାମଲାର ବିଚାର ଏବେ ବି ଅସମ୍ପୂର୍ଣ୍ଣ ରହିଛି।