ପ୍ରକୃତି ରଚିଲା ପ୍ରଳୟ: ଝଡ଼ ଚାଲିଗଲା, ଦୁଃଖ ରହିଗଲା

Jul 31, 2026 - 08:28
ପ୍ରକୃତି ରଚିଲା ପ୍ରଳୟ: ଝଡ଼ ଚାଲିଗଲା, ଦୁଃଖ ରହିଗଲା

ବରଗଡ଼,୩୧।୭(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଲୋକେ କେବଳ ବର୍ଷା ବିପତ୍ାତ୍‌ର ସମ୍ମୁଖୀନ ହୋଇଥିଲେ, ତାହା ନୁହେଁ। ମଙ୍ଗଳବାର ସନ୍ଧ୍ୟାରେ ହୋଇଥିବା ଝଡ଼ ତୋଫାନ ଯୋଗୁ ଜିଲାର ବରଗଡ଼ ବ୍ଲକ ଅନ୍ତର୍ଗତ ଚକରକେନ୍ଦ ଗ୍ରାମ ବ୍ୟାପକ ପ୍ରଭାବିତ ହୋଇଛି। ଗ୍ରାମର ପ୍ରାୟ ୩୦୦ ଘର କ୍ଷତିଗ୍ରସ୍ତ ହୋଇଛି। ସେଥିମଧ୍ୟରୁ ପ୍ରାୟ ୨୫୦ ଘର ସମ୍ପୁର୍ଣ୍ଣ ଏବଂ ବାକି ଘର ଗୁଡ଼ିକ ଆଂଶିକ କ୍ଷତିଗ୍ରସ୍ତ ହୋଇଛି। କେଉଁ ଘରର ଛାତ ଉଡ଼ି ଯାଇଛି ତ ଆଉ କେଉଁଠି ଘରକାନ୍ଥ ଭାଙ୍ଗି ଧୂଳିସାତ ହୋଇ ଯାଇଛି। ସେହିପରି ଗ୍ରାମବାସୀଙ୍କ ପରିବା କିଆରି ମଧ୍ୟ ସମ୍ପୂର୍ଣ୍ଣ ଉଜୁଡ଼ି ଯାଇଛି। ବିଦ୍ୟୁତ୍‌ ଖୁଣ୍ଟଠାରୁ ଆରମ୍ଭ କରି ଶହଶହ ଗଛ ଭାଙ୍ଗି ପଡ଼ିଛି। ଗଛ ଭାଙ୍ଗି ପଡ଼ିଥିବାରୁ ରାସ୍ତା ଅବରୋଧ ହୋଇ ପଡ଼ିଥିଲା। ତେବେ ରାସ୍ତା ଉପରୁ ସେଗୁଡ଼ିକୁ ହଟାଇ ଦେବା ପରେ ଗୁରୁବାରରୁ ରାସ୍ତାରେ ଯାତାୟାତ ସ୍ବାଭାବିକ ହୋଇ ପାରିଛି। ଅନ୍ୟପଟେ ଏପର୍ଯ୍ୟନ୍ତ ବିଦ୍ୟୁତ୍‌ ସେବା ସ୍ବାଭାବିକ ହୋଇପାରି ନାହିଁ। ସେହିପରି ଘର ଗୁଡ଼ିକ ଏଭଳି କ୍ଷତିଗ୍ରସ୍ତ ହୋଇ ପଡ଼ିଛି ଯେ, ତାକୁ ଏବେ ସଜାଡ଼ିବା ମଧ୍ୟ ସମ୍ଭବ ନୁହେଁ। ଫଳରେ ପ୍ରଭାବିତ ଲୋକଙ୍କ ଜୀବନ ଜୀବିକା ଉଜୁଡ଼ି ପଡ଼ିଛି। ଅନେକଙ୍କ ଘରେ ରନ୍ଧାବଢ଼ା ବନ୍ଦ ହୋଇ ଯାଇଛି। ପ୍ରଶାସନ ପକ୍ଷରୁ ଖୋଲା ଯାଇଥିବା ଆଶ୍ରୟସ୍ଥଳୀରେ ସେମାନେ ପିଲାଛୁଆ ଧରି ରହୁଛନ୍ତି। ବିଭନ୍ନ ସାମାଜିକ ଅନୁଷ୍ଠାନ ଏବଂ ଜିଲା ପ୍ରଶାସନ ପକ୍ଷରୁ ପ୍ରଭାବିତ ଲୋକଙ୍କୁ ରିଲିଫ୍‌ ବଣ୍ଟନ କରାଯାଉଛି। ଏଭଳି ସ୍ଥିତିରେ ପ୍ରଭାବିତ ପରିବାରର ଜୀବନ ଦୁର୍ବିସହ ହୋଇ ପଡ଼ିଛି। ଗ୍ରାମର ଜଣେ ପ୍ରଭାବିତ ମହିଳା ବୈଜୟନ୍ତୀ ନାଗ କହିଛନ୍ତି, ଝଡ଼ତୋଫାନରେ ଘର ସମ୍ପୁର୍ଣ୍ଣ ଭାଙ୍ଗି ପଡ଼ିଛି। ରହିବାକୁ ଜାଗା ନାହିଁ। ଆଶ୍ରୟସ୍ଥଳୀରେ ପରିବାର ସହିତ ରହୁଛନ୍ତି। ତେବେ କେତେଦିନ କଲ୍ୟାଣ ମଣ୍ଡପରେ ରହିବୁ ବୋଲି ପ୍ରଶ୍ନ କରି ତୁରନ୍ତ ସାହାର୍ଯ୍ୟ କରିବାକୁ ସେ ସରକାରଙ୍କୁ ନିବେଦନ କରିଛନ୍ତି। ଗୁରୁବାର ବରଗଡ଼ ବିଧାୟକ ଅଶ୍ୱିନୀ କୁମାର ଷଡ଼ଙ୍ଗୀଙ୍କ ସମେତ ଉପଜିଳାପାଳ ପ୍ରସନ୍ନ କୁମାର ପାଣ୍ଡେ, ତହସିଲଦାର ସୋନାଲି ପଟ୍ଟନାୟକ, ବିଡିଓ ବି. ଡୁଙ୍ଗଡୁଙ୍ଗ ପ୍ରମୁଖ ଚକରକେନ୍ଦ ଗ୍ରାମକୁ ପହଞ୍ଚି ପ୍ରଭାବିତ ଲୋକଙ୍କୁ ଭେଟିଥିଲେ। ବିଧାୟକ ଷଡ଼ଙ୍ଗୀ କହିଛନ୍ତି, ଝଡ଼ତୋଫାନ ଯୋଗୁ ଗ୍ରାମରେ ରହିଥିବା ମାଟିଘର ଗୁଡ଼ିକର ଆଉ ଅସ୍ତିତ୍ୱ ନାହିଁ। ଘରଦ୍ୱାର ଭାଙ୍ଗିବା ସହିତ ବୁଣାକାରଙ୍କ ମଙ୍ଗାଶାଳ ମଧ୍ୟ ଉଜୁଡ଼ି ଯାଇଛି। ଶୁକ୍ରବାର ରାଜସ୍ବ ମନ୍ତ୍ରୀଙ୍କୁ ଭେଟି ସେ ଏ ନେଇ ଅବଗତ କରିବେ ଏବଂ ଯେତେଶୀଘ୍ର ପ୍ରଭାବିତ ଲୋକଙ୍କୁ ସରକାରୀ ସହାୟତା ମିଳି ପାରିବ, ସେ ଦିଗରେ ପଦକ୍ଷେପ ନିଆଯିବ ବୋଲି ଷଡ଼ଙ୍ଗୀ କହିଛନ୍ତି। ସେହିପରି ଉପ ଜିଲାପାଳ ପାଣ୍ଡେ କହିଛନ୍ତି, ପ୍ରଭାବିତ ଲୋକଙ୍କୁ ରନ୍ଧାଖାଦ୍ୟ, ତାରପୋଲିନ ଯୋଗାଇ ଦିଆଯାଉଛି। ଟ୍ୟାଙ୍କର ଯୋଗେ ପାନୀୟଜଳ ଯୋଗାଇ ଦିଆଯାଉଛି। କ୍ଷୟକ୍ଷତି ଆକଳନ କରାଯାଉଛି। ଆକଳନ ସରିଲେ ସେ ନେଇ ଚୂଡ଼ାନ୍ତ ରିପୋର୍ଟ ସ୍ବତନ୍ତ୍ର ରିଲିଫ୍‌ କମିଶନରଙ୍କ ପାଖକୁ ପଠାଯିବ ବୋଲି ଉପଜିଲାପାଳ ପାଣ୍ଡେ କହିଛନ୍ତି।

 

Dharitri – Odisha’s No.1 Odia Daily

 


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।