ପୁଣେ ଲୋହଗଡ଼ କିଲ୍ଲା ମାମଲା: କେତନଙ୍କୁ ହତ୍ୟା କରିବା ପାଇଁ ପୂର୍ବରୁ ବି ଉଦ୍ୟମ କରିଥିଲା ସିୟା, ବାପା କଲେ ବଡ଼ ଖୁଲାସା

ପୁଣେର ଲୋହଗଡ଼ କିଲ୍ଲାରେ ବ୍ୟବସାୟୀ କେତନ ଅଗ୍ରୱାଲଙ୍କ ସନ୍ଦେହଜନକ ମୃତ୍ୟୁ ମାମଲାରେ ଏବେ ନୂଆ ନୂଆ ଖୁଲାସା ହେବାରେ ଲାଗିଛି। ପ୍ରଥମେ ଏହା ଏକ ଦୁର୍ଘଟଣା ବୋଲି କୁହାଯାଉଥିବା ବେଳେ ପୋଲିସର ତଦନ୍ତ ପରେ ଏହା ଏକ ସୁଚିନ୍ତିତ ହତ୍ୟାକାଣ୍ଡ ବୋଲି ଜଣାପଡ଼ିଛି। କେତନଙ୍କୁ ତାଙ୍କ ଭାବୀ ପତ୍ନୀ ସିୟା ଗୋୟଲ ଏବଂ ତାଙ୍କ ପ୍ରେମିକ ଚେତନ ଚୌଧୁରୀ ୩୫୦ ଫୁଟ୍ ଗଭୀର ଖାଇକୁ ଠେଲି ଦେଇ ହତ୍ୟା କରିଥିବା ନେଇ ପୋଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏବେ କେତନଙ୍କ ବାପା ବିଶାଳ ଅଗ୍ରୱାଲ ଏହି ହତ୍ୟାକାଣ୍ଡକୁ ନେଇ କିଛି ଚମକାଇଦେବା ଭଳି ଖୁଲାସା କରିଛନ୍ତି।
ପୂର୍ବରୁ ମଧ୍ୟ ହତ୍ୟା କରିବାକୁ ଉଦ୍ୟମ ହୋଇଥିଲା
କେତନଙ୍କ ବାପା ଦାବି କରିଛନ୍ତି ଯେ, ୧୮ ଜୁନ୍ରେ ଘଟିଥିବା ଏହି ଘଟଣା କୌଣସି ଦୁର୍ଘଟଣା ନଥିଲା, ବରଂ ଏକ ସୁପରିକଳ୍ପିତ ଷଡ଼ଯନ୍ତ୍ର ଥିଲା। ସିୟା ନିଜ ଜନ୍ମଦିନ ପାଳନ କରିବା ବାହାନାରେ କେତନଙ୍କୁ ଲୋହଗଡ଼ କିଲ୍ଲାକୁ ନେଇଯାଇଥିଲେ। କେବଳ ସେତିକି ନୁହେଁ, ଏହାର ୪ ଦିନ ପୂର୍ବରୁ ଅର୍ଥାତ୍ ୧୪ ଜୁନ୍ରେ ମଧ୍ୟ ସିୟା କେତନଙ୍କୁ ହତ୍ୟା କରିବାକୁ ଉଦ୍ୟମ କରିଥିଲେ। ସେହିଦିନ ଉଭୟ କିଲ୍ଲାକୁ ଯାଇଥିବା ବେଳେ ସିୟା କେତନଙ୍କୁ ପଛଆଡୁ ଠେଲି ଦେଇଥିଲେ। କିନ୍ତୁ କେତନ ଏକ ବୁଦାକୁ ଧରି ପକାଇବାରୁ ଅଳ୍ପକେ ବର୍ତ୍ତି ଯାଇଥିଲେ। ସ୍ଥିତିକୁ ସମ୍ଭାଳିବା ପାଇଁ ସିୟା ସେତେବେଳେ "ସାପ, ସାପ" ବୋଲି ଚିତ୍କାର କରିଥିଲେ ଏବଂ ସାପ କାମୁଡ଼ାରୁ ବଞ୍ଚାଇବା ପାଇଁ ସେ ଠେଲି ଦେଇଥିବା କହି କଥା ବୁଲାଇ ଦେଇଥିଲେ।
ବାଲି ଟ୍ରିପ୍ ବାତିଲ୍ ଓ ପାସପୋର୍ଟ ଚୋରି
ପରିବାର ଲୋକଙ୍କ କହିବା ଅନୁଯାୟୀ, ବିବାହ ପୂର୍ବରୁ କେତନ ଏବଂ ସିୟାଙ୍କର ବାଲି ଟ୍ରିପ୍ ପାଇଁ ଯୋଜନା ହୋଇଥିଲା। କିନ୍ତୁ ସିୟା କୌଶଳ କ୍ରମେ କେତନଙ୍କ ପାସପୋର୍ଟ ଚୋରି କରି ଲୁଚାଇ ଦେଇଥିଲେ। ଯାହାଫଳରେ ମୁମ୍ବାଇ ବିମାନବନ୍ଦରରୁ ସେମାନଙ୍କୁ ନିରାଶ ହୋଇ ଫେରିବାକୁ ପଡ଼ିଥିଲା। ପୋଲିସର କହିବା ଅନୁଯାୟୀ, ସିୟା ଓ ଚେତନଙ୍କ ମଧ୍ୟରେ ଦୀର୍ଘ ଦିନରୁ ପ୍ରେମ ସମ୍ପର୍କ ରହିଥିଲା। ଗତ କିଛି ମାସ ମଧ୍ୟରେ ଉଭୟ ପରସ୍ପର ସହ ଦୁଇ ହଜାରରୁ ଅଧିକ ଥର ଫୋନରେ କଥା ହୋଇଥିଲେ। ସିୟା କେତନଙ୍କୁ ବିବାହ କରିବାକୁ ଚାହୁଁନଥିଲେ, ତେଣୁ ତାଙ୍କୁ ରାସ୍ତାରୁ ହଟାଇବା ପାଇଁ ଚେତନଙ୍କ ସହ ମିଶି ଏହି ହତ୍ୟାକାଣ୍ଡ ରଚିଥିଲେ।
ବାପାଙ୍କ ଦାବି- ଦୋଷୀଙ୍କୁ ମିଳୁ ଫାଶୀ ଦଣ୍ଡ
ପୁଅକୁ ହରାଇବା ପରେ କେତନଙ୍କ ପରିବାର ଗଭୀର ଶୋକରେ ବୁଡ଼ି ରହିଛନ୍ତି। କେତନଙ୍କ ବାପା ବିଶାଳ ଅଗ୍ରୱାଲ ଭାବପ୍ରବଣ ହୋଇ କହିଛନ୍ତି ଯେ, "ଯଦି ସିୟା ଏହି ବିବାହ ପାଇଁ ରାଜି ନଥିଲା, ତେବେ ସେ ସିଧାସଳଖ ମନା କରିପାରିଥାନ୍ତା। ଆମେ ବିବାହ ବାତିଲ୍ କରିଦେଇଥାନ୍ତୁ। କିନ୍ତୁ ମୋ ପୁଅର ଜୀବନ ନେବାର କଣ ଆବଶ୍ୟକତା ଥିଲା?" ପରିବାର ପକ୍ଷରୁ ଏହି ମାମଲାର ବିଚାର ଫାଷ୍ଟ ଟ୍ରାକ୍ କୋର୍ଟରେ କରିବାକୁ ଦାବି କରାଯିବା ସହ ଅଭିଯୁକ୍ତ ସିୟା ଏବଂ ଚେତନଙ୍କୁ ଫାଶୀ ଦଣ୍ଡ ଦେବାକୁ ନିବେଦନ କରାଯାଇଛି।