ନ୍ୟୁଜ୍ ଆଙ୍କରରୁ ଜାପାନର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ, ସଂଘର୍ଷରୁ ସଫଳତା ପର୍ଯ୍ୟନ୍ତ ଏଭଳି ଥିଲା କାହାଣୀ
ଟୋକିଓ,୨।୭: କୁହାଯାଏ ଯେ ଅକ୍ଳାନ୍ତ ପରିଶ୍ରମ ଓ ପ୍ରତିଭା ଥିଲେ ସଫଳତା ମିଳିବ। ଏପରି ଜଣେ ପ୍ରତିଭା ହେଉଛନ୍ତି ସାନାଏ ତାକାଇଚି। ସେ ହେଉଛନ୍ତି ଜାପାନର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ। ସେ ଜାପାନର ପୁରୁଷ-ପ୍ରଧାନ ରାଜନୈତିକ ଦୃଶ୍ୟପଟରେ କେବଳ ନିଜ ପାଇଁ ଏକ ସ୍ଥାନ ସୃଷ୍ଟି କରିନଥିଲେ ବରଂ ସର୍ବୋଚ୍ଚ ପଦବୀରେ ମଧ୍ୟ ପହଞ୍ଚିଥିଲେ। ତାକାଇଚି ବର୍ତ୍ତମାନ ଭାରତ ଗସ୍ତରେ ଅଛନ୍ତି। ପ୍ରଧାନମନ୍ତ୍ରୀ ଭାବରେ ଏହା ତାଙ୍କର ପ୍ରଥମ ଭାରତ ଗସ୍ତ। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ଏକ ଦ୍ୱିପାକ୍ଷିକ ବୈଠକ ମଧ୍ୟ କରିଥିଲେ, ଏହି ସମୟରେ ଭାରତ ଏବଂ ଜାପାନ ମଧ୍ୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା। ତେବେ ଆସନ୍ତୁ ଜାଣିବା ସାନାଏଙ୍କ ବିଷୟରେ..
ଜାପାନର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ
-ସନାଏ ତାକାଇଚି ଅକ୍ଟୋବର ୨୦୨୫ ରୁ ଜାପାନର ପ୍ରଧାନମନ୍ତ୍ରୀ ଓ ଲିବରାଲ ଡେମେକ୍ରାଟିକ୍ ପାର୍ଟିର ଅଧ୍ୟକ୍ଷ ଅଛନ୍ତି।
- ସେ ଜାପାନ ଇତିହାସରେ ଏହି ଦୁଇଟି ପଦ ସମ୍ଭାଳିଥିବା ପ୍ରଥମ ମହିଳା
-୧୯୯୩ ରୁ ୨୦୦୩ ପର୍ଯ୍ୟନ୍ତ ଓ ୨୦୦୫ ରୁ ଜାପାନ ସଂସଦର ସଦସ୍ୟ ଅଛନ୍ତି।
-ବଡ କଥା ହେଲା ସେ ୧୯୯୩ ରେ ନିଜ ସଂସଦୀୟ କାର୍ଯ୍ୟକାଳର ଆରମ୍ଭ ଏକ ନିର୍ଦ୍ଦଳୀୟ ପ୍ରାର୍ଥୀ ଭାବରେ କରିଥିଲେ।
- ସେ ପୂର୍ବତନ ପ୍ରଧାନମନ୍ତ୍ରୀ ଶିଞ୍ଜୋ ଆବେ ଓ ଫୁମିଓ କିଶିଦାଙ୍କ ପ୍ରଧାନମନ୍ତ୍ରୀ ଥିବା ବେଳେ ମନ୍ତ୍ରୀ ପଦରେ ଥିଲେ।
ରାଜନୀତିରେ ପ୍ରବେଶ କରିବା ପୂର୍ବରୁ, ସାନାଏ ତାକାଇଚି ଆମେରିକାରେ ଜଣେ ଟେଲିଭିଜନ ଆଙ୍କର ଥିଲେ। ସେ ଏକ ହେଭି-ମେଟାଲ୍ ବ୍ୟାଣ୍ଡରେ ଡ୍ରମ୍ ମଧ୍ୟ ବଜାଉଥିଲେ। ସେ ଆମେରିକାରେ ପାଠପଢ଼ିଥିଲେ, ଯେଉଁଠାରେ ସେ କଲୋରାଡୋର କଂଗ୍ରେସଓମ୍ୟାନ୍ ପାଟ୍ରିସିଆ ସ୍ରୋଡରଙ୍କ ସହିତ ଇଣ୍ଟର୍ନସିପ୍ କରିଥିଲେ। ଜାପାନ ଫେରିବା ପରେ, ସେ ଆମେରିକୀୟ ରାଜନୀତି ଉପରେ ପୁସ୍ତକ ଲେଖିଥିଲେ ଏବଂ ଏହି କ୍ଷେତ୍ରରେ ତାଙ୍କର କ୍ୟାରିଅର ଆରମ୍ଭ କରିଥିଲେ। ୧୯୯୨ରେ, ସେ ପ୍ରଥମ ଥର ପାଇଁ ହାଉସ ଅଫ୍ ରିପ୍ରେଜେନଟେଟିଭ୍ ପାଇଁ ନିର୍ଦ୍ଦଳୀୟପ୍ରାର୍ଥୀ ଭାବରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ, କିନ୍ତୁ ଜିତିପାରି ନଥିଲେ। ୧୯୯୩ ରେ, ୩୨ ବର୍ଷ ବୟସରେ, ସେ ପ୍ରଥମ ଥର ପାଇଁ ହାଉସ ଅଫ୍ ରିପ୍ରେଜେନଟେଟିଭର ସଦସ୍ୟ ନିଯୁକ୍ତ ହୋଇଥିଲେ।
ତାକାଇଜି ୧୯୯୬ ରେ ଅଫିସିଆଲି ଲିବରାଲ ଡେମୋକ୍ରାଟିକ୍ ପାର୍ଟିରେ ସାମିଲ ହୋଇଥିଲେ ଓ ପୁର୍ବତନ ପ୍ରଧାନମନ୍ତ୍ରୀ ଶିଞ୍ଜୋ ଆବେଙ୍କ ସହ କାମ କରିଥିଲେ। ତେବେ ଜାପାନର ପୁରୁଷ ପ୍ରଧାନ ରାଜନୀତିରେ ନିଜକୁ ସ୍ଥାପିତ କରିବା ପାଇଁ ସନାଏ ତାକାଇଚିଙ୍କୁ ଖୁବ୍ ସଂଘର୍ଷ କରିବାକୁ ପଡିଛି। ୨୦୨୧ ରେ ଏଲଡିପି ଲିଡରସିପ୍ ଇଲେକ୍ସନ ବି ଲଢିଥିଲେ। ୨୦୨୨ ରୁ ୨୦୨୪ ପର୍ଯ୍ୟନ୍ତ କିଶିଦା ପ୍ରଧାନମନ୍ତ୍ରୀ ରହିବା ବେଳେ ସେ ଆର୍ଥିକ ସୁରକ୍ଷା ରାଜ୍ୟ ମନ୍ତ୍ରୀ ରୂପରେ କାମ କରିଥିଲେ।
୨୦୨୪ ନେତୃତ୍ୱ ନିର୍ବାଚନରେ ତାକାଇଚି ଦ୍ୱିତୀୟ ଥର ପାଇଁ ଦଳୀୟ ନେତୃତ୍ୱ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ, ଯେଉଁଠାରେ ସେ ପ୍ରଥମ ପର୍ଯ୍ୟାୟରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ, କିନ୍ତୁ ଦ୍ୱିତୀୟ ପର୍ଯ୍ୟାୟରେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ଶିଗେରୁ ଇଶିବାଙ୍କଠାରୁ ଅଳ୍ପ ପରିମାଣରେ ପରାସ୍ତ ହୋଇଥିଲେ। ପରବର୍ତ୍ତୀ ସମୟରେ ଶିଗେରୁ ଇଶିବା ଜାପାନର ପ୍ରଧାନମନ୍ତ୍ରୀ ନିର୍ବାଚିତ ହୋଇଥିଲେ। ୨୦୨୫ ରେ ତୃତୀୟ ଥର ପାଇଁ ତାକାଇଚି ଏଲଡିପି ନେତୃତ୍ୱ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ, ଉଭୟ ପର୍ଯ୍ୟାୟ ଭୋଟିଂରେ ପ୍ରଥମ ସ୍ଥାନ ଅଧିକାର କରି ସିଞ୍ଜିରୋ କୋଇଜୁମିଙ୍କୁ ପରାସ୍ତ କରିଥିଲେ। ଏହା ତାଙ୍କୁ ଏଲଡିପିର ପ୍ରଥମ ମହିଳା ରାଷ୍ଟ୍ରପତି କରିଥିଲା। ଏଲଡିପି-କୋମେଇଟୋ ମେଣ୍ଟର ଅନ୍ତ ପରେ ତାକାଇଚି ଜାପାନ ଇନୋଭେସନ୍ ପାର୍ଟି ସହିତ ମେଣ୍ଟ ଚୁକ୍ତି କରିଥିଲେ ଓ ୨୧ ଅକ୍ଟୋବରରେ ନ୍ୟାସନାଲ ଡାଇଟ୍ ଦ୍ବାରା ପ୍ରଧାନମନ୍ତ୍ରର ନିର୍ବାଚିତ ହୋଇଥିଲେ।