ନିର୍ବନ୍ଧର ୪ ମାସ ପରେ ପୃଥ୍ବୀ ଶ’ ସହ ସମ୍ପର୍କ ତୁଟାଇଲେ ଆକୃତି ଅଗ୍ରଓ୍ବାଲ, ପ୍ରତାରଣା କରିଥିବା ଅଭିଯୋଗ

Jul 05, 2026 - 16:00
ନିର୍ବନ୍ଧର ୪ ମାସ ପରେ ପୃଥ୍ବୀ ଶ’ ସହ ସମ୍ପର୍କ ତୁଟାଇଲେ ଆକୃତି ଅଗ୍ରଓ୍ବାଲ, ପ୍ରତାରଣା କରିଥିବା ଅଭିଯୋଗ

ନୂଆଦିଲ୍ଲୀ,୫।୭: ପୁଣି ଥରେ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଭାରତୀୟ କ୍ରିକେଟର ପୃଥ୍ବୀ ଶ’। ସେ ଏବଂ ତାଙ୍କ ଭାବି ପତ୍ନୀ ଆକୃତି ଅଗ୍ରୱାଲଙ୍କ ସମ୍ପର୍କରେ ସୃଷ୍ଟି ହୋଇଛି ଫାଟ। ଚଳିତ ବର୍ଷ ମାର୍ଚ୍ଚରେ ଦୁହେଁ ପରସ୍ପର ସହ ନିର୍ବନ୍ଧ କରିଥିଲେ। ଏମିତିରେ  ଉଭୟଙ୍କ ମଧ୍ୟରେ ହଠାତ ଦୂରତା ବଢ଼ିଯାଇଥିବା ନେଇ ସୋସିଆଲ ମିଡିଆରେ ଦାବି କରାଯାଉଛି।

ଉଭୟଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହେବାର ଗୁଜବ ଏବେ ସତ ହୋଇଥିବା ଜଣାପଡ଼ୁଛି। କାରଣ ଆକୃତି ନିଜର ଅଫିସିଆଲ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ପୃଥ୍ବୀଙ୍କ ସହ ଥିବା ସମସ୍ତ ଫଟୋ ଡିଲିଟ କରିଦେଇଥିଲେ। କେବଳ ସେତିକି ନୁହେଁ, ଗତ ମାର୍ଚ୍ଚ ମାସରେ ହୋଇଥିବା ସେମାନଙ୍କ ନିର୍ବନ୍ଧର ସୁନ୍ଦର ଫଟୋଗୁଡ଼ିକୁ ମଧ୍ୟ ସେ ପ୍ରୋଫାଇଲ୍‌ରୁ ହଟାଇ ଦେଇଛନ୍ତି। ଡିଜିଟାଲ ପ୍ଲାଟଫର୍ମରେ ନିଜ ସମ୍ପର୍କ ଶେଷ ହେବାର ସଂକେତ ଦେଇ ସେ ପୃଥ୍ବୀଙ୍କୁ ଅନଫଲୋ ମଧ୍ୟ କରିଛନ୍ତି। କେବଳ ସେତିକି ନୁହେଁ ପୃଥ୍ବୀ ମଧ୍ୟ ତାଙ୍କୁ ଅନଫଲୋ କରିଥିବା ଦେଖିବାକୁ ମିଳିଛି।

ଇନଷ୍ଟାଗ୍ରାମରେ ଆକୃତିଙ୍କର ଏକ ଷ୍ଟୋରୀର ସ୍କ୍ରିନସଟ ଭାଇରାଲ ହେବାରେ ଲାଗିଛି, ଯାହାକୁ ସେ ପୋଷ୍ଟ କରିବାର କିଛି ଘଣ୍ଟା ପରେ ଡିଲିଟ କରିଦେଇଥିଲେ ବୋଲି ଦାବି କରାଯାଉଛି। ଭାଇରାଲ ଷ୍ଟୋରୀରେ ଆକୃତି ଲେଖିଛନ୍ତି:”ମୋ ସହ ଅନେକ ଥର ପ୍ରତାରଣା (ଧୋକା) ହୋଇଛି, ତଥାପି ମୁଁ ପଦେ ହେଲେ କଥା କହିନାହିଁ। ଏବେ ବି ବିଶ୍ୱାସ ହେଉନାହିଁ ଯେ ଜୀବନରେ ଗୋଟିଏ ପାଦ ଆଗକୁ ବଢ଼ାଇବା ପରେ ମଧ୍ୟ… ସୋସିଆଲ ମିଡିଆରେ ଚାଲିଥିବା ପ୍ରତ୍ୟେକ ଗୁଜବ ଓ କଥା ସମ୍ପୂର୍ଣ୍ଣ ସତ।”


ଅନ୍ୟ ଏକ ଫଟୋ ସେୟାର କରି ସେ ଲେଖିଛନ୍ତି, “ସେମାନେ ସବୁବେଳେ ମିଛ ହିଁ କହିବେ।” ତେବେ ଏହି ସମଗ୍ର ବିବାଦକୁ ନେଇ ବର୍ତ୍ତମାନ ସୁଦ୍ଧା ପୃଥ୍ବୀ କିମ୍ବା ଆକୃତିଙ୍କ ପକ୍ଷରୁ କୌଣସି ଆଧିକାରିକ ବୟାନ ସାମ୍ନାକୁ ଆସିନାହିଁ।

କହିରଖୁଛୁ, କୃତି ଅଗ୍ରୱାଲ ହେଉଛନ୍ତି ଜଣେ ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ଏବଂ ଅଭିନେତ୍ରୀ। ଇନଷ୍ଟାଗ୍ରାମରେ ସେ ବେଶ ସକ୍ରିୟ ରହନ୍ତି ଏବଂ ସେଠାରେ ତାଙ୍କର ପ୍ରାୟ ୩୧ ଲକ୍ଷ ଫଲୋଅର୍ସ ଅଛନ୍ତି। ଏହା ବ୍ୟତୀତ ସେ ତେଲୁଗୁ ଫିଲ୍ମ ‘ତ୍ରିମୁଖା’ ଜରିଆରେ ବଡ଼ ପରଦାରେ ଡେବ୍ୟୁ ମଧ୍ୟ କରିସାରିଛନ୍ତି। ତାଙ୍କର ଏକ ୟୁଟ୍ୟୁବ ଚ୍ୟାନେଲ ମଧ୍ୟ ରହିଛି, ଯେଉଁଠାରେ ସେ ବ୍ଲଗ୍‌ ଏବଂ ଲାଇଫଷ୍ଟାଇଲ ଭିଡିଓ ସେୟାର କରନ୍ତି। ନିର୍ବନ୍ଧ ପୂର୍ବରୁ ପୃଥ୍ବୀ ଏବଂ ଆକୃତି ଦୀର୍ଘ ଦିନ ଧରି ପରସ୍ପରକୁ ଡେଟ କରୁଥିଲେ ଏବଂ ଅନେକ ସମୟରେ ଦୁହିଁଙ୍କୁ ଏକାଠି ଦେଖିବାକୁ ମିଳୁଥିଲା।

Dharitri – Odisha’s No.1 Odia Daily