ନିଟ୍-ୟୁଜି ପ୍ରବେଶିକାରେ ନିର୍ଲିପ୍ତାଙ୍କ କୃତିତ୍ୱ: ରିଶ୍ରମର ମିଳିଲା ଫଳ

Jul 18, 2026 - 17:44
ନିଟ୍-ୟୁଜି ପ୍ରବେଶିକାରେ ନିର୍ଲିପ୍ତାଙ୍କ କୃତିତ୍ୱ: ରିଶ୍ରମର ମିଳିଲା ଫଳ

ଅମରପାଲି, ୧୮୭ (ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା  ଉଲୁଣ୍ଡା ବ୍ଲକ ଅନ୍ତର୍ଗତ କୋଟସମଲାଇ ଗ୍ରାମର ମେଧାବୀ ଛାତ୍ରୀ ନିର୍ଲିପ୍ତା କୁରକୁରିଆ ଚଳିତ ବର୍ଷର ନିଟ୍-ୟୁଜି (NEET-UG) ପ୍ରବେଶିକା ପରୀକ୍ଷାରେ ଉଲ୍ଲେଖନୀୟ ସଫଳତା ହାସଲ କରି ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି। ସେ ୭୨୦ ନମ୍ବରରୁ ୫୭୦ ନମ୍ବର ହାସଲ କରି ଅଲ୍ ଇଣ୍ଡିଆ ରାଙ୍କ (AIR) ୨୩,୬୬୮ ଅଧିକାର କରିଛନ୍ତି। ଦ୍ୱିତୀୟ ପ୍ରୟାସରେ ସେ ଏହି ସଫଳତା ଅର୍ଜନ କରିଥିବା କହିଛନ୍ତି।

ନିର୍ଲିପ୍ତାଙ୍କ ମାତା ରାଜେଶ୍ୱରୀ ପଟେଲ ଜଣେ ମହିଳା ସ୍ୱାସ୍ଥ୍ୟ କର୍ମୀ ହୋଇଥିବା ବେଳେ ପିତା ଡ. ଅନିରୁଦ୍ଧ କୁରକୁରିଆ ଜଣେ ଶିକ୍ଷକ। ସେ ନିଜର ପ୍ରାଥମିକ ଶିକ୍ଷା ସୁବଳୟା ଓ ଉଲୁଣ୍ଡା ଶିଶୁ ମନ୍ଦିରରେ ସମ୍ପୂର୍ଣ୍ଣ କରିଥିଲେ। ପରେ ତରଭାସ୍ଥିତ ଜବାହର ନବୋଦୟ ବିଦ୍ୟାଳୟରୁ ମାଟ୍ରିକ ପରୀକ୍ଷାରେ ୯୬ ପ୍ରତିଶତ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଥିଲେ। ଏହାପରେ ବରଗଡ଼ର ଏକ ଘରୋଇ କଲେଜରୁ ଯୁକ୍ତ ଦୁଇ ବିଜ୍ଞାନରେ ୯୪ ପ୍ରତିଶତ ନମ୍ବର ହାସଲ କରିଥିଲେ।

ଡାକ୍ତର ହେବାର ଲକ୍ଷ୍ୟକୁ ସାମ୍ନାରେ ରଖି ନିର୍ଲିପ୍ତା ନିଟ୍ ପରୀକ୍ଷା ପାଇଁ ପ୍ରତିଦିନ ୧୪ରୁ ୧୬ ଘଣ୍ଟା ପର୍ଯ୍ୟନ୍ତ ନିୟମିତ ଅଧ୍ୟୟନ କରୁଥିଲେ। କଠିନ ପରିଶ୍ରମ, ନିୟମିତ ଅଭ୍ୟାସ ଓ ଦୃଢ଼ ମନୋବଳ ହିଁ ତାଙ୍କୁ ସଫଳତା ଦେଇଥିବା ସେ କହିଛନ୍ତି। ଏହି ସଫଳତାର ଶ୍ରେୟ ସେ ନିଜର ମାତାପିତା, ଶିକ୍ଷକ ଏବଂ ପରିବାର ସଦସ୍ୟଙ୍କୁ ଦେଇଛନ୍ତି।

ନିର୍ଲିପ୍ତା କହିଛନ୍ତି ଯେ, ସଫଳତା ପାଇବା ପାଇଁ ନିରନ୍ତର ଅଭ୍ୟାସ, ଆତ୍ମବିଶ୍ୱାସ ଏବଂ ବିଫଳତାକୁ ଭୟ ନକରି ଲଗାତାର ପ୍ରୟାସ ଜାରି ରଖିବା ଆବଶ୍ୟକ।

ଉଲ୍ଲେଖଯୋଗ୍ୟ ଯେ, ସେ ତିନିଥର ଜେଇଇ (JEE) ପ୍ରବେଶିକା ପରୀକ୍ଷାରେ ମଧ୍ୟ କୃତକାର୍ଯ୍ୟ ହୋଇଥିଲେ। ତଥାପି ଡାକ୍ତର ହେବାର ସ୍ୱପ୍ନକୁ ସାକାର କରିବା ଲକ୍ଷ୍ୟରେ ସେ ନିଟ୍ ପରୀକ୍ଷା ପାଇଁ ନିରନ୍ତର ପ୍ରସ୍ତୁତି ଜାରି ରଖିଥିଲେ।

ନିର୍ଲିପ୍ତାଙ୍କ ଏହି ସଫଳତାକୁ ନେଇ ପରିବାର ସଦସ୍ୟଙ୍କ ସମେତ ସମଗ୍ର ଅଞ୍ଚଳରେ ଆନନ୍ଦର ଲହରୀ ଖେଳିଯାଇଛି। ବିଭିନ୍ନ ମହଲରୁ ତାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନର ସୁଅ ଛୁଟିଛି। ଆଗାମୀ ଦିନରେ ଜଣେ ଦକ୍ଷ ଚିକିତ୍ସକ ହୋଇ ସମାଜସେବା କରିବା ତାଙ୍କର ଲକ୍ଷ୍ୟ ବୋଲି ସେ ପ୍ରକାଶ କରିଛନ୍ତି।

Dharitri – Odisha’s No.1 Odia Daily

 


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।