ନାବାଳିକାଙ୍କୁ ଅସଦାଚରଣ: କୋର୍ଟଙ୍କ ଆସିଲା ବଡ଼ ରାୟ
ବ୍ରହ୍ମପୁର,୧୮ା୫(ସୁବାସ ଚନ୍ଦ୍ର ପାଢ଼ୀ): ୨୦୧୮ରେ ସୋରଡ଼ା ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ହୋଇଥିବା ଅସଦାଚରଣ ମାମଲାର ଶୁଣାଣି ହୋଇଛି। ଫାଷ୍ଟଟ୍ରାକ ପୋକ୍ସୋ କୋର୍ଟ ଜଜ୍ ରୋହିତ ଲାଲ ପଣ୍ଡା ସୋମବାର ଅଭିଯୁକ୍ତ ବିଜୟ କୁମାର ସାହୁ(୬୭)ଙ୍କୁ ଦୋଷୀ ସାବ୍ୟସ୍ତ କରି ୩ ବର୍ଷ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହ ୨୦ ହଜାର ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଜରିମାନା ଅନାଦାୟ ଅଧିକ ୩ ମାସ ସଶ୍ରମ କାରାଦଣ୍ଡ ଭୋଗିବାକୁ ହେବ ବୋଲି ଜଜ୍ ରାୟରେ ଉଲ୍ଲେଖ କରିଛନ୍ତି। ସେହିପରି ପୀଡ଼ିତାଙ୍କୁ ୧ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ଜିଲା ଆଇନ ସେବା ପ୍ରାଧିକରଣ ସଚିବଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
୨୦୧୮ ମେ ୧୪ ତାରିଖରେ ସୋରଡ଼ା ଥାନା ଅଞ୍ଚଳର ନାବାଳିକା (୧୭) ଗାଁ ଶେଷ ମୁଣ୍ଡରେ ଥିବା ନଳକୂପକୁ ଗାଧୋଇବାକୁ ଯାଇଥିଲେ। ତାଙ୍କୁ ଏକୁଟିଆ ଦେଖି ବିଜୟ ସେଠାରେ ପହଞ୍ଚି ଟଣାଓଟରା କରିଥିଲେ। ଘରକୁ ଫେରି ନାବାଳିକା ମା’ଙ୍କୁ ଘଟଣା ସମ୍ପର୍କରେ ଜଣାଇଥିଲେ।
ଏ ନେଇ ମା’ଙ୍କ ଅଭିଯୋଗକ୍ରମେ ସୋରଡା ଥାନାରେ ଏକ ମାମଲା(ନଂ.୭୨/୧୮) ରୁଜୁ କରି ପୋଲିସ ତଦନ୍ତ କରି ଅଭିଯୁକ୍ତ ବିଜୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। କିଛିମାସ ପରେ ସେ ଜାମିନରେ ଆସିଥିଲେ। ମାମଲାର ବିଚାର ବେଳେ ୭ଜଣ ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଇଥିଲା। ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି କୋର୍ଟ ଅଭିଯୁକ୍ତ ବିଜୟଙ୍କୁ ଦଣ୍ଡିତ କରିଛନ୍ତି। ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପିପି ଡ. ଶିବପ୍ରସାଦ ମିଶ୍ର ମାମଲା ପରିଚାଳନା କରିଥିଲେ।
The post ନାବାଳିକାଙ୍କୁ ଅସଦାଚରଣ: କୋର୍ଟଙ୍କ ଆସିଲା ବଡ଼ ରାୟ appeared first on Dharitri Odia News.
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।