ନା ଚେକ୍ , ନା UPI... ୧୧୦,୦୦୦ର ଏକ ବାଇକ୍ କିଣିବାକୁ ୧୦ଟଙ୍କିଆ କଏନ୍ ଧରି ପହଞ୍ଚିଲେ ଯୁବକ
ନୂଆଦିଲ୍ଲୀ,୮/୭ : କ’ଣ ୧୦ଟଙ୍କିଆ କଏନରେ ୧୧୦,୦୦୦ ଟଙ୍କା ମୂଲ୍ୟର ଏକ ବାଇକ୍ କିଣାଯାଇପାରିବ ? ଏହି ପ୍ରଶ୍ନର ସିଧା ଉତ୍ତର ହେଉଛି ହଁ । କାରଣ ଭାରତୀୟ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ୧୦ଟଙ୍କା କଏନ୍କୁ ଆଇନଗତ ବୋଲି ମାନିଥାଏ । ଫଳରେ ୧୦ଟଙ୍କିଆ କଏନ୍ ବ୍ୟବହାର କରି କାରବାର ସମ୍ପୂର୍ଣ୍ଣ ଆଇନଗତ । ଏଭଳି ସ୍ଥଳେ ତେଲେଙ୍ଗାନାରୁ ଆସିଛି ଏକ ଆଶ୍ଚର୍ଯ୍ୟ କଲାଭଳି ଖବର । ୧୦ଟଙ୍କିଆ କଏନ ଦେଇ ଜନୈକ ଯୁବକ କିଣିଛନ୍ତି ବାଇକ୍ । କଏନ ଧରି ପହଞ୍ଚିବା ପରେ ଶୋ’ରୁମ୍ କର୍ମଚାରୀମାନେ ତାଙ୍କୁ ମନା କରିନଥିଲେ । ବରଂ ସେମାନେ ପ୍ରତ୍ୟେକ କଏନ୍ ଗଣିଥିଲେ ଏବଂ ରଘୁପତିଙ୍କୁ ଏକ ନୂତନ ବାଇକ୍ ଦେଇଥିଲେ ।
ସୂଚନା ଅନୁସାରେ, ରଘୁପତି ନାମକ ଯୁବକ ଏକ ନୂଆ ବାଇକ୍ କିଣିବାକୁ ଶୋ’ରୁମରେ ପହଞ୍ଚିଥିଲେ । ମାତ୍ର ତାଙ୍କ ପାଖରେ ନା ଚେକ୍ ଥିଲା ନା ନୋଟ୍। UPIର ବିକଳ୍ପ ମଧ୍ୟ ନ ଥିଲା। ସେ କେବଳ ୧୦ଟଙ୍କିଆ କଏନ ନେଇ ବାଇକ୍ କିଣିବାକୁ ପହଞ୍ଚିଥିଲେ । ଶୋ’ରୁମ୍ର କର୍ମଚାରୀମାନେ ତାଙ୍କ ପେମେଣ୍ଟ ପଦ୍ଧତି ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଏଭଳି ସ୍ଥଳେ ସେମାନେ ଟଙ୍କା ନେଇଥିଲେ ଏବଂ ତାଙ୍କୁ ବାଇକ୍ ଦେବାକୁ ରାଜି ହୋଇଥିଲେ ।
କଳ୍ପନା କରନ୍ତୁ ୧ ଲକ୍ଷ ୧୦ହଜାରର ବାଇକ୍ ଲାଗି କେତେ କଏନ ନେଇ ପହଞ୍ଚିଥିବେ ? ପୂରା ୧୧ହଜାର କଏନ ନେଇ ଗ୍ରାହକ ଜଣଙ୍କ ତେଲେଙ୍ଗାନାର ଚିତ୍ୟଲାସ୍ଥିତ ଶ୍ରୀ ବିନାୟକ ମୋଟର୍ସରୁ ନୂଆ ବାଇକ୍ କିଣିବାକୁ ପହଞ୍ଚିଥିଲେ । ଯେତେବେଳେ ସେ ଏକ ବିରାଟ ମୁଦ୍ରା ବ୍ୟାଗ ସହ ଶୋ’ରୁମରେ ପହଞ୍ଚିଲେ, କର୍ମଚାରୀମାନଙ୍କ ପାଇଁ ସେ ଗୁଡ଼ିକୁ ଗଣିବା ମଧ୍ୟ ଏକ ଚ୍ୟାଲେଞ୍ଜ ହୋଇଗଲା। ଏହି ସମୟରେ ସେଠାରେ ଉପସ୍ଥିତ କର୍ମଚାରୀମାନେ ଏହି ବିରଳ ଦୃଶ୍ୟକୁ ସେମାନଙ୍କ କ୍ୟାମେରାରେ କଏଦ କରିଥିଲେ। ଶୋ’ରୁମ୍ କର୍ମଚାରୀମାନେ ବହୁତ ଧର୍ଯ୍ୟ ଦେଖାଇ ତାଙ୍କ ଟଙ୍କା ଗଣି ତାଙ୍କୁ ଏକ ନୂତନ ବାଇକ୍ ଦେଇଥିଲେ। ଏହି ଅସାଧାରଣ କ୍ରୟ ଏବେ ଇଣ୍ଟରନେଟରେ ଖୁବ୍ ଭାଇରାଲ ହେବାରେ ଲାଗିଛି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।