22 JULY 2026

Welcome!

Unlock your personalized experience.
Sign Up

ନବୀନ ବାବୁ ଓଡ଼ିଆ ଲୋକଙ୍କୁ ଦୁର୍ବଳ ଭାବନ୍ତୁ ନାହିଁ : ଭର୍ତ୍ତୃହରି ମହତାବ

Jul 22, 2026 - 18:40
ନବୀନ ବାବୁ ଓଡ଼ିଆ ଲୋକଙ୍କୁ ଦୁର୍ବଳ ଭାବନ୍ତୁ ନାହିଁ : ଭର୍ତ୍ତୃହରି ମହତାବ

ନୂଆଦିଲ୍ଲୀ, ୨୨।୭ : ଗତକାଲି ଓଡ଼ିଶା ବିଧାନସଭାର ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଯେଉଁ ଢଙ୍ଗରେ ଏବଂ ଯେଉଁ ବିଷୟରେ ବିବୃତ୍ତି ଦେଇଛନ୍ତି, ତାହା ସମ୍ପୂର୍ଣ୍ଣ ତଥ୍ୟହୀନ, ଭିତ୍ତିହୀନ ଏବଂ ଉଦ୍ଦେଶ୍ୟମୂଳକ । ଭାରତୀୟ ଜନତା ପାର୍ଟି ପକ୍ଷରୁ ଆମେ ସମସ୍ତେ ମିଳିତ ଭାବରେ ଏହାକୁ ଦୃଢ଼ ଶବ୍ଦରେ ନିନ୍ଦା କରୁଛୁ ବୋଲି ଆଜି ନୂଆଦିଲ୍ଲୀଠାରେ ଓଡ଼ିଶାର ବିଜେପି ସାଂସଦମାନେ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ କହିଛନ୍ତି ।

ସାଂସଦ ଭର୍ତ୍ତୃହରି ମହତାବ କହିଛନ୍ତି ଯେ, ନବୀନ ପଟ୍ଟନାୟକ ବୋଧହୁଏ ଭାବିଛନ୍ତି ଯେ ଲୋକଙ୍କର ସ୍ମୃତିଶକ୍ତି କମ୍ ଏବଂ ଓଡ଼ିଶାବାସୀ ସବୁକିଛି ଭୁଲି ଯାଇଛନ୍ତି । କିନ୍ତୁ ଓଡ଼ିଆ ଲୋକମାନଙ୍କୁ, ଓଡ଼ିଶାବାସୀଙ୍କୁ ଏତେ ଦୁର୍ବଳ କିମ୍ବା ଅଜ୍ଞ ମନେକରିବା ଉଚିତ ନୁହେଁ । ୨୦୧୫ ମସିହାରୁ ୨୦୨୩ ମସିହା ପର୍ଯ୍ୟନ୍ତ ତାଙ୍କ ନିଜ ଶାସନ କାଳରେ ଓଡ଼ିଶାରେ ପ୍ରତ୍ୟେକ ବର୍ଷ ପ୍ରତିଯୋଗିତାମୂଳକ ପରୀକ୍ଷାଗୁଡ଼ିକରେ ବ୍ୟାପକ ଅନିୟମିତତା ଓ ପ୍ରଶ୍ନପତ୍ର ଲିକ୍ ଘଟିଥିଲା। ପୁଲିସ କନଷ୍ଟେବଳ ପରୀକ୍ଷା, ଓପିଏସସି, ଓଜେଏସଇ, ମାଟ୍ରିକ୍ ପରୀକ୍ଷା ଆଦି ଅନେକ ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍ ଓ ଦୁର୍ନୀତି ଯୋଗୁଁ ଓଡ଼ିଶା ହାଇକୋର୍ଟ ତତ୍କାଳୀନ ବିଜେଡି ସରକାରଙ୍କ କାର୍ଯ୍ୟକଳାପ ପ୍ରତି କଡ଼ା ଭର୍ତ୍ସନା କରିଥିଲେ । ସେ ସମୟରେ ବିରାଟ ଆନ୍ଦୋଳନ, ଶୋଭାଯାତ୍ରା ଓ ବିକ୍ଷୋଭ ହୋଇଥିଲେ ସୁଦ୍ଧା ସେତେବେଳର ସରକାର ଜଣେ ହେଲେ ମନ୍ତ୍ରୀଙ୍କ ଇସ୍ତଫା ନେଇନଥିଲେ ।

ଯେଉଁଭଳି ଭାବରେ ନବୀନ ପଟ୍ଟନାୟକ ଓ ବିଜେଡି ,କଂଗ୍ରେସ ସିଜେପିର ଦେଶବିରୋଧୀ ଓ ହିଂସାତ୍ମକ କାର୍ଯ୍ୟକଳାପକୁ ସମର୍ଥନ କରିବାକୁ ଆଗେଇ ଆସିଛନ୍ତି, ତାହା ତାଙ୍କର ନିମ୍ନ ମନୋବୃତ୍ତିକୁ ପରିପ୍ରକାଶ କରୁଛି । ଗଣତନ୍ତ୍ରରେ ଧାରଣା ଦେବା ଓ ମତ ପ୍ରକାଶ କରିବାର ଅଧିକାର ସମସ୍ତଙ୍କର ଅଛି। କିନ୍ତୁ ସୁରକ୍ଷା ବାରିକେଡ୍ ଗୋଟାଏ ପରେ ଗୋଟାଏ ଭାଙ୍ଗି ପାର୍ଲାମେଣ୍ଟ ଭିତରକୁ ଜୋରଜବରଦସ୍ତ ପଶିବାକୁ ଚେଷ୍ଟା କରିବା, ହିଂସାକାଣ୍ଡ ରଚନା କରିବା ଅତ୍ୟନ୍ତ ଦେଶବିରୋଧୀ ଅଟେ। ଘରେ ବସି ଏହି ହିଂସାକାଣ୍ଡକୁ ସମର୍ଥନ କରିବା ପୂର୍ବରୁ ନବୀନ ପଟ୍ଟନାୟକ ପ୍ରଥମେ ସେହି ହିଂସାକାଣ୍ଡକୁ ନିନ୍ଦା କରିବା ଦରକାର ଥିଲା, ଯାହା ସେ କରିନାହାନ୍ତି।

ନିଟ୍ ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍ ଅଭିଯୋଗ ନଜରକୁ ଆସିବା କ୍ଷଣି କେନ୍ଦ୍ର ସରକାର ଓ ଶିକ୍ଷା ମନ୍ତ୍ରଣାଳୟ ତୁରନ୍ତ ଦୃଢ଼ ଓ ସଂଶୋଧନାତ୍ମକ ପଦକ୍ଷେପ ଗ୍ରହଣ କଲେ। ପ୍ରତ୍ୟେକ ରାଜ୍ୟ ସରକାର ଏବଂ ପ୍ରତିରକ୍ଷା ବିଭାଗର ସହଯୋଗରେ ବିମାନ ଯୋଗେ ପ୍ରଶ୍ନପତ୍ର ପଠାଯାଇ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ପୁନଃପରୀକ୍ଷା ସଫଳତାର ସହ ପରିଚାଳିତ ହେଲା। ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଖାତା ଦେଖା ଶେଷ ହୋଇ ରେଜଲ୍ଟ ମଧ୍ୟ ପ୍ରକାଶ ପାଇଲା।ରାଜ୍ୟସଭାରେ ଥିବା ବିଜେଡି ସାଂସଦମାନେ ଗୃହ ଚାଲିବାରେ ସହଯୋଗ କରନ୍ତୁ ବୋଲି ଶ୍ରୀ ମହତାବ ଆହ୍ୱାନ ଦେଇଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ସାଂସଦ ସଙ୍ଗୀତା ସିଂହଦେଓ, ଅନିତା ପ୍ରିୟଦର୍ଶିନୀ, ମାଳବିକା ଦେବୀ, ରୁଦ୍ର ନାରାୟଣ ପାଣି, ପ୍ରଦୀପ ପୁରୋହିତ, ଅନନ୍ତ ନାଏକ, ଅଭିମନ୍ୟୁ ସେଠୀ, ରବି ନାରାୟଣ ବେହେରା, ବଳଭଦ୍ର ମାଝୀ, ସୁକାନ୍ତ ପାଣିଗ୍ରାହୀ, ବିଭୂ ପ୍ରସାଦ ତରାଇ ପ୍ରମୁ ଉପସ୍ଥିତ ଥିଲେ ।

 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।