ଧୋଇନେଲା ଆପ୍ରୋଚ୍ ରାସ୍ତା: ୮ ଗାଁ ଯୋଗାଯୋଗରୁ ବିଚ୍ଛିନ୍ନ
ଭବାନୀପାଟଣା,୩୦ା୭(ଉତ୍ତମ କୁମାର ଦାଶ): କଳାହାଣ୍ଡିରେ ଗତ ୩ ଦିନ ହେଲା ଲଗାଣ ବର୍ଷା ଜାରି ରହିଛି। ଏହାକୁ ନେଇ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ଜିଲା ଜରୁରିକାଳୀନ ପରିଚାଳନା ବିଭାଗ ପକ୍ଷରୁ ମିଳିଥିବା ତଥ୍ୟ ଅନୁଯାୟୀ ବୁଧବାର ଜିଲାର ୧୩ ବ୍ଲକରେ ମୋଟ ୬୮୮.୫ ମି.ମି. ବର୍ଷା ରେକର୍ଡ ହୋଇଛି। ଗୋଲାମୁଣ୍ଡା ବ୍ଲକରେ ସର୍ବାଧିକ ୧୦୨ ମି.ମି. ବର୍ଷା ହୋଇଥିବାବେଳେ କର୍ଲାମୁଣ୍ଡାରେ ୮୭, ଥୁଆମୂଳ ରାମପୁରରେ ୮୨, କେସିଙ୍ଗା ୬୦.୬, ନର୍ଲା ୫୬, ଏମ୍. ରାମପୁର ୫୫.୪, ଜୟପାଟଣା ୪୪, ଧର୍ମଗଡ଼ ୪୨.୩, ଜୁନାଗଡ଼ ୩୭.୨, ଲାଞ୍ଜିଗଡ଼ ୩୬, କୋକସରା ୩୨, କଲମପୁର ଓ ଭବାନୀପାଟଣା ବ୍ଲକରେ ୨୭ ମି.ମି. ବର୍ଷା ରେକର୍ଡ ହୋଇଛି। ବର୍ଷା ପରିମାଣ ବଢ଼ୁଥିବାବେଳେ ଅପରାହ୍ନରେ ଜୁନାଗଡ଼ -କଲମପୁର ମୁଖ୍ୟ ରାସ୍ତାର ବରଗାଁ ନିକଟରେ ନିର୍ମାଣଧୀନ ଘର୍ଲା ଜୋର ପୋଲର ଆପ୍ରୋଚ ରାସ୍ତା ଧୋଇଯାଇଛି। ଫଳରେ ଜୁନାଗଡ଼-କଲମପୁର ପିଡବ୍ଲ୍ୟୁଡି ମୁଖ୍ୟ ରାସ୍ତାରେ ଗମନାଗମନ ବାଧାପ୍ରାପ୍ତ ହୋଇଛି। ଏହାସହ କଲମପୁର ବ୍ଲକ୍ ଦେପୁର ପଞ୍ଚାୟତର ୮ ଖଣ୍ଡ ଗାଁ ବିଚ୍ଛିନ୍ନ ହୋଇଯାଇଛି। ପୋଲ ନିର୍ମାଣ ଆରମ୍ଭ ହେବାର ଦୀର୍ଘ ୬ ମାସ ବିତି ସାରିଥିଲେ ମଧ୍ୟ ସମ୍ପୂର୍ଣ୍ଣ ହୋଇ ପାରିନାହିଁ। ଫଳରେ ପ୍ରଥମ ବର୍ଷାରେ ଆପ୍ରୋଚ ରାସ୍ତା ଭାଙ୍ଗିଯିବା ପରେ ପୋଲ ନିର୍ମାଣର ସ୍ଥାୟିତ୍ୱକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଆପ୍ରୋଚ ରାସ୍ତା ଭାଙ୍ଗିଯିବା ଯୋଗୁ ବସ୍ ଚଳାଚଳ ବନ୍ଦ ରହିଥିବାରୁ ଯାତ୍ରୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ତୁରନ୍ତ ଏଥିପ୍ରତି ପିଡବ୍ଲ୍ୟୁଡି ବିଭାଗ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି। ଅନ୍ୟପକ୍ଷରେ ବର୍ଷା ଯୋଗୁ ପ୍ରତିବର୍ଷ ଭଳି ଏଥର ମଧ୍ୟ ଜୁନାଗଡ଼ ସହ ଫତେନଗର ପଡାବାସୀ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଡ୍ରେନେଜ ବ୍ୟବସ୍ଥା ଫେଲ ଯୋଗୁଁ ଏଠାକାର ରାସ୍ତାରେ ନାଳ ଭଳି ପାଣି ଚାଲୁଥିବାବେଳେ ଲୋକଙ୍କ ଘରେ ପାଣି ପଶିଯାଇଥିବା ଦେଖିବାକୁ ମିଳିଥିଲା।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।