ଧର୍ମ ପରିବର୍ତ୍ତନ କରିଥିବାରୁ ବୃଦ୍ଧଙ୍କୁ ମିଳିଲାନି ଶ୍ମଶାନ, ୨୪ ଘଣ୍ଟା ଧରି ପଡ଼ିରହିଛି ମୃତଦେହ

ରାୟଗଡ଼ା: ଧର୍ମ ପରିବର୍ତ୍ତନ କରିଥିବାରୁ ବୃଦ୍ଧଙ୍କୁ ମିଳୁନି ଶ୍ମଶାନ । ୨୪ ଘଣ୍ଟା ଧରି ପଡ଼ିରହିଛି ବୃଦ୍ଧଙ୍କ ମୃତଦେହ । ଏଭଳି ଚିତ୍ର ଦେଖିବାକୁ ମିଳିଛି ରାୟଗଡା ବ୍ଲକ ସ୍ଥିତ ଗାଜିଗାଁ ଗ୍ରାମରେ । ଧର୍ମାନ୍ତରୀକରଣ ବିବାଦକୁ ନେଇ ଗ୍ରାମବାସୀଙ୍କ ତୀବ୍ର ବିରୋଧ କାରଣରୁ ଜଣେ ୬୫ ବର୍ଷୀୟ ବୃଦ୍ଧଙ୍କ ମୃତଦେହ ପ୍ରାୟ ୨୪ ଘଣ୍ଟା ଧରି ଅନ୍ତିମ ସଂସ୍କାର ଅପେକ୍ଷାରେ ପଡ଼ିରହିଛି ।
ମୃତକ ଜଣକ ହେଉଛନ୍ତି ଆଦିବାସୀ ସମ୍ପ୍ରଦାୟର ଜାକାକା ଦାମା। ଗତ କିଛି ମାସ ଧରି ଅସୁସ୍ଥ ଥିବା କାରଣରୁ ଗତକାଲି ସକାଳ ପ୍ରାୟ ୭ଟା ସମୟରେ ତାଙ୍କର ପରଲୋକ ଘଟିଥିଲା। ସେ ପ୍ରାୟ ଚାରିରୁ ପାଞ୍ଚ ବର୍ଷ ପୂର୍ବେ ଖ୍ରୀଷ୍ଟଧର୍ମ ଗ୍ରହଣ କରିଥିଲେ। ଖ୍ରୀଷ୍ଟିୟାନ ପରମ୍ପରା ଅନୁଯାୟୀ ଜାକାକା ଦାମାଙ୍କୁ ସ୍ଥାନୀୟ କବରସ୍ଥାନରେ କବର ଦିଆଯିବାର ଥିଲା। ତେବେ ଗ୍ରାମବାସୀ ଏହାକୁ ଦୃଢ଼ ବିରୋଧ କରିଥିଲେ। ସେମାନଙ୍କ ଯୁକ୍ତି ହେଲା ଯେ, ଗାଁର ଶ୍ମଶାନ କେବଳ ଆଦିବାସୀ ସମ୍ପ୍ରଦାୟର ଲୋକଙ୍କ ଶେଷକୃତ୍ୟ ପାଇଁ ଉଦ୍ଦିଷ୍ଟ। ସେମାନେ ମୃତଦେହ କବର ଦେବାକୁ ଅନୁମତି ନଦେବାରୁ ମୃତ୍ୟୁର ୨୪ ଘଣ୍ଟା ପରେ ବି ଅନ୍ତିମ ସଂସ୍କାର କରାଯାଇପାରି ନାହିଁ।
ଏହି ସମସ୍ୟାର ସମାଧାନ ପାଇଁ ଗାଁରେ ଏକ ବୈଠକ ବସିଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ନିଷ୍କର୍ସ ବାହାରି ପାରିନାହିଁ। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଗାଁରେ କାହାର ମୃତ୍ୟୁ ହେଲେ ପରମ୍ପରା ଅନୁଯାୟୀ ଶେଷକୃତ୍ୟ ସରିବା ଯାଏଁ ଘରେ ରୋଷେଇ ବନ୍ଦ ରହେ। ଏହି ଅଚଳାବସ୍ଥା କାରଣରୁ ଗତକାଲିଠାରୁ ଗାଁର କୌଣସି ଘରେ ଚୁଲି ଜଳିନାହିଁ।
ସୂଚନାଯୋଗ୍ୟ ଯେ, ଗତ କିଛି ବର୍ଷ ମଧ୍ୟରେ ଗାଜିଗାଁର ଚାରିରୁ ପାଞ୍ଚଟି ଆଦିବାସୀ ପରିବାର ଖ୍ରୀଷ୍ଟଧର୍ମ ଗ୍ରହଣ କରିଛନ୍ତି। ମୃତକଙ୍କ ପରିବାରରେ ତିନି ପୁଅ ଏବଂ ଅନ୍ୟ ଆତ୍ମୀୟମାନେ ଅଛନ୍ତି। ଏପର୍ଯ୍ୟନ୍ତ କୌଣସି ଆନୁଷ୍ଠାନିକ ଅଭିଯୋଗ ହୋଇନଥିଲେ ହେଁ, ଅନ୍ତିମ ସଂସ୍କାର ନହୋଇ ମୃତଦେହ ପଡ଼ିରହିଥିବାରୁ ଗାଁରେ ଉତ୍ତେଜନା ଲାଗିରହିଛି।