ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ବାହୁଡା ଯାତ୍ରା: ଆଜି ଗଡିବ ନନ୍ଦିଘୋଷ ଓ ଦର୍ପଦଳନ ରଥ
ବାରିପଦା: ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ଆଜି ଗଡିବ ନନ୍ଦିଘୋଷ ଓ ଦର୍ପଦଳନ । ମାଉସୀମା’ଙ୍କ ମନ୍ଦିରରେ ପରମ୍ପରା ଅନୁଯାୟୀ ଶୁକ୍ରବାର ଚତୁର୍ଦ୍ଧାମୂର୍ତ୍ତିଙ୍କର ଆଡ଼ପମଣ୍ଡପରେ ସୁନାବେଶ ସାଙ୍ଗକୁ ବାହୁଡ଼ା ପହଣ୍ଡି କାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି । ସନ୍ଧ୍ୟାରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଗୋଟି ପହଣ୍ଡିରେ ନିଆଯାଇ ରଥାରୂଢ଼ କରାଯାଇଛି । ଗତକାଲି ତିନିଠାକୁରଙ୍କ ଦ୍ୱାରିକାଧୀଶ ସୁନାବେଶ ଅନୁଷ୍ଠିତ ହୋଇଥିଲା । ଏହି ବେଶ ଦେଖିବା ପାଇଁ ପ୍ରବଳ ଭିଡ଼ ହୋଇଥିଲା ।
ମନ୍ଦିର ପରିଚ୍ଛା ଦୂର୍ଗାଚରଣ ଜିତବାବୁ ପୁଷ୍ପଭେଟି ଓ ଅତରଲାଗି କରି ଠାକୁରଙ୍କ ପାଖରୁ ଆଜ୍ଞାମାଳ ନେଇ ଘଣ୍ଟ, ଘଣ୍ଟା, ଶଙ୍ଖ, କାହାଳୀ ଓ ସଂକୀର୍ତ୍ତନ ଦଳଙ୍କ ସହିତ ମନ୍ଦିର ବେଢ଼ା ପ୍ରଦକ୍ଷଣ କରିଥିଲେ । ଆରତୀ ଦର୍ଶନ ପରେ ଦଶମୀ ପୂଜାନୀତି ସମ୍ପନ୍ନ ପରେ ପରମ୍ପରା ଅନୁଯାୟୀ ଖେଚୁଡ଼ି ଲାଗିପରେ ଭକ୍ତଗଣ ସେବନ କରିଥିଲେ । ଠାକୁରଙ୍କ ବେଶ ପରିବର୍ତ୍ତନ ପରେ ଅଁଳାଭେଟି, ତା’ପରେ ଚକାଛଡ଼ା କାର୍ଯ୍ୟ ଆରମ୍ଭ ହୋଇ ସନ୍ଧ୍ୟାରେ ବାହୁଡ଼ା ପହଣ୍ଡି ହୋଇଥିଲା । ଚତୁର୍ଦ୍ଧାମୂର୍ତ୍ତି ମନ୍ଦିରର ଦକ୍ଷିଣ ଦ୍ୱାର ଦେଇ ବନ୍ଦାପନା (ବିଭୀଷଣ ଦର୍ଶନ) ଗୀତ ଶୁଣାଇ ଫୁଲ ସୁସଜ୍ଜିତ ଟାହିଆ ପରିଧାନ ପୂର୍ବକ ପହଣ୍ଡିରେ ଯାଇ ରଥାରୂଢ଼ ହୋଇଥିଲେ । ପ୍ରଥମେ ବଡ଼ଭାଇ ବଳରାମ, ତାପରେ ଭଉଣୀ ସୁଭଦ୍ରା ଓ ଶେଷରେ ଜଗନ୍ନାଥଙ୍କ ପହଣ୍ଡି ହୋଇଥିଲା । ବାଟରେ କର୍ପୁର ଲାଗି ଓ ବାଟପୂଜା ହୋଇଥିଲା । ଏହାପରେ ଭକ୍ତଙ୍କୁ ପୂଜକ ଓ ପହଣ୍ଡିଆ ମାନେ ଶିରକପଡ଼ା ପ୍ରଦାନ କରିଥିଲେ । ରାତିରେ ରଥାରୂଢ଼ ଦିଅଁ ରୂପାବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥିଲେ । ପରମ୍ପରା ଅନୁଯାୟୀ ରଥଯାତ୍ରା ପରି ବାହୁଡ଼ା ଯାତ୍ରା ମଧ୍ୟ ପହଣ୍ଡି ପର ଦୁଇଦିନ ଆଜି ଓ ଆସନ୍ତାକାଲି ଅନୁଷ୍ଠିତ ହେବ ।
ତେବେ ବାହୁଡା ଯାତ୍ରାରେ ପ୍ରଥମେ ଜଗନ୍ନାଥ ବାହୁଡିବେ । ଆଜି ଅପରାହ୍ନ ୨ଟା ୩୦ମିନିଟରେ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଟଣାଯିବା ସହିତ ଶ୍ରୀମନ୍ଦିର ପହଞ୍ଚିବା ପରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଅଧାବାଟ (ଟାଉନଥାନା) ପର୍ଯ୍ୟନ୍ତ ମହିଳା ଶ୍ରଦ୍ଧାଳୁଙ୍କ ଦ୍ୱାରା ଟଣାଯିବ । ଆସନ୍ତାକାଲି ଅପରାହ୍ନ ୨ଟା୩୦ମିନିଟରେ ସେଠାରୁ ମହିଳା ଶ୍ରଦ୍ଧାଳୁ ଦର୍ପଦଳନକୁ ଟାଣି ଶ୍ରୀମନ୍ଦିରରେ ପହଞ୍ଚାଇବା ପରେ ବଳଭଦ୍ରଙ୍କ ତାଳଧ୍ୱଜ ରଥ ଟଣାଯାଇ ଶ୍ରୀମନ୍ଦିରରେ ପହଞ୍ଚିବ । ଏଥିପାଇଁ ପ୍ରଶାସନ ଓ ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଅନୁରୂପ ସାନ ଜଗନ୍ନାଥ ମନ୍ଦିରରେ ମଧ୍ୟ ମହାପ୍ରଭୁଙ୍କର ରୂପାବେଶ ସାଙ୍ଗକୁ ପହଣ୍ଡି ସମ୍ପନ୍ନ ହେବାପରେ ରଥାରୂଢ଼ ହୋଇଛନ୍ତି । ଆସନ୍ତାକାଲି ପୂର୍ବାହ୍ନରେ ବାଳକଙ୍କ ଦ୍ୱାରା ରଥଟଣା କାର୍ଯ୍ୟ ସମ୍ପନ୍ନ ହେବ ।
ଅପରପକ୍ଷରେ ଆଜି ଝିପି ଝିପି ବର୍ଷା ସତ୍ତ୍ବେ ରଥାଋଢ ତିନିଦିଅଁଙ୍କୁ ଦର୍ଶନ ଓ ପୂଜା ସହିତ ମେଳାରେ ଶ୍ରଦ୍ଧାଳୁଙ୍କ ଗହଳି ଲାଗିଛି । ଦୂରଦୂରାନ୍ତରୁ ଲୋକେ ଆସି ଘରକରଣା ଜିନିଷ ଠାରୁ ଆରମ୍ଭ କରି ପିଲାଙ୍କ ଖେଳନା ଓ ଅନ୍ୟାନ୍ୟ ସାମଗ୍ରୀ କିଣି ନେଉଥିବା ଦେଖିବାକୁ ମିଳିଛି । ସିନେମା ହଲ, ମ୍ୟାଜିକ ଶୋ ଓ ଦୋଳି ତଥା ମୀନାବଜାରରେ ବେଶ ଗହଳି ଜମିଛି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAKALA - ସକାଳ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।