02 AUGUST 2026

Welcome!

Unlock your personalized experience.
Sign Up

ଦୁଇ ଦିନିଆ ଗଞ୍ଜାମ ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

Aug 02, 2026 - 17:37
ଦୁଇ ଦିନିଆ ଗଞ୍ଜାମ ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ବ୍ରହ୍ମପୁର, ୨।୮ : ଦୁଇ ଦିନିଆ ଗଞ୍ଜାମ ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଆସନ୍ତା ୪ ଏବଂ ୫ ତାରିଖରେ ଗଞ୍ଜାମ ଜିଲ୍ଲାରେ ରାଷ୍ଟ୍ରପତିଙ୍କର ଗସ୍ତ ରହିଛି। ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ରବିବାର ଗଞ୍ଜାମ ଜିଲ୍ଲାପାଳ ଭି.କୀର୍ତ୍ତୀ ଭାସନଙ୍କ ଅଧ୍ୟକ୍ଷତାରେ ବ୍ରହ୍ମପୁର ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ପୁଲିସ, ଆର୍ମି ଏଡି କଲେଜର ସଦସ୍ୟ ସହ ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ। ଗଞ୍ଜାମ ଜିଲ୍ଲାକୁ ବହୁତ ଦିନ ପରେ ରାଷ୍ଟ୍ରପତି ଆସୁଛନ୍ତି। ତେଣୁ କିଭଳି ସବୁ କାର୍ଯ୍ୟକ୍ରମ ସୁରୁଖୁରୁରେ ହେବ ସେ ନେଇ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା ହୋଇଥିଲା ।

ରାଷ୍ଟ୍ରପତି ଆସନ୍ତା ୪ ତାରିଖରେ ବ୍ରହ୍ମପୁର ରେଳଷ୍ଟେସନରେ ସକାଳେ ୧୧ଟାରୁ ୧୧:୩୦ ମିନିଟ୍ ମଧ୍ୟରେ ପହଞ୍ଚିବେ। ସେଠାରୁ ତପ୍ତପାଣି ମନ୍ଦିରକୁ ଯାଇ ସେଠାରେ ମା' କନ୍ଧୁଣୀ ଦେବୀଙ୍କର ମନ୍ଦିର ଯିବାର କାର୍ଯ୍ୟକ୍ରମ ରହିଛି। ସେଠାରେ ମା' କନ୍ଧୁଣୀ ଦେବୀଙ୍କୁ ପୂଜାର୍ଚ୍ଚନା କରିବା ପରେ ଗୋପାଳପୁର ଆର୍ମି ଏଡି କଲେଜରେ ରାତ୍ର ଯାପନ କରିବାର କାର୍ଯ୍ୟକ୍ରମ ରହିଛି। ୫ ତାରିଖରେ ପୁଣି ବ୍ରହ୍ମପୁର ରେଳ ଷ୍ଟେସନ ଯାଇ ସେଠାରୁ ଏକ ସ୍ବତନ୍ତ୍ର ଟ୍ରେନ ଯୋଗେ ଭୁବନେଶ୍ବର ଯିବେ। ।

ବୈଠକ ପରେ ଜିଲ୍ଲାପାଳ, ଦୁଇ ଏସପିଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଓ ରେଳବାଇର ବରିଷ୍ଠ ଅଧିକାରୀ ମାନେ ବ୍ରହ୍ମପୁର ରେଳ ଷ୍ଟେସରେ ପହଞ୍ଚି କିଭଳି ସ୍ବତନ୍ତ୍ର ଟ୍ରେନରେ ରାଷ୍ଟ୍ରପତି ଆସି ସମସ୍ତ କାର୍ଯ୍ୟ ହେବ ସେ ନେଇ ଷ୍ଟେସନ ବୁଲି ତାହାର ତଦାରଖ କରିଥିଲେ । ବ୍ରହ୍ମପୁର ସହର ଭିତରେ ମଧ୍ୟ କେତେକ ଟ୍ରାଫିକ୍ କଟକଣା ରହିବ । ଏହାସହ କାର୍କେଟ୍ର ମୁଭ୍ମେଣ୍ଟ ରହିବ। ବ୍ରହ୍ମପୁର ଷ୍ଟେସନରୁ ଆରମ୍ଭ କରିକି ହରଡ଼ାଖଣ୍ଡି ଛକ ପର୍ଯ୍ୟନ୍ତ ଏହି କଟକଣା ରହିବ । ତାକୁ ମଧ୍ୟ ସମସ୍ତେ ଠିକ୍ ଭାବରେ ପାଳନ କରିବେ ବୋଲି ସମସ୍ତଙ୍କୁ ଅନୁରୋଧ କରିଛନ୍ତି ଜିଲ୍ଲାପାଳ ଓ ବ୍ରହ୍ମପୁର ଏସପି । ସେପଟେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଟ୍ରେନରେ ଭୁବନେଶ୍ୱରରୁ ବ୍ରହ୍ମପୁର ଯାତାୟତ କରୁଥିବା ଯୋଗୁଁ ରେଳ ବିଭାଗ ପକ୍ଷରୁ ମଧ୍ୟ ସମସ୍ତ ପ୍ରକାରର ସୁବିଧା ସହ ସୁରକ୍ଷା ବ୍ୟବସ୍ଥା ହାତକୁ ନିଆଯାଇଛି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।