ତୃଷାର୍ତ୍ତକୁ ପାଣି ମନା

May 19, 2026 - 10:14

ଉତ୍ତରପ୍ରଦେଶର କାନପୁର ଅଞ୍ଚଳର ଏକ ଗ୍ରାମରେ ଜଣେ ୧୬ ବର୍ଷୀୟ ଦଳିତ ବାଳକ କ୍ଷେତରେ କାମ କରୁଥିଲେ। ଘଟଣାଟି ୨ ମେ’ର। ତାଙ୍କୁ ଅତ୍ୟଧିକ ଶୋଷ ଲାଗିବାରୁ ସେ ଉଚ୍ଚଜାତିର ବ୍ୟକ୍ତିଙ୍କ ଘର ସାମ୍ନାରେ ଥିବା ଏକ ସର୍ବସାଧାରଣଙ୍କ ପାଇଁ ଉଦ୍ଦିଷ୍ଟ ହ୍ୟାଣ୍ଡ୍‌ ପମ୍ପ୍‌ ନିକଟକୁ ଯାଇ ବାଲ୍‌ତିରୁ ପାଣି ପିଇବାକୁ ଚେଷ୍ଟା କରିଥିଲେ। ସେହି ସମୟରେ ସମ୍ପୃକ୍ତ ଘରେ ଥିବା ଦୁଇ ଜଣ ବ୍ୟକ୍ତି ଓ ସେମାନଙ୍କ ଆଉ ଦୁଇ ସହଯୋଗୀ ଦୌଡ଼ି ଆସି ସେହି ବାଳକ ହାତରୁ ମଗ ଛଡ଼ାଇ ନେଇଥିଲେ। ତା’ ପରେ ତାଙ୍କୁ ଲଙ୍ଗଳା କରି ମାଡ଼ମାରି ହାତ ଭାଙ୍ଗିଦେଇଥିଲେ। ଏପରିକି ଉଚ୍ଚବର୍ଗର ବ୍ୟକ୍ତି ଜୋତାରେ ଛେପ ପକାଇ ବାଳକଙ୍କୁ ଚାଟିବା ନେଇ ବାଧ୍ୟ କରିଥିଲେ। ପୁଅ ମାଡ଼ ଖାଉଥିବା ଶୁଣିବା ପରେ ତାଙ୍କ ପିତା ଘଟଣାସ୍ଥଳରେ ପହଞ୍ଚତ୍ବାରୁ ତାଙ୍କୁ ମଧ୍ୟ ମାଡ଼ ମାରି ପଞ୍ଜରା ହାଡ଼ ଭାଙ୍ଗି ଦିଆଯାଇଥିଲା। ଉଚ୍ଚବର୍ଗର ବ୍ୟକ୍ତିଙ୍କ ଏଭଳି ଘଟଣା ବିରୋଧରେ ପୋଲିସରେ ବାପ ପୁଅ ଜଣାଇଥିଲେ ମଧ୍ୟ ଏତଲା ଦାଏର ହୋଇପାରି ନ ଥିଲା। ସେମାନେ ଡାକ୍ତରଖାନା ଯାଇ ପରବର୍ତ୍ତୀ ସମୟରେ ସାହସ କୁଳାଇ ପୁଣି ପୋଲିସ ପାଖରେ ପହଞ୍ଚତ୍ଥିଲେ। ଏପରିକି କାନପୁର ଜିଲାର ପାଙ୍କି ଅଞ୍ଚଳର ଏସିପି ମନୋଜ କୁମାର ସିଂହ ଏହି ଘଟଣାକୁ କିଛି ଲୋକଙ୍କ ମଧ୍ୟରେ ଝଗଡ଼ା କହି ଏଡ଼ାଇ ଯାଇଥିଲେ। ତେବେ ଘଟଣା ପ୍ରଘଟ ହେବା ପରେ ଅଭିଯୁକ୍ତଙ୍କ ବିରୋଧରେ ତଫସିଲଭୁକ୍ତ ଜାତି ଓ ଉପଜାତି ଅତ୍ୟାଚାର ଆଇନ ଅନୁଯାୟୀ ମାମଲା ରୁଜୁ କରାଯାଇଛି।
ଉପରଲିଖିତ ଘଟଣା ଅତ୍ୟନ୍ତ ଅମାନୁଷିକ ସ୍ତରର। ହ୍ୟାଣ୍ଡପମ୍ପ୍‌ ଯେଉଁ ବ୍ୟକ୍ତିଙ୍କ ଘର ଆଗରେ ଥିଲା ସେ ରାଜପୁତ ବର୍ଗର। ପୋଲିସ ଏହି ଜାତିଗତ ଅପରାଧକୁ ହାଲୁକା ଭାବେ ନେବାକୁ ଚେଷ୍ଟା କରିବା କିମ୍ବା ଆଗ୍ରହ ନ ଦେଖାଇବା କାରଣରୁ ସପ୍ତାହେ ପରେ ଏତଲା ରୁଜୁ ହେବା ଦର୍ଶାଉଛି ଭାରତୀୟ ପୋଲିସର ଲୋକବିରୋଧୀ ଚରିତ୍ର। ଏଥିରୁ ବୁଝିବାକୁ ହେବ ଯେ, ପୋଲିସ ଉଚ୍ଚବର୍ଗଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ଇଚ୍ଛା ପ୍ରକାଶ କରୁନାହିଁ। ଭାଜପା ଶାସିତ ରାଜ୍ୟ ଉତ୍ତର ପ୍ରଦେଶରେ ଦଳିତଙ୍କ ଉପରେ ଆକ୍ରମଣ ନୂଆ ନୁହେଁ। ଉନ୍ନାଓ, ବଦାଉଁ ଆଦି ଅଞ୍ଚଳରେ ଦଳିତ ବାଳିକା ଓ ମହିଳାଙ୍କୁ ବଳାତ୍କାରଠାରୁ ଆରମ୍ଭ କରି ପୁରୁଷମାନଙ୍କୁ ନିର୍ଯାତନା ଦିଆଯିବା କିଛିବର୍ଷ ଧରି ଜାତୀୟ ଖବର ରହିଆସିଛି। ଏବେ ତୃଷାର୍ତ୍ତ ବାଳକ ପ୍ରତି ଯେଭଳି ବର୍ବର ବ୍ୟବହାର ଦେଖାଯାଇଛି ତାହା ସଭ୍ୟ ସମାଜ ପ୍ରତି ଲଜ୍ଜା ସୃଷ୍ଟି କରିବା କଥା। ନ୍ୟାଶନାଲ କ୍ରାଇମ୍‌ ରେକର୍ଡସ ବ୍ୟୁରୋ (ଏନ୍‌ସିଆର୍‌ବି) ତଥ୍ୟ ଅନୁଯାୟୀ, ଦଳିତଙ୍କ ଉପରେ ଅତ୍ୟାଚାର ମାମଲାରେ ଉତ୍ତର ପ୍ରଦେଶ ଶୀର୍ଷରେ ରହିଛି, ଯେଉଁଠାରେ ୨୦୨୩ରେ ୧୫,୧୩୦ଟି ଏବଂ ୨୦୨୪ରେ ୧୪,୬୪୨ଟି ମାମଲା ରେକର୍ଡ କରାଯାଇଥିଲା।
ବିକଶିତ ଭାରତ ସ୍ଲୋଗାନ ଦେଶବ୍ୟାପୀ ଦିଆଯାଉଛି। ହେଲେ ଏଇ ଭାରତରେ ଜଣେ ତୃଷାର୍ତ୍ତ କିଶୋରଙ୍କୁ ତାଙ୍କ ଜାତି ଆଧାରରେ ପାଣି ପିଇବାକୁ ମନା କରିବା କେବଳ ଏକ ସାମାଜିକ କୁସଂସ୍କାର ନୁହେଁ, ବରଂ ମୌଳିକ ଅଧିକାରର ଉଲ୍ଲଂଘନ। ଏଭଳି ମାମଲାକୁ ଗମ୍ଭୀରତାର ସହ ନିଆଯାଇ ଶୀଘ୍ର ତଦନ୍ତ କରାଯାଇ ଦୋଷୀଙ୍କୁ ଗିରଫ କରାଯିବା ଦରକାର। ଏପରି କ୍ଷେତ୍ରରେ ଫାଷ୍ଟ ଟ୍ରାକ୍‌ କୋର୍ଟ ତା’ର କାମ ଦେଖାଇବା ଜରୁରୀ। ଉତ୍ତରପ୍ରଦେଶ, ବିହାର ପରି ରାଜ୍ୟରେ ଜାତିଗତ ଶ୍ରେଷ୍ଠତା ହିଁ ଅପରାଧ ସୃଷ୍ଟି କରୁଛି। ଶାସନ ଓ ପ୍ରଶାସନରେ ଥିବା ବ୍ୟକ୍ତି ଓ ଉଚ୍ଚଜାତିର ବ୍ୟକ୍ତିଙ୍କ ପାଇଁ ପୋଲିସ ଯେଭଳି ତତ୍ପରତା ଦେଖାଇଥାଏ, ସାଧାରଣ ଲୋକଙ୍କ କ୍ଷେତ୍ରରେ ତାହା ହୋଇ ନ ଥାଏ। ଏଭଳି ସ୍ଥିତିରେ ପୋଲିସ ମାନସିକତାକୁ ମୂଳରୁ ବଦଳାଯାଇପାରିବ ନାହିଁ। ତେଣୁ ସାମାଜିକ ବିଭେଦ, ନୀଚ ଜାତି ପ୍ରତି ଉଚ୍ଚଜାତିର ରହିଥିବା ବିଦ୍ୱେଷଭାବ ଦୂର କରିବା ଲାଗି ପ୍ରାଥମିକ ସ୍ତରରୁ ସ୍କୁଲ ପାଠ୍ୟକ୍ରମରେ ପରିବର୍ତ୍ତନ ଆସିବା ଦରକାର। ଭାରତୀୟ ସମ୍ବିଧାନରେ ରହିଥିବା ସମାନତା କେବଳ ପୁସ୍ତକ ଭିତରେ ରହିଲେ ଚଳିବ ନାହିଁ। ତାହାର ବ୍ୟବହାରିକ ପ୍ରୟୋଗ ପିଲାଟି ବେଳୁ ହେଲେ ଯାଇ କିଛି ପରିବର୍ତ୍ତନ ଆସିପାରନ୍ତା। କର୍ତ୍ତବ୍ୟରେ ହେଳା କରୁଥିବା ପୋଲିସ ଅଫିସର ଓ କର୍ମଚାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲେ ତାହା ଦୃଷ୍ଟାନ୍ତ ହୋଇ ରହନ୍ତା।

 

Dharitri – Odisha’s No.1 Odia Daily

The post ତୃଷାର୍ତ୍ତକୁ ପାଣି ମନା appeared first on Dharitri Odia News.

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।