ଡୋକରୀଦର ଝରଣା ନିକଟରେ ଅଜଣା ମୃତଦେହ: ଖବର ପାଇ ବି ପହଞ୍ଚିଲାନି ପୋଲିସ, ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ

Jul 02, 2026 - 21:00
ଡୋକରୀଦର ଝରଣା ନିକଟରେ ଅଜଣା ମୃତଦେହ: ଖବର ପାଇ ବି ପହଞ୍ଚିଲାନି ପୋଲିସ, ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ

କୋକସରା, ୨ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଖଲିଗଡ ପାଦଦେଶରେ ଥିବା ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ଗୁଡହାଣ୍ଡି ଡୋକରୀ ଚଞ୍ଚରାର ‘ଡୋକରୀଦର’ ଝରଣା ନିକଟରେ ଏକ ଅଜଣା ମୃତଦେହ ଦେଖିବାକୁ ମିଳିଛି। ଗୁରୁବାର ଅପରାହ୍ନରେ ଏହି ମୃତଦେହଟି ଝରଣା ନିକଟରେ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଛନ୍ତି।

ମୃତଦେହଟିକୁ ଦେଖିବା ପରେ ଆଖପାଖ ଅଞ୍ଚଳର ଲୋକେ ତୁରନ୍ତ ଏ ନେଇ ଆମପାଣି ଥାନା ପୋଲିସକୁ ସୂଚନା ଦେଇଥିଲେ। ହେଲେ ଦୀର୍ଘ ସମୟ ବିତିଯାଇଥିଲେ ସୁଦ୍ଧା ପୋଲିସ ଘଟଣାସ୍ଥଳରେ ପହଞ୍ଚି ନ ଥିବା ଅଭିଯୋଗ ହୋଇଛି। ପୋଲିସର ଏଭଳି ଅଣଦେଖାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

ଅପରପକ୍ଷରେ, ଏହି ସମ୍ପର୍କରେ ଆମପାଣି ଥାନା ପୋଲିସକୁ ପଚରାଯିବାରୁ- ବର୍ତ୍ତମାନ ପର୍ଯ୍ୟନ୍ତ ଥାନାରେ କୌଣସି ଲିଖିତ କିମ୍ବା ବିଧିବଦ୍ଧ ଅଭିଯୋଗ ହୋଇ ନ ଥିବା ପୋଲିସ ସଫେଇ ଦେଇଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ନଥିବାରୁ ମୃତ ବ୍ୟକ୍ତି ଜଣକ କିଏ ଏବଂ ତାଙ୍କର ମୃତ୍ୟୁ ହତ୍ୟା ନା ଆତ୍ମହତ୍ୟା, ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ। ପୋଲିସ ତଦନ୍ତ ପରେ ହିଁ ଘଟଣାର ପ୍ରକୃତ ସତ୍ୟାସତ୍ୟ ସାମ୍ନାକୁ ଆସିବ ବୋଲି ଆଶା କରାଯାଉଛି।

Dharitri – Odisha’s No.1 Odia Daily