ଡେଙ୍ଗୁ ମଶା ବାଣ୍ଟୁଛି ବିଏମସି ! ବଡ଼ଗଡ଼ ଗ୍ରାମ ପାଲଟିଛି ମଶାଙ୍କ ଅନ୍ତୁଡ଼ିଶାଳ, ଘରଠୁ ବଜାର ସବୁଠି ଲୋକେ କଲବଲ
ଭୁବନେଶ୍ୱର,୦୪/୦୮: ବଡ଼ଗଡ଼ ଗ୍ରାମ ସହିତ ଏହାର ଆଖପାଖ ଅଞ୍ଚଳ ମଶାଙ୍କ ଅନ୍ତୁଡ଼ିଶାଳ ପାଲିଟିଛି । ଦିନରାତି ରାସ୍ତାଘାଟ, ଘର, ବଜାର ସବୁଠି ମଶା କାମୁଡ଼ାରେ ଲୋକେ କଲବଲ ହେଲେଣି। ଏଭଳି ମଶା ଉପଦ୍ରବ ଆମେ କେବେ ଦେଖିନଥିଲୁ ବୋଲି ବଡ଼ଗଡ଼ ଗ୍ରାମବାସୀ କହୁଛନ୍ତି ।
ବିଏମ୍ସି ୪୪ ନମ୍ବର ୱାର୍ଡରେ ଥିବା ଏହି ଗ୍ରାମର ପଶ୍ଚିମ ପଟେ ଦଳ ଓ ଆବର୍ଜନାରେ ଭର୍ତ୍ତି ଦୟା ୱେଷ୍ଟ ବ୍ରାଞ୍ଚ କେନାଲ ଏବଂ ଦକ୍ଷିଣ ପଟେ ଗଙ୍ଗୁଆ ନାଳ ରହିଛି । ଦକ୍ଷିଣ-ପଶ୍ଚିମ ପଟେ ବିଏମସିର ୩ଟି ଅଳିଆ ପ୍ରକ୍ରିୟାକରଣ କେନ୍ଦ୍ର, ଗ୍ରାମ ଭିତରେ ଥିବା ନୂଆ ସାହିର ନୂଆ ପୋଖରୀ ଓ ବଡ଼ଗଡ଼ ଗ୍ରାମରେ ଥିବା ଶ୍ମଶାନ, ଏସବୁ ସ୍ଥାନରୁ ବର୍ଷ ବର୍ଷ ଧରି ମଶା ମାଡ଼ି ଆସନ୍ତି । କିନ୍ତୁ ଚଳିତବର୍ଷ ସମସ୍ୟାକୁ ବଢ଼ାଇ ଦେଇଛି ବିଏମ୍ସିର ୬ନମ୍ବର ଡ୍ରେନ । ଏହି ଡ୍ରେନଟି ବଡ଼ଗଡ଼ ଗ୍ରାମ ମଧ୍ୟ ଦେଇ ଗଙ୍ଗୁଆ ନଦୀରେ ପଡିଛି । ରାଜଧାନୀର ଏକ ବଡ଼ ଅଞ୍ଚଳରୁ ସମସ୍ତ ନର୍ଦ୍ଦମା ପାଣି ଏହି ଡ୍ରେନ ପଟେ ନିଷ୍କାସିତ ହେଉଛି । କିନ୍ତୁ ବର୍ଷାଦିନ ପୂର୍ବରୁ ସ୍ଥାନୀୟ ଲୋକଙ୍କ ବାରମ୍ବାର ଦାବି ସତ୍ତେ୍ୱ ୬ ନମ୍ବର ଡ୍ରେନ୍ ସଫା କରାଗଲାନି । ଡ୍ରେନରେ ଜରି, ପଙ୍କ, ଅଳିଆ, ପଶୁ ପକ୍ଷୀଙ୍କ ଶବ ପକାଯାଉଛି। ଫଳରେ ଡ୍ରେନ୍ ପୂରା ଅବରୋଧ ହୋଇଯାଇଛି । ତେଣୁ ଉପର ମୁଣ୍ଡରୁ ଆସୁଥିବା ନର୍ଦ୍ଦମା ପାଣି ଗଙ୍ଗୁଆରେ ପଡି ନ ପାରି ବଡ଼ଗଡ଼ ଅଞ୍ଚଳକୁ ଜଳବନ୍ଦୀ କରି ପକାଇଛି । ଦୀର୍ଘଦିନ ଧରି ଏହି ନର୍ଦ୍ଦମା ପାଣି ଜମି ରହିବା ଫଳରେ ତାହା ମଶାଙ୍କ ଅନ୍ତୁଡ଼ିଶାଳ ପାଲଟିଛି । ଶହ ଶହ ଏକର ଜମିରେ ନର୍ଦ୍ଦମା ପାଣି ଜମି ରହିଛି ।
ଅଧିକ ପଢ଼ନ୍ତୁ :- Ganja Smuggling: ଶ୍ରାବଣରେ ଗଞ୍ଜେଇ ଡିମାଣ୍ଡ, ଉତ୍ତର ଭାରତରୁ ଧାଇଁ ଆସୁଛନ୍ତି ବେପାରୀ; ହ୍ୱାଟ୍ସଆପରେ ଅର୍ଡର, ୟୁପିଆଇରେ ପେମେଣ୍ଟ୍ କଲେ ଡେଲିଭରି
୬ ନମ୍ବର ଡ୍ରେନ ଗଙ୍ଗୁଆ ନାଳ ଯାଏ ସଫା ନ ହେଲେ ବଡ଼ଗଡ଼ ଅଞ୍ଚଳରୁ ପାଣି ଯିବାର ବାଟ ନାହିଁ । ବର୍ଷା ଦିନ ପରେ ମଧ୍ୟ ଏହି ଅଞ୍ଚଳରୁ ନର୍ଦ୍ଦମା ପାଣି ଶୁଖିବାର ଆଶା ଦେଖାଯାଉନି । ବର୍ତ୍ତମାନ ଦୟା ୱେଷ୍ଟ ବ୍ରାଞ୍ଚ କେନାଲ, ବିଏମସିର ୩ ଅଳିଆ ପ୍ରକ୍ରିୟାକରଣ କେନ୍ଦ୍ର, ନୂଆ ସାହିର ନୂଆ ପୋଖରୀ, ବଡ଼ଗଡ଼ ଶ୍ମଶାନ, ଗଙ୍ଗୁଆ ନାଳ ସହିତ ଶହ ଶହ ଏକର ଜମିରେ ଥିବା ନର୍ଦ୍ଦମା ପାଣି ଗ୍ରାମ ଚାରିପଟେ ଘେରି ରହିଛି । ଚାରି ଦିଗରୁ ମଶା ଜନ୍ମ ହୋଇ ଲୋକଙ୍କୁ ଅତିଷ୍ଠ କରି ପକାଇଲେଣି । ଏ ଭିତରେ ବଡ଼ଗଡ଼ ଅଞ୍ଚଳରେ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହେଲେଣି । ମଶା ଭୟରେ ଲୋକେ ସନ୍ଧ୍ୟା ନ ହେଉଣୁ ଘର କବାଟ, ଝରକା ବନ୍ଦ କରୁଛନ୍ତି । ତୁରନ୍ତ ନିରାକରଣ କରା ନ ଗଲେ ଆଗକୁ ବହୁ ସଂଖ୍ୟାରେ ଲୋକେ ସ୍ୱାସ୍ଥ୍ୟଗତ ସମସ୍ୟାର ସମ୍ମୁଖୀନ ହେବେ ।
ଏ ସମ୍ପର୍କରେ ବିଏମ୍ସି ଦକ୍ଷିଣ ପୂର୍ବ ଜୋନର ଜୋନାଲ ଡେପୁଟି କମିଶନର ପ୍ରଣବ କୁମାର ବେହେରା କହିଛନ୍ତି, ୬ ନମ୍ବର ଡ୍ରେନ ସଫେଇ କାର୍ଯ୍ୟ ବୁଝିବା ଦାୟିତ୍ୱ ବିଏମ୍ସି ଡ୍ରେନେଜ ଡିଭିଜନ ହାତରେ ରହିଛି । ବିଭାଗୀୟ ଯନ୍ତ୍ରୀ ଡ୍ରେନ ସମ୍ପକି ର୍ତ ସୂଚନା ଦେବେ । ବଡ଼ଗଡ଼ ଅଞ୍ଚଳରୁ ମଶା ନିପାତ କରିବା ପାଇଁ ଆମେ ବ୍ୟାପକ ବ୍ୟବସ୍ଥା କରିଛୁ । ନିୟମିତ ଭାବେ ମଶା ତେଲ ପକାଯାଉଛି ଓ ମଶା ଧୂଆଁ ଦିଆଯାଉଛି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।