ଟୋଲ୍ ଗେଟ୍ କର୍ମଚାରୀଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ବାପ-ପୁଅ: ପେଟରୁ ବାହାରି ପଡ଼ିଲା ଅନ୍ତବୁଜୁଳା, ଉଭୟ…
ବୈଶିଙ୍ଗା, ୧୮।୭ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ପଦ୍ମନାଭପୁର ଟୋଲ୍ ଗେଟ୍ରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ଅଭାବନୀୟ କାଣ୍ଡ ଘଟିଛି। ଗାଡ଼ି ପାସ୍ ହେବାରେ ବିଳମ୍ବକୁ କେନ୍ଦ୍ର କରି ଜଣେ ଟ୍ରେଲର ଚାଳକ ଓ ତାଙ୍କ ପୁଅ ମିଶି ଜଣେ ଟୋଲ୍ ଗେଟ୍ କର୍ମଚାରୀଙ୍କୁ ଖଣ୍ଡା ଓ ଲୁହା ରଡ୍ରେ ମରଣାନ୍ତକ ଆକ୍ରମଣ କରିଛନ୍ତି। ଆକ୍ରମଣରେ ବିବେକ ତିୱାରୀ ନାମକ ଜଣେ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି। ତାଙ୍କ ପେଟରେ ଖଣ୍ଡା ଚୋଟ ବାଜିବାରୁ ଅନ୍ତବୁଜୁଳା ବାହାରକୁ ବାହାରି ପଡ଼ିଥିଲା। ପ୍ରଥମେ ତାଙ୍କୁ ଗୁରୁତର ଅବସ୍ଥାରେ ବାଲେଶ୍ୱର ଫକୀରମୋହନ ମେଡିକାଲ କଲେଜ ଓ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ମାତ୍ର ସେଠାରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ବଡ଼ ମେଡିକାଲ (SCB)କୁ ସ୍ଥାନାନ୍ତର କରାଯାଇଛି।
ମିଳିଥିବା ସୂଚନା ମୁତାବକ, ଆନ୍ଧ୍ରପ୍ରଦେଶରୁ ମାଛ ବୋଝେଇ କରି ରାଞ୍ଚି ଅଭିମୁଖେ ଯାଉଥିବା ଏକ ଟ୍ରେଲର (ନଂ-UK 06 CA 5176) ଶୁକ୍ରବାର ରାତି ପ୍ରାୟ ୧୧:୩୦ ସମୟରେ ପଦ୍ମନାଭପୁର ଟୋଲ୍ ଗେଟ୍ରେ ଅଟକିଥିଲା। ସେଠାରେ ଗାଡ଼ି ଛାଡ଼ିବାକୁ ନେଇ କର୍ମଚାରୀ ବିବେକଙ୍କ ସହ ଟ୍ରେଲର ଚାଳକଙ୍କ ଯୁକ୍ତିତର୍କ ଓ ପାଟିତୁଣ୍ଡ ହୋଇଥିଲା। ଏଥିରେ ଉତ୍କ୍ଷିପ୍ତ ହୋଇ ଟ୍ରେଲର ଚାଳକ ଦୀଲବାଗ୍ ସିଂ (୬୦) ଓ ତାଙ୍କ ପୁଅ ମନଜୀତ୍ ସିଂ (୨୬) ଗାଡ଼ିରୁ ଲୁହା ରଡ୍ ଏବଂ ବାହାର କରି ବିବେକଙ୍କୁ ଆକ୍ରମଣ କରିଥିଲେ।
ଘଟଣା ସମ୍ପର୍କରେ ଖବର ପାଇ ବୈଶିଙ୍ଗା ଥାନା ଏସଆଇ ଅଶୋକ କୁମାର ପାତ୍ର ପୋଲିସ ଟିମ୍ ସହ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ତେବେ ସେତେବେଳକୁ ଅଭିଯୁକ୍ତ ବାପ-ପୁଅ ଗାଡ଼ି ନେଇ ସେଠାରୁ ଫେରାର ହୋଇଯାଇଥିଲେ। ପୋଲିସ ତୁରନ୍ତ ସେମାନଙ୍କ ଗାଡ଼ିକୁ ପିଛା କରି ବେତନଟୀ ଠାରେ ଅଟକ ରଖିବା ସହ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି ଥାନାକୁ ଆଣିଥିଲା। ଏହି ମାମଲାରେ ପୋଲିସ କେସ୍ ନଂ ୩୬୪ରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ଶନିବାର ସନ୍ଧ୍ୟାରେ ଦୁଇ ଅଭିଯୁକ୍ତ ବାପ-ପୁଅଙ୍କୁ କୋର୍ଟ ଚାଲାଣ କରାଯାଇଛି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।