ଟଙ୍କାର ଅବମୂଲ୍ୟାୟନକୁ ନେଇ ଷ୍ଟକ୍‌ ବଜାର ଅସ୍ଥିର

May 19, 2026 - 10:14

ମୁମ୍ବାଇ,୧୯।୫: ପଶ୍ଚିମ ଏସିଆ ସ୍ଥିତିକୁ ନେଇ ଏବେ ଭୂ-ରାଜନୈତିକ ସ୍ତରରେ ବିବାଦ ଲାଗି ରହିଥିଲାବେଳେ ଅନ୍ତର୍ଜାତୀୟ ବଜାରରେ ତୈଳଦର ମଧ୍ୟ ବୃଦ୍ଧି ପାଇ ଚାଲିଛି। ଏହାକୁ ନେଇ ବୈଶ୍ୱିକ ଅର୍ଥନୀତି ଏବଂ ଅଭିବୃଦ୍ଧି ଧାରା ମଧ୍ୟ ବ୍ୟାହତ ହେବାରେ ଲାଗିଛି। ଏହିକ୍ରମରେ ଭାରତୀୟ ପୁଞ୍ଜି ବଜାର ମାତ୍ରାଧିକ ପ୍ରଭାବିତ ହେବା ସହ ଅସ୍ଥିରତା ଲାଗି ରହିଛି। ସୋମବାର ବ୍ରେଣ୍ଟକ୍ରୁଡ୍‌ ମୂଲ୍ୟ ବ୍ୟାରେଲ ପିଛା ୧୧୧ ଡଲାର ଅତିକ୍ରମ କରିବା ପରେ ଏହାର ପ୍ରଭାବ ଭାରତୀୟ ଟଙ୍କା ଉପରେ ପଡ଼ିଥିଲା। ପ୍ରତି ଆମେରିକୀୟ ଡଲାର ତୁଳନାରେ ଭାରତୀୟ ଟଙ୍କା ମୂଲ୍ୟ ୯୬.୩୯ ଅତିକ୍ରମ କରିବା ଘଟଣା ବିଦେଶୀ ନିବେଶକାରୀଙ୍କୁ ଆଶଙ୍କିତ କରିବା ପରେ ବିଭିନ୍ନ କ୍ଷେତ୍ରରୁ ବିପୁଳ ପରିମାଣର ପୁଞ୍ଜି ପ୍ରତ୍ୟାହାର କରାଯିବା ଧାରା ଲାଗି ରହିଛି। ସାମ୍ପ୍ରତିକ ସ୍ଥିତିରେ ଉପସାଗରୀୟ ଦେଶଗୁଡିକରୁ ତୈଳ ଯୋଗାଣ ସ୍ବାଭିବକ ହୋଇନାହିଁ। ଏହାମଧ୍ୟରେ ମିଳିତ ଆରବ ଏମିରେଟ୍ସ(ୟୁଏଇ)ର ଏକ ଆଣବିକ କେନ୍ଦ୍ର ଉପରେ ଆକ୍ରମଣ ହେବା ଖବର ଆସିବା ପରେ ଏହାର ପ୍ରଭାବ ପୁଞ୍ଜି ବଜାର ଉପରେ ଅନୁଭୂତ ହୋଇଛି। ଏହି ଘଟଣା ମଧ୍ୟପ୍ରାଚ୍ୟ ତୈଳ ଯୋଗାଣ କ୍ଷେତ୍ରକୁ ଆହୁରି ପ୍ରଭାବିତ କରିବା ସହ ଭାରତର ତୈଳ ଆମଦାନୀ ପାଇଁ ମଧ୍ୟ ସମସ୍ୟା ସୃଷ୍ଟି କରିପାରେ ବୋଲି ନିବେଶକମାନେ ଆଶଙ୍କିତ ହୋଇପଡ଼ିଛନ୍ତି।

ଭାରତ ଏହାର ଆବଶ୍ୟକତାର ୮୫ ପ୍ରତିଶତ ତୈଳ ବିଦେଶରୁ ଆମଦାନୀ କରୁଥିବାରୁ ଅନ୍ତର୍ଜାତୀୟ ବଜାରରେ ତୈଳ ମୂଲ୍ୟ ବୃଦ୍ଧି ଏବଂ ଟଙ୍କାର ଅବମୂଲ୍ୟାୟନ ପୁଞ୍ଜି ବଜାର ସ୍ଥିତିକୁ ଆହୁରି ଖରାପ କରିପାରେ ବୋଲି ଉଭୟ ବିଦେଶୀ ଏବଂ ଘରୋଇ ନିବେଶକାରୀ ଚିନ୍ତା କରୁଥିବା ଷ୍ଟକ୍‌ ବଜାର ବିଶେଷଜ୍ଞମାନେ ମତ ଦେଇଛନ୍ତି। ସୋମବାର ଷ୍ଟକ୍‌ କାରବାର ଆରମ୍ଭ ହେବା ପରେ ଏହି ବିଷୟକୁ ନେଇ ବିଭିନ୍ନ କ୍ଷେତ୍ରରେ ପ୍ରଭାବ ପଡ଼ିଥିଲା। ୧୬ଟି ପ୍ରମୁଖ କ୍ଷେତ୍ର ମଧ୍ୟରୁ ୧୧ଟି କ୍ଷେତ୍ରର ଶେୟାର କାରବାର ହ୍ରାସ ପାଇଥିଲା। ସ୍ମଲ କ୍ୟାପ୍‌ ଏବଂ ମିଡ୍‌କ୍ୟାପ୍‌ କାରବାର ଯଥାକ୍ରମେ ୧.୩% ଏବଂ ୦.୨% ହ୍ରାସ ପାଇଥିଲାବେଳେ ଉଭୟ ବିଏସ୍‌ଇ ସେନ୍‌ସେକ୍ସ ଏବଂ ଏନ୍‌ଏସଇ ନିଫ୍ଟିରେ ଅନୂ୍ୟନ ୧.୪ ପ୍ରତିଶତ ହ୍ରାସ ପରିଲକ୍ଷିତ ହୋଇଥିଲା। ତେବେ କାରବାର ଶେଷବେଳକୁ ସେନ୍‌ସେକ୍ସ ମାତ୍ର ୦.୧ ପ୍ରତିଶତ ବୃଦ୍ଧିରେ ୭୫,୩୧୫ରେ ବନ୍ଦ ରହିଥିଲାବେଳେ ନିଫ୍ଟି ୦.୦୩ ପ୍ରତିଶତ ବୃଦ୍ଧିରେ ୨୩,୬୪୯ରେ ବନ୍ଦ ରହିଥିବା ଜଣାପଡ଼ିଛି।

 

Dharitri – Odisha’s No.1 Odia Daily

The post ଟଙ୍କାର ଅବମୂଲ୍ୟାୟନକୁ ନେଇ ଷ୍ଟକ୍‌ ବଜାର ଅସ୍ଥିର appeared first on Dharitri Odia News.

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।