ଜୁଲାଇ ୨୨ ତାରିଖରେ ବିଶ୍ୱ ମସ୍ତିଷ୍କ ଦିବସ (World Brain Day) ପାଳନ କରାଯାଏ
ପ୍ରତିବର୍ଷ ଜୁଲାଇ ୨୨ ତାରିଖରେ ବିଶ୍ୱ ମସ୍ତିଷ୍କ ଦିବସ (World Brain Day) ପାଳନ କରାଯାଏ। ମସ୍ତିଷ୍କର ସ୍ୱାସ୍ଥ୍ୟ ପ୍ରତି ସଚେତନତା ସୃଷ୍ଟି କରିବା ଏବଂ ସ୍ନାୟୁଜନିତ ରୋଗର ପ୍ରତିରୋଧ ସମ୍ପର୍କରେ ଲୋକଙ୍କୁ ଅବଗତ କରାଇବା ଏହି ଦିବସର ମୂଳ ଉଦ୍ଦେଶ୍ୟ। ୨୦୧୪ ମସିହାରେ ବିଶ୍ୱ ନ୍ୟୁରୋଲୋଜି ଫେଡେରେସନ ପକ୍ଷରୁ ଏହି ଦିବସର ଆରମ୍ଭ କରାଯାଇଥିଲା।
ଜଟିଳ ଅଙ୍ଗ ମସ୍ତିଷ୍କ
ମାନବ ଶରୀରର ସବୁଠାରୁ ଜଟିଳ ଅଙ୍ଗ ହେଉଛି ମସ୍ତିଷ୍କ। ଚିନ୍ତାଧାରା, ସ୍ମୃତିଶକ୍ତି, ନିଷ୍ପତ୍ତି ନେବାର କ୍ଷମତାଠାରୁ ଆରମ୍ଭ କରି ଶରୀରର ପ୍ରାୟ ସମସ୍ତ କାର୍ଯ୍ୟକୁ ଏହା ନିୟନ୍ତ୍ରଣ କରିଥାଏ। ତେଣୁ କେବଳ ମାନସିକ ବ୍ୟାୟାମ ନୁହେଁ, ବରଂ ସଠିକ୍ ଜୀବନଶୈଳୀ ମଧ୍ୟ ମସ୍ତିଷ୍କକୁ ସୁସ୍ଥ ରଖିବାରେ ବଡ଼ ଭୂମିକା ନେଇଥାଏ। ଯଥାର୍ଥ ହସ୍ପିଟାଲର ନ୍ୟୁରୋଲୋଜି ବିଭାଗର ଅଧ୍ୟକ୍ଷ ଓ ନିର୍ଦ୍ଦେଶକ ଡା. କୁନାଲ ବହରାନିଙ୍କ କହିବାନୁସାରେ, ଦୈନନ୍ଦିନ ଜୀବନରେ କିଛି ସରଳ ଅଭ୍ୟାସ ଅପଣାଇଲେ ମସ୍ତିଷ୍କର କାର୍ଯ୍ୟକ୍ଷମତା ବୃଦ୍ଧି ପାଇବା ସହ ସ୍ମୃତିଶକ୍ତି ମଧ୍ୟ ଉନ୍ନତ ହୋଇପାରେ।
Vitamin D: ପ୍ରବଳ ଖରା ସତ୍ତ୍ବେ ଭିଟାମିନ୍-ଡି ଅଭାବ
ପର୍ଯ୍ୟାପ୍ତ ନିଦ ନିଅନ୍ତୁ: ନିଦ ସମୟରେ ମସ୍ତିଷ୍କ ଦିନସାରା ସଂଗ୍ରହ କରିଥିବା ସୂଚନାକୁ ସଜାଇଥାଏ ଏବଂ ସ୍ମୃତିକୁ ଦୃଢ଼ କରିଥାଏ। ନିୟମିତ ଓ ପର୍ଯ୍ୟାପ୍ତ ନିଦ ନ ହେଲେ ଏକାଗ୍ରତା ଓ ସ୍ମରଣଶକ୍ତି ପ୍ରଭାବିତ ହୋଇପାରେ।
ପ୍ରତିଦିନ ବ୍ୟାୟାମ କରନ୍ତୁ: ଚାଲିବା, ସାଇକେଲ ଚଳାଇବା, ଯୋଗ କିମ୍ବା ଅନ୍ୟାନ୍ୟ ହାଲୁକା ବ୍ୟାୟାମ ଶରୀର ସହ ମସ୍ତିଷ୍କ ପାଇଁ ମଧ୍ୟ ଲାଭଦାୟକ। ଏହା ରକ୍ତସଞ୍ଚାଳନ ବଢ଼ାଇ ମସ୍ତିଷ୍କକୁ ପର୍ଯ୍ୟାପ୍ତ ଅମ୍ଳଜାନ ପହଞ୍ଚାଇଥାଏ।
ମସ୍ତିଷ୍କକୁ ସକ୍ରିୟ ରଖନ୍ତୁ: ନୂଆ ଭାଷା ଶିଖିବା, ପୁସ୍ତକ ପଢ଼ିବା, ପଜଲ୍ ସମାଧାନ କରିବା କିମ୍ବା ନୂଆ କୌଶଳ ଆହରଣ କରିବା ଭଳି ଅଭ୍ୟାସ ମସ୍ତିଷ୍କକୁ ସକ୍ରିୟ ଓ ତୀକ୍ଷ୍ଣ ରଖିଥାଏ।
ସନ୍ତୁଳିତ ଖାଦ୍ୟ ଖାଆନ୍ତୁ: ଫଳ, ସବୁଜ ପନିପରିବା, ଡାଲି, ଶୁଖିଲା ଫଳ ଓ ପର୍ଯ୍ୟାପ୍ତ ପାଣି ମସ୍ତିଷ୍କର ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଉପକାରୀ। ସନ୍ତୁଳିତ ଖାଦ୍ୟ ମସ୍ତିଷ୍କକୁ ଆବଶ୍ୟକ ପୋଷକତତ୍ତ୍ୱ ଯୋଗାଇଥାଏ।
ଚାପକୁ ନିୟନ୍ତ୍ରଣ କରନ୍ତୁ: ଦୀର୍ଘସମୟ ଧରି ମାନସିକ ଚାପରେ ରହିଲେ ନିଦ ଓ ଏକାଗ୍ରତା ଉପରେ ଖରାପ ପ୍ରଭାବ ପଡ଼େ। ଧ୍ୟାନ, ପ୍ରାଣାୟାମ କିମ୍ବା ପ୍ରକୃତି ମଧ୍ୟରେ କିଛି ସମୟ ବିତାଇବା ମାନସିକ ଶାନ୍ତି ବଜାୟ ରଖିବାରେ ସହାୟକ ହୋଇଥାଏ।
ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କ ମତରେ, ଏହି ସରଳ ଜୀବନଶୈଳୀ ଅଭ୍ୟାସଗୁଡ଼ିକୁ ନିୟମିତ ପାଳନ କଲେ କେବଳ ସ୍ମୃତିଶକ୍ତି ନୁହେଁ, ବରଂ ବୟସ ବଢ଼ିବା ସହ ଦେଖାଦେଉଥିବା ବିଭିନ୍ନ ସ୍ନାୟୁଜନିତ ସମସ୍ୟାର ଆଶଙ୍କାକୁ ମଧ୍ୟ ଅନେକାଂଶରେ କମାଯାଇପାରିବ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DINALIPI ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।