ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଯୁବକଙ୍କ ଆତ୍ମହତ୍ୟା ତଦନ୍ତ ପରିସର ଭୁକ୍ତ ହେବେ ପ୍ରଶାସନିକ ଅଧିକାରୀ

Jun 07, 2026 - 06:46
ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଯୁବକଙ୍କ ଆତ୍ମହତ୍ୟା ତଦନ୍ତ ପରିସର ଭୁକ୍ତ ହେବେ ପ୍ରଶାସନିକ ଅଧିକାରୀ

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଅଭାବନୀୟ ଘଟଣା। ଶୁକ୍ରବାର ଅପରାହ୍ନରେ ସିଡ଼ି ରେଲିଂ ରେ ଜଣେ ଯୁବକ ଗାମୁଛା ବାନ୍ଧି ଆତ୍ମହତ୍ୟା କରିଛନ୍ତି । ମୃତ ଯୁବକ କେନ୍ଦ୍ରାପଡ଼ା ସହର ବାସୁଳାଇ ଗ୍ରାମର ଭରତ ଦାସଙ୍କ ପୁଅ ଶ୍ରୀଚନ୍ଦନ ଓରଫ କାଳିଆ (୨୭)। ଟାଉନ୍ ପୁଲିସ କାଳିଆଙ୍କ ମୃତଦେହ ବ୍ୟବଚ୍ଛେଦ ପାଇଁ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି । ସ୍ପଷ୍ଟ ଦିବାଲୋକ ରେ ଜିଲ୍ଲାପାଳଙ୍କ କାର୍ୟାଳୟ ପରିସରରେ ଏଭଳି ଅଘଟଣକୁ ନେଇ ସାରା ସହରରେ ଚାଞ୍ଚଲ୍ୟ ଖେଳି ଯାଇଛି । ଏହି ଘଟଣାରେ ତାଙ୍କ ବାପା ଭରତ ଦାସ ରାତିରେ ଥାନାରେ ଏତଲା ଦେଇଛନ୍ତି । ପୁଅ ମୃତ୍ୟୁ ପଛରେ କାହାର ହାତ ରହିଛି, ତା’ର କାରଣ ଉନ୍ମୋଚନ କରାଯାଉ ବୋଲି ଦର୍ଶାଇଛନ୍ତି।

ଘଟନାନୁସାରେ, ନିକିରାଇ ଥାନା ଅଧୀନ ଡେରାବିଶ ବ୍ଲକ୍‌ର ବେଣୀପୁର ପଞ୍ଚାୟତ ରାଏତୁଣ୍ଡି ଗାଁର ଭରତ ଦାସଙ୍କ ଦୁଇ ପୁଅ ଓ ଦୁଇ ଝିଅ ଅଛନ୍ତି । ତାଙ୍କ ସାନ ଝିଅ ଲଲିକା ଦାସ ମାର୍ଶାଘାଇ ଥାନାରେ କନ୍‌ଷ୍ଟେବଲ ଭାବେ କାର୍ଯ୍ୟରତ। ବାପା ଭାରତ ଙ୍କ ସହ ପୁଅ ଶ୍ରୀଚନ୍ଦନ ଦାସ ବାସୁଳାଇ ଗ୍ରାମରେ ଭଡ଼ାରେ ରହୁଥିବାବେଳେ ସେ ଏକ ଘରୋଇ ଆମ୍ବୁଲାନ୍ସ ଚଳାନ୍ତି । ତେବେ କିଛି ଦିନ ଧରି ଘରର ଆର୍ଥିକ ସ୍ଥିତି ଭଲ ରହୁ ନଥିବାରୁ ଶ୍ରୀଚନ୍ଦନ ନିଜର କିଛି ଜମି ବିକିବାକୁ ଚାହୁଁଥିଲେ। ସେ ଅନୁସୂଚିତ ଜାତି ହୋଇଥିବାରୁ ଜମି ବିକ୍ରି ସଂକ୍ରାନ୍ତୀୟ କାଗଜପତ୍ର କାମ ପାଇଁ ବାରମ୍ବାର ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ କାର୍ଯ୍ୟାଳୟକୁ ଦୌଡ଼ି ନିରାଶ ହୋଇଥିଲେ ଶ୍ରୀଚନ୍ଦନ । ଏହାପରେ ପୁଣି ଗତକାଲି ପୂର୍ବାହ୍ନରେ ସେ ପ୍ରଥମେ ଉପ ଜିଲାପାଳଙ୍କ କାର୍ଯ୍ୟାଳୟକୁ ଯାଇଥିଲେ। ସେଠାରୁ ତିରସ୍କାର ମିଳିବାରୁ ଜିଲାପାଳଙ୍କୁ ଭେଟିଥିଲେ। ଜିଲାପାଳ ତାଙ୍କୁ ଉପ ଜିଲାପାଳଙ୍କ କାର୍ଯ୍ୟାଳୟକୁ ପଠାଇଥିଲେ । ଏ ଅଫିସରୁ ସେ ଅଫିସ ଦୌଡ଼ି ଦୌଡ଼ି ନିରାଶ ହେବା ପରେ ଶ୍ରୀଚନ୍ଦନ ଗତକାଲି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ପ୍ରଥମ ମହଲାକୁ ଯିବାକୁ ଉଦ୍ଦିଷ୍ଟ ଶିଡ଼ି ରେଲିଂରେ ସେ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଛନ୍ତି । ଅନ୍ୟପକ୍ଷରେ କାଳିଆଙ୍କ ମୃତ୍ୟୁ ପାଇଁ ସରକାରୀ ଅଧିକାରୀଙ୍କୁ ଦାୟୀ କରିଛନ୍ତି ବରିଷ୍ଠ ବିଜେପି ନେତ୍ରୀ ତଥା କେନ୍ଦ୍ରାପଡ଼ା ଜିଲ୍ଲା ପରିଷଦର ପୂର୍ବତନ ଅଧ୍ୟକ୍ଷା ଗୀତାଞ୍ଜଳି ସେଠୀ । ଜମିଜମା ମାମଲାରେ ନ୍ୟାୟ ନପାଇ ସରକାରୀ ଅଧିକାରୀଙ୍କଠାରୁ ନିର୍ଯାତିତ ହେବା ପରେ କାଳିଆ ଆତ୍ମହତ୍ୟାର ବାଟ ବାଛି ନେଇଥିବା ଶ୍ରୀମତୀ ସେଠୀ ଅଭିଯୋଗ ଆଣିଛନ୍ତି ।

ଏହି ଘଟଣାରେ କେନ୍ଦ୍ରାପଡା ଜିଲ୍ଲାପାଳ ରଘୁରାମ ଆର୍ ଆୟର କହିଛନ୍ତି , ଏହା ଏକ ଦୁର୍ଭାଗ୍ୟପୂର୍ଣ୍ଣ ଘଟଣା। ଜିଲା ପୋଲିସ ପ୍ରତ୍ୟେକ ଦିଗକୁ ଲକ୍ଷ୍ୟ ରଖି ତଦନ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରଶାସନିକ ଅଧିକାରୀଙ୍କ ଦୋଷ ଥିଲେ ତାଙ୍କୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରାଯିବ। ଟାଉନ ଥାନା ଅଧିକାରୀ ଶୁଭେନ୍ଦୁ ସାହୁ କହିଛନ୍ତି, ଭରତଙ୍କ ଅଭିଯୋଗ ପତ୍ରକୁ ଭିତ୍ତିକରି ଏକ ଅପମୃତ୍ୟୁ ମାମଲା (ନଂ. ୫/୨୬)ରୁଜୁ ହୋଇ ପ୍ରାଥମିକ ତଦନ୍ତ ଆରମ୍ଭ ହୋଇଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।