ଜିମ୍ବାଓ୍ବେ ବିପକ୍ଷ ଟି୨୦ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା: ସଞ୍ଜୁ ସାମସନ ବାଦ୍
ନୂଆଦିଲ୍ଲୀ, ୬ା୭: ଚଳିତମାସ ପରବର୍ତ୍ତୀ ଭାଗରେ ଖେଳାଯିବାକୁ ଥିବା ଜିମ୍ବାଓ୍ବେ ବିପକ୍ଷ ଅନ୍ତର୍ଜାତୀୟ ଟି୨୦ କ୍ରିକେଟ ସିରିଜ ପାଇଁ ସୋମବାର ଭାରତୀୟ ଦଳ ଘୋଷଣା କରାଯାଇଛି। ଚୟନକର୍ତ୍ତାମାନେ ବିଶ୍ୱକପ୍ ବିଜୟୀ ଉଇକେଟକିପର-ବ୍ୟାଟର ସଞ୍ଜୁ ସାମସନଙ୍କୁ ଏଥିରୁ ବାଦ୍ ଦେଇଥିବା ବେଳେ ଦଳରେ ପ୍ରଥମ ଥର ଦୁଇ ପେସ୍ ବୋଲର ୟଶ ଠାକୁର ଓ ଅଶୋକ ଶର୍ମାଙ୍କୁ ସ୍ଥାନ ଦେଇଛନ୍ତି। ଜିମ୍ବାଓ୍ବେ ଟୁର୍ ବେଳେ ଭାରତ ଜୁଲାଥ ୨୩, ୨୫ ଓ ୨୭ରେ ତିନୋଟି ଟି୨୦ ମ୍ୟାଚ ଖେଳିବ। ସମସ୍ତ ମ୍ୟାଚ ହରାରେଠାରେ ଖେଳାଯିବ। ବର୍ତ୍ତମାନ ଇଂଲଣ୍ଡ ବିପକ୍ଷରେ ଚାଲିଥିବା ୫ ମ୍ୟାଚ ବିଶିଷ୍ଟ ସିରିଜ ଅନ୍ତର୍ଗତ ଦ୍ୱିତୀୟ ଟି୨୦ରେ ସାମସନଙ୍କ ସ୍ଥାନରେ ସ୍ବଳ୍ପ ବୟସ ପ୍ରତିଭା ବୈଭବ ସୂର୍ଯ୍ୟବଂଶୀଙ୍କୁ ସ୍ଥାନ ମିଳିଥିଲା। କେରଳ ବ୍ୟାଟର ଆୟର୍ଲାଣ୍ଡ ବିପକ୍ଷରେ ଦୁଇଥର ଏବଂ ଡରହାମଠାରେ ଇଂଲଣ୍ଡ ବିପକ୍ଷ ଓପନିଂ ଟି୨୦ରେ ବିପଳ ହୋଇଥିଲେ। ଅଜିତ ଅଗରକରଙ୍କ ନେତୃତ୍ୱରେ ଚୟନମଣ୍ଡଳୀ ଦଳରେ ଆଉ ଜଣେ ଖେଳାଳି ଉଇକେଟକିପର ବ୍ୟାଟର ପ୍ରଭସିିମରନ ସିଂଙ୍କୁ ପ୍ରଥମ ଥର ସୁଯୋଗ ଦେଇଛନ୍ତି। ୨୦୨୪ ପରେ ଏକ୍ସପ୍ରେସ୍ ପେସର ମୟଙ୍କ ଯାଦବ ମଧ୍ୟ ପ୍ରଥମ ଥର ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି।
ନୀତିଶଙ୍କ ସ୍ଥାନରେ ଦୁବେ
ସିରିଜ ପରେ ଇଂଲଣ୍ଡ ବିପକ୍ଷରେ ଖେଳାଯିବାକୁଥିବା ୩ ମ୍ୟାଚ ବିଶିଷ୍ଟ ଅନ୍ତର୍ଜାତୀୟ ଦିନିକିଆ ସିରିଜ ପାଇଁ ମଧ୍ୟ ଦଳ ଘୋଷଣା କରାଯାଇଛି। ଚୟନକର୍ତ୍ତାମାନେ ଆଘାତପ୍ରାପ୍ତ ନୀତିଶ କୁମାର ରେଡ୍ଡୀଙ୍କ ସ୍ଥାନରେ ଶିବମ ଦୁବେଙ୍କ ଦଳରେ ସାମିଲ କରିଛନ୍ତି।
ଭାରତୀୟ ଟି୨୦ ଦଳ: ଶେୟସ ଆୟର (ଅଧିନାୟକ), ବୈଭବ ସୂଯର୍ର୍ୟବଂଶୀ, ଅଭିଷେକ ବର୍ମା, ତିଳକ ବର୍ମା(ଉପଅଧିନାୟକ), ଇଶାନ କିଶନ (ଉଇକେଟକିପର), ଶିବମ ଦୁବେ, ସୂର୍ଯ୍ୟାଂଶ ଶେଡ୍ଗେ, ରିଙ୍କୁ ସିଂ, ହର୍ଷ ଦୁବେ, ବରୁଣ ଚକ୍ରବର୍ତ୍ତୀ, ପ୍ରିନ୍ସ ଯାଦବ, ୟଶ ଠାକୁର, ଅଶୋକ ଶର୍ମା, ମୟଙ୍କ ଯାଦବ ଓ ପ୍ରଭସିମରନ ସିଂ (ଉଇକେଟ କିପର)।
ଭାରତର ଅପ୍ ଡେଟେଡ ଦିନିକିଆ ଦଳ: ଶୁବମନ ଗିଲ୍ (ଅଧିନାୟକ), ରୋହିତ ଶର୍ମା, ବିରାଟ କୋହଲି, ଶେୟସ ଆୟର(ଉପଅଧିନାୟକ), କେ.ଏଲ୍ ରାହୁଲ (ଉଇକେଟକିପର),ଇଶାନ୍ କିଶନ (ଉଇକେଟକିପର), ଓ୍ବାଶିଂଟନ ସୁନ୍ଦର, ଅକ୍ଷର ପଟେଲ, କୁଲଦୀପ ଯାଦବ, ଯଶପ୍ରୀତ ବୁମ୍ରା, ପ୍ରସିଦ୍ଧ କ୍ରିଷ୍ଣା, ହର୍ଷିତ ରାଣା, ଅଶ;ଦୀପ ସିଂ, ଗୁର୍ନୁର ବ୍ରାର୍ ଓ ଶିବମ ଦୁବେ।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।