ବେଜିଂ,୪।୭: କ’ଣ ଆପଣ ଜାଣନ୍ତି କି ଆକାଶରେ ଉଡୁଥିବା ଛୋଟ ଛୋଟ ପକ୍ଷୀ କେବେ ଅତୀତରେ ଡାଇନୋସର ଥିଲା ? ଏହି କଥା ଶୁଣିବା ଯେତେ ଅଦ୍ଭୁତ ଲାଗେ, ବିଜ୍ଞାନ ପାଇଁ ଏହାକୁ ପ୍ରମାଣ କରିବା ସେତେ କଷ୍ଟକର। ସବୁଠାରୁ ବଡ଼ ପ୍ରଶ୍ନ ଥିଲା ଡାଇନୋସରର ବିଶାଳକାୟ ହାଡ଼ ଥିବା ଲାଞ୍ଜ କିପରି ବର୍ତ୍ତମାନର ପକ୍ଷୀର ପରରେ ପରିଣତ ହେଲା ? ବୈଜ୍ଞାନିକଙ୍କ ପାଖରେ ବି ନଥିଲା ଏହାର କୌଣସି ଠୋସ୍ ପ୍ରମାଣ । କିନ୍ତୁ ନିକଟରେ ଚୀନ୍ରେ ମିଳିଥିବା ୧୪୮ ନିୟୁତ ବର୍ଷ ପୁରୁଣା ଏକ ଅଦ୍ଭୁତ ଜୀବାଶ୍ମ ଏହି ରହସ୍ୟ ଉପରୁ ପରଦା ଉଠାଇଛି। ଏହି ଆବିଷ୍କାର ବିଜ୍ଞାନ ଜଗତରେ ସୃଷ୍ଟି କରିଛି ଚହଳ। ଏହା ସହିତ ବିବର୍ତ୍ତନର ଏକ ପ୍ରମୁଖ ପ୍ରହେଳିକାକୁ ମଧ୍ୟ କରିଛି ସମାଧାନ।
ନିଜର ବିଶାଳ ଆକାର ଓ ଭୟଙ୍କର ରୂପ ପାଇଁ ଦିନେ ପୃଥିବୀ ପୃଷ୍ଠରେ ରାଜ କରୁଥିଲା ଡାଇନୋସର। ଏହି ବିଶାଳକାୟ ଜୀବର ପ୍ରାୟ ୬ କୋଟି ୬୦ ଲକ୍ଷ ବର୍ଷ ପୂର୍ବେ ଉଲକାପାତରେ ଏବଂ ଆଗ୍ନେୟଗିରି ଉଦଗିରଣରେ ବିଲୋପ ହୋଇଥିବା କୁହାଯାଏ। ତେବେ କିଛି ରିସର୍ଚ୍ଚ ଅନୁସାରେ, ଡାଇନୋସରମାନେ ସଂପୂର୍ଣ୍ଣ ଲୋପ ପାଇଯାଇ ନାହାନ୍ତି। ଏମାନଙ୍କର ବଂଶଧରମାନେ ହେଉଛନ୍ତି ଆଜିର ପକ୍ଷୀ। ନିକଟରେ ଚୀନର ଦକ୍ଷିଣ-ପୂର୍ବ ଫୁଜିଆନ ପ୍ରଦେଶର ବୈଜ୍ଞାନିକମାନେ ଏକ ଜୀବାଶ୍ମ ଆବିଷ୍କାର କରିଛନ୍ତି, ଯାହା ଇତିହାସ ସୃଷ୍ଟି କରିଛି। ଏହି ଜୀବାଶ୍ମ ‘ଜୁରାସିକ ଯୁଗ’ର ବୋଲି ଆକଳନ କରାଯାଇଛି। ବୈଜ୍ଞାନିକମାନେ ଏହି ନୂତନ ଆବିଷ୍କୃତ ପକ୍ଷୀ ପ୍ରଜାତିର ନାଁ ରଖିଛନ୍ତି ‘ଜେଙ୍ଗେଓର୍ନିସ୍ ବୟୁ’(Zhengheornis buyu)।ଏହି ଗୁରୁତ୍ୱପୂର୍ଣ୍ଣ ଆବିଷ୍କାର ବିଷୟରେ ନିକଟରେ ପ୍ରକାଶ ପାଇଛି ‘ସାଇନ୍ସ ଆଡଭାନ୍ସେସ୍‘ ପତ୍ରିକାରେ। ଏହା ସହ ଜୀବବିଜ୍ଞାନୀଙ୍କୁ ଦଶନ୍ଧି ଧରି ଖୋଜୁଥିବା ପ୍ରଶ୍ନର ଉତ୍ତର ଦେଇଛି ଏହି ଜୀବାଶ୍ମ ।
ଏପର୍ଯ୍ୟନ୍ତ ବୈଜ୍ଞାନିକଙ୍କ ଦ୍ୱାରା ଆବିଷ୍କୃତ ସମସ୍ତ ପ୍ରାଚୀନ ପକ୍ଷୀଙ୍କ ଜୀବାଶ୍ମ ଥିଲା ଦୁଇ ପ୍ରକାରର। ପ୍ରଥମଟି ଥିଲା ଡାଇନୋସର ପରି ଲମ୍ବା ଲାଞ୍ଜ ଥିବା ପକ୍ଷୀ, ଯେପରିକି ଆର୍କିଓପ୍ଟେରିକ୍ସ(Archaeopteryx).ଦ୍ୱିତୀୟଟି ଥିଲା ଯେଉଁମାନଙ୍କର ଲାଞ୍ଜ ହାଡ଼ଗୁଡ଼ିକ ଏକାଠି ମିଶି ଏକ ପାଇଗୋଷ୍ଟାଇଲ୍(Pygostyle)ଗଠନ କରିଥିଲା। ଏହି ସମାନ ପାଇଗୋଷ୍ଟାଇଲ୍ ଆଜି ଆଧୁନିକ ପକ୍ଷୀମାନଙ୍କଠାରେ ଦେଖାଯାଏ, ଯେଉଁମାନେ ସେମାନଙ୍କର ଡେଣାକୁ ସର୍ପୋଟ କରନ୍ତି । କିନ୍ତୁ ‘ଝେଙ୍ଗହର୍ଣ୍ଣିସ୍ ବୟୁ’ରେ ୧୫ ଟି ଛୋଟ ମେରୁଦଣ୍ଡ ଅଛି, ତେବେ ସେଗୁଡ଼ିକ ଏକାଠି ମିଶିକି ନାହିଁ। ଅର୍ଥାତ ଏହି ଜୀବ ଲମ୍ବା ଲାଞ୍ଜ ଥିବା ଡାଇନୋସର ଓ ଛୋଟ ଲାଞ୍ଜ ଥିବା ଆଧୁନିକ ପକ୍ଷୀଙ୍କର ମଝି ସମୟର ଥିଲା।
କିଛି ବୈଜ୍ଞାନିକ ପୂର୍ବରୁ ବିଶ୍ୱାସ କରୁଥିଲେ ଜେନେଟିକ୍ ପରିବର୍ତ୍ତନ ଯୋଗୁଁ ଡାଇନୋସର ଲାଞ୍ଜ ରାତାରାତି ଛୋଟ ହୋଇଯାଇପାରେ। କିନ୍ତୁ ‘ଝେଙ୍ଗହର୍ଣ୍ଣିସ୍ ବୟୁ’ ଏହି ଥିଓରିକୁ ଭୁଲ ପ୍ରମାଣିତ କରିଛି। ଏହି ଆବିଷ୍କାର ଦର୍ଶାଉଛି ଯେ ଲାଞ୍ଜ ଛୋଟ ହେବା ଏକ ଧୀର ପ୍ରକ୍ରିୟା ଥିଲା। ପ୍ରାରମ୍ଭିକ ପର୍ଯ୍ୟାୟରେ, ହ୍ରାସ ପାଇଥିଲା ଲାଞ୍ଜର ଲମ୍ବ ଏବଂ ହାଡ଼ ସଂଖ୍ୟା । ପରବର୍ତ୍ତୀ ପର୍ଯ୍ୟାୟରେ, ଏହି ହାଡ଼ଗୁଡ଼ିକ ପରସ୍ପର ମଧ୍ୟରେ ଯୋଡି ହୋଇ ‘ପାଇଗୋଷ୍ଟାଇଲ୍’ ଗଠନ ହୋଇଥିଲା। ଏହା ବ୍ୟତୀତ, ଏହି ପ୍ରାଣୀର ଲାଞ୍ଜ ଏହାର ଗୋଡ଼ ଅପେକ୍ଷା ଯଥେଷ୍ଟ ଛୋଟ ଥିଲା, ଯାହା ଅନ୍ୟ ପ୍ରାଚୀନ ଜୀବଙ୍କଠାରୁ ରହିଥିଲା ଭିନ୍ନ। ଏହି ଜୀବଶ୍ମର ଆକାର ମଧ୍ୟ ଚକିତ କଲା ଭଳି ଥିଲା। ବୈଜ୍ଞାନିକଙ୍କ ମତରେ ଏହା ନିଜ ଗ୍ରୁପର ଏପର୍ଯ୍ୟନ୍ତର ସବୁଠାରୁ ଛୋଟ ଏବଂ ବୟସ୍କ ଜୀବ ଥିଲା। ଏହାର ଓଜନ ମାତ୍ର ୭୪ ରୁ ୧୬୩ ଗ୍ରାମ୍ ଭିତରେ ଥିଲା। ବୈଜ୍ଞାନିକଙ୍କ ମତରେ ଉଡିବାର କ୍ଷମତା ବିକଶିତ କରିବା ଓ ପ୍ରକୃତିରେ ବଞ୍ଚିବା ପାଇଁ ଏହି ଜୀବର ଆକାର ଧିରେ ଧିରେ ଛୋଟ ହୋଇଗଲା।
ଏହି ଅଦ୍ଭୁତ ଜୀବାଶ୍ମ ୨୦୨୪ ରେ ଚୀନ୍ର ଝେଙ୍ଗେ କାଉଣ୍ଟିର ୟାନୟୁଆନ୍ ଗାଁରୁ ମିଳିଥିଲା। ଏହାକୁ ବର୍ତ୍ତମାନ ବେଜିଂର ଚାଇନିଜ୍ ଏକାଡେମୀ ଅଫ୍ ସାଇନ୍ସରେ ରଖାଯାଇଛି। ଏହା ଏହି ଅଞ୍ଚଳରେ ମିଳୁଥିବା ଏପରି ଚତୁର୍ଥ ପ୍ରଜାତି। ଯାହା ପ୍ରମାଣ କରେ ଯେ ଜୁରାସିକ୍ ଯୁଗର ଶେଷ ସୁଦ୍ଧା ପ୍ରାଚୀନ ପକ୍ଷୀଙ୍କ ଆକାର ଏବଂ ଆଚରଣ ଯଥେଷ୍ଟ ବିକଶିତ ହୋଇ ସାରିଥିଲା। ଏହି ଗବେଷଣାର ନେତୃତ୍ୱ ନେଇଥିଲେ ପ୍ରଖ୍ୟାତ ଚୀନ୍ ବୈଜ୍ଞାନିକ ମିନ୍ ୱାଙ୍ଗ୍ ଏବଂ ଝୋଙ୍ଗେ ଝୋଉଙ୍କ ଏକ ଟିମ୍।
ଆହୁରି ପଢନ୍ତୁ : ବ୍ରିଟେନ୍ରେ ହିନ୍ଦୁ ସମୁଦାୟଙ୍କୁ ଝଟ୍କା; ଭାଙ୍ଗିଲା ପ୍ରଥମ ମନ୍ଦିର ସ୍ୱପ୍ନ, ଚର୍ଚ୍ଚ ଏବଂ ମୁସଲିମ୍ ସମୁଦାୟଙ୍କୁ ମିଳିଲା ଜମି