ଘର କିଣିବା ସ୍ୱପ୍ନ ଏବେ ଅପହଞ୍ଚ, ତେଣୁ ଦାମୀ କଫି ପିଉଛନ୍ତି ଯୁବପିଢ଼ି: ରାଜ ଶମାନୀଙ୍କ ବିବୃତ୍ତିକୁ ନେଇ ଚର୍ଚ୍ଚା

Jun 17, 2026 - 16:37
ଘର କିଣିବା ସ୍ୱପ୍ନ ଏବେ ଅପହଞ୍ଚ, ତେଣୁ ଦାମୀ କଫି ପିଉଛନ୍ତି ଯୁବପିଢ଼ି: ରାଜ ଶମାନୀଙ୍କ ବିବୃତ୍ତିକୁ ନେଇ ଚର୍ଚ୍ଚା

ବର୍ତ୍ତମାନର ଅର୍ଥନୀତିରେ ଘର କିଣିବା ଏକପ୍ରକାର ଅସମ୍ଭବ ହୋଇପଡ଼ିଲାଣି। ତେଣୁ ଆଜିକାଲିର ଯୁବପିଢ଼ି ଘର କିଣିବା ପାଇଁ ଅର୍ଥ ସଞ୍ଚୟ କରିବା ପରିବର୍ତ୍ତେ ଦାମୀ କଫି ପିଇବା ପରି ଛୋଟ ଛୋଟ ବିଳାସପୂର୍ଣ୍ଣ ଜିନିଷ ଉପରେ ଖର୍ଚ୍ଚ କରିବାକୁ ପସନ୍ଦ କରୁଛନ୍ତି। ଲୋକପ୍ରିୟ ପଡକାଷ୍ଟର୍ ତଥା ଉଦ୍ୟୋଗୀ ରାଜ ଶମାନୀ (Raj Shamani) ଙ୍କ ଏଭଳି ଏକ ବୟାନ ଏବେ ଇଣ୍ଟରନେଟରେ ଚର୍ଚ୍ଚାର ବିଷୟ ପାଲଟିଛି। ନିକଟରେ ସେ ସୋସିଆଲ୍ ମିଡିଆ ପ୍ଲାଟଫର୍ମରେ ଜେନ୍ ଜି (Gen Z) ବା ଆଜିର ଯୁବବର୍ଗଙ୍କ ଖର୍ଚ୍ଚ କରିବା ଶୈଳୀକୁ ନେଇ ନିଜର ମତ ରଖିବା ପରେ ଏକ ନୂଆ ବିତର୍କ ଆରମ୍ଭ ହୋଇଛି।

ମହଙ୍ଗା କଫି ବନାମ ଘର କିଣିବା ସ୍ୱପ୍ନ

ବିଜନେସ୍ ପଡକାଷ୍ଟ 'ଫିଗରିଙ୍ଗ୍ ଆଉଟ୍' (Figuring Out)୨୮ ବର୍ଷୀୟ ହୋଷ୍ଟ ରାଜ ଶମାନୀ ମାଇକ୍ରୋବ୍ଲଗିଂ ସାଇଟ୍ ଏକ୍ସ (X) ରେ ଏକ ପୋଷ୍ଟ ଶେୟାର କରିଛନ୍ତି। ସେ ଉଲ୍ଲେଖ କରିଛନ୍ତି ଯେ, ଜେନ୍ ଜି କାହିଁକି ମହଙ୍ଗା କଫି ପରି ଛୋଟ ବିଳାସପୂର୍ଣ୍ଣ ଜିନିଷ ଉପରେ ଆରାମରେ ଖର୍ଚ୍ଚ କରୁଛନ୍ତି ତାର ମୁଖ୍ୟ କାରଣ ହେଉଛି- ଏହି ଅର୍ଥନୀତିରେ ଘର କିଣିବା ଭଳି ଦୀର୍ଘକାଳୀନ ଲକ୍ଷ୍ୟ ସମ୍ପୂର୍ଣ୍ଣ ଭାବେ ଅପହଞ୍ଚ ମନେହେଉଛି। ତେଣୁ ସେମାନେ ଦୂରର କୌଣସି ଆର୍ଥିକ ଲକ୍ଷ୍ୟ ପାଇଁ ନିଜକୁ କଷ୍ଟ ଦେବା ପରିବର୍ତ୍ତେ, ନିଜର ବର୍ତ୍ତମାନର ଜୀବନଶୈଳୀକୁ ଉନ୍ନତ କରିବାକୁ ପ୍ରାଥମିକତା ଦେଉଛନ୍ତି।

ଆକାଶଛୁଆଁ ରିଅଲ୍ ଇଷ୍ଟେଟ୍ ଦର ଓ ଯୁବପିଢ଼ିଙ୍କ ଚିନ୍ତାଧାରା

ସାଧାରଣତଃ ପୂର୍ବ ପିଢ଼ିର ଲୋକେ ଯେପରି ଘର କିଣିବା କିମ୍ବା ଜମି କିଣିବା ଭଳି ବଡ଼ ଲକ୍ଷ୍ୟ ପାଇଁ ସଞ୍ଚୟ କରୁଥିଲେ, ଏବେକାର ଯୁବପିଢ଼ିଙ୍କ କ୍ଷେତ୍ରରେ ତାହା ଦେଖିବାକୁ ମିଳୁନାହିଁ। ଶମାନୀ ଙ୍କ ଯୁକ୍ତି ଅନୁଯାୟୀ, ଆକାଶଛୁଆଁ ରିଅଲ୍ ଇଷ୍ଟେଟ୍ ଦର ଏବଂ ସେହି ତୁଳନାରେ ଦରମା ନ ବଢ଼ିବା କାରଣରୁ ଯୁବକମାନେ ନିରାଶ ହେଉଛନ୍ତି। ଘର କିଣିବା ସେମାନଙ୍କ ପାଇଁ ଏକ ଅସମ୍ଭବ ଲକ୍ଷ୍ୟ ଭଳି ଲାଗୁଛି। ଫଳସ୍ୱରୂପ, ସେମାନେ ଦୂରର ଲକ୍ଷ୍ୟ ହାସଲ କରିବା ପାଇଁ ଟଙ୍କା ସଞ୍ଚୟ କରିବା ବଦଳରେ ବର୍ତ୍ତମାନର ମୁହୂର୍ତ୍ତକୁ ଉପଭୋଗ କରିବା ପାଇଁ ସେହି ଅର୍ଥକୁ ଖର୍ଚ୍ଚ କରୁଛନ୍ତି। ରାଜଙ୍କ ଏହି ପୋଷ୍ଟ ପରେ ବଢ଼ୁଥିବା ମହଙ୍ଗା ମାଡ଼, ପ୍ରପର୍ଟି ଦର ଓ ଯୁବପିଢ଼ିଙ୍କ ଆର୍ଥିକ ଯୋଜନାକୁ ନେଇ ଅନଲାଇନରେ ବ୍ୟାପକ ଆଲୋଚନା ଦେଖିବାକୁ ମିଳିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAKALA - ସକାଳ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।