Welcome!

Unlock your personalized experience.
Sign Up

ଗଜପତିଙ୍କୁ ମହାପ୍ରଭୁଙ୍କ ସୁସ୍ଥତାର ବାର୍ତ୍ତା ଦେଲେ ସେବାୟତ

Jul 12, 2026 - 17:18
ଗଜପତିଙ୍କୁ ମହାପ୍ରଭୁଙ୍କ ସୁସ୍ଥତାର ବାର୍ତ୍ତା ଦେଲେ ସେବାୟତ

 

ପୁରୀ ୧୨।୭: ସୁସ୍ଥ ହୋଇଛନ୍ତି ମହାପ୍ରଭୁ । ଅଣସରର ତ୍ରୟୋଦଶୀ ତିଥିରେ ସ୍ୱତନ୍ତ୍ର ରାଜପ୍ରସାଦ ବିଜେ ନୀତି ସହ ଆଦ୍ୟ ସେବକ ଗଜପତି ମହାରାଜାଙ୍କୁ ମହାପ୍ରଭୁଙ୍କ ସୁସ୍ଥତାର ସନ୍ଦେଶ ଦେଇଛନ୍ତି ସେବାୟତ । ଶ୍ରୀଅଙ୍ଗରେ ଲାଗି ପ୍ରସାଦକୁ ଗଜପତିଙ୍କୁ ଅର୍ପଣ କରାଯାଇଛି । ଏଥିସହ ଆସନ୍ତା ରଥଯାତ୍ରାକୁ ଶୃଙ୍ଖଳିତ ଭାବେ ଶେଷ କରିବା ପାଇଁ ସେବାୟତଙ୍କ ସହ ଆଲୋଚନା କରିଛନ୍ତ ଗଜପତି ।

ଅଣସରର ଦ୍ୱାଦଶୀ ତିଥି କ୍ଷୟ ପଡ଼ିଥିବାରୁ ଆଜି ତ୍ରୟୋଦଶୀ ତିଥିରେ ଶ୍ରୀମନ୍ଦିରରେ ଦ୍ୱିପ୍ରହର ଧୂପ ନୀତି ସରିବା ପରେ ଆରମ୍ଭ ହୋଇଥିଲା ରାଜପ୍ରସାଦ ବିଜେ ନୀତି । ବର୍ଷ ତମାମ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି ହୋଇଥିବା ଚନ୍ଦନ, ପାଟଡ଼ୋର ସହ ଅଣସର ସମୟରେ ଲାଗି ହୋଇଥିବା ଚନ୍ଦନ, କରାଳକୁ ରୂପା ଥାଳିରେ ଧରି ଶ୍ରୀମନ୍ଦିରରୁ ବାହାରିଥିଲେ ଦଇତା ଓ ପତି ମହାପାତ୍ର ସେବାୟତ । ଘଣ୍ଟ, ଛତା, କାହାଳୀ ସହ ପଟୁଆରରେ ସେମାନେ ଶ୍ରୀନଅରରେ ପହଞ୍ଚିବା ପରେ ଆଦ୍ୟ ସେବକ ଗଜପତି ମହାରାଜାଙ୍କୁ ଶ୍ରୀଅଙ୍ଗ ଲାଗି ପ୍ରସାଦ ଅର୍ପଣ କରିଥିଲେ । ଏହାପରେ ଶ୍ରୀନଅରରେ ରାଜ ପୁରୋହିତଙ୍କ ଦ୍ୱାରା ଶାଢ଼ୀ ବନ୍ଧା ଯାଇଥିଲା ।

ପଞ୍ଚମୀ ତିଥିରେ ଫୁଲୁରି ତେଲ, ଷଷ୍ଠୀରୁ ନବମୀ ପର୍ଯ୍ୟନ୍ତ ଓଷ ଲାଗି, ଦଶମୀରେ ଚକାବିଜେ, ଦଶମୂଳମୋଦକ ଓ ଚନ୍ଦନ ଲାଗି ପରେ ମହାପ୍ରଭୁ ସଂପୁର୍ଣ୍ଣ ସୁସ୍ଥ ହୋଇଛନ୍ତି । ପବିତ୍ର ଦେବସ୍ନାନ ପୂର୍ଣ୍ଣିମାରେ ଶ୍ରୀବିଗ୍ରହଙ୍କ ଅତ୍ୟଧିକ ଜଳରେ ସ୍ନାନ ଯୋଗୁଁ ଜ୍ୱରରେ ପୀଡ଼ିତ ହୋଇ ଅଣସର ଘରେ ରହିଛନ୍ତି । ୧୫ ଦିନ ଧରି ମହାପ୍ରଭୁଙ୍କ ଏହି ଗୁପ୍ତ ସେବାର ପୂଜା ଚାଲିଥାଏ । ତେବେ ସୁସ୍ଥ ହେବା ପରେ ମହାପ୍ରଭୁଙ୍କୁ ଘଣାଲାଗି ଓ ବନକ ଲାଗି କରାଯିବ । ଆସନ୍ତା ୧୪ ତାରିଖରେ ମହାପ୍ରଭୁ ନବଯୌବନ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ।

ତ୍ରୟୋଦଶୀ ତିଥିରେ ଶ୍ରୀନଅରରେ ରାଜପ୍ରସାଦ ବିଜେ ସ୍ୱତନ୍ତ୍ର ରୀତିନୀତି ଭାବେ ସଂପାଦିତ ହେବାପରେ ଗଜପତି ମହାରାଜା ସେବାୟତଙ୍କ ସହ ରଥଯାତ୍ରାକୁ ସୁରୁଖୁରୁରେ ସଂପାଦନ ନେଇ ଆଲୋଚନା ମଧ୍ୟ କରିଥିଲେ । ସେହିପରି ମହାପ୍ରଭୁଙ୍କ ସୁସ୍ଥତା ସହ ରଥ ନିର୍ମାଣରେ ସମସ୍ତ ସେବାୟତ ମାନେ ତିନି ରଥର କାର୍ଯ୍ୟ ଶେଷ କରିଛନ୍ତି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।